କନକ ବ୍ୟୁରୋ : ଜଣେ ମହିଳା ଗର୍ଭବତୀ ହେବା ସାଧାରଣ ପ୍ରକ୍ରିୟା । କିନ୍ତୁ କେବେ କିଏ ଭାଇଛନ୍ତି କି, ରୋବୋଟ୍ ବି ପାଲି ଜନ୍ମକରିବ... ରୋବୋଟ୍ ବି ଗର୍ଭବତୀ ହେବ... କେହି କେବେ ସ୍ବପ୍ନରେ ଭାବିନଥିବା କଥା ଏବେ ସତ ହେବାକୁ ଯାଉଛି । ପୂର୍ବରୁ ସରୋଗେସି, ଆଇ.ଭି.ଏଫ୍ ପ୍ରକ୍ରିୟାରେ ପିଲା ଜନ୍ମ ସମ୍ଭବ ହୋଇପାରୁଥିବା ବେଳେ ଏବେ ନୂଆ ପ୍ରକ୍ରିୟାରେ ପିଲା ଜନ୍ମ କରିବା ପାଇଁ ଯୋଜନା ଆରମ୍ଭ କରିଛି ଭାରତର ପଡ଼ୋଷି ରାଷ୍ଟ୍ର ଚାଇନା । ରୋବୋଟ୍ ସାହାଯ୍ୟରେ ପିଲା ଜନ୍ମ କରିବା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି ଚୀନ୍ ।
IVF ଏବଂ ସରୋଗେସିରୁ ଭିନ୍ନ
କାଇୱା ଟେକ୍ନୋଲୋଜି ଦ୍ୱାରା ନିର୍ମିତ ଏହି ରୋବୋଟ୍ ପାରମ୍ପରିକ IVF କିମ୍ବା ସରୋଗେସି ଠାରୁ ଭିନ୍ନ । ଏଥିରେ ଏକ ବିଶେଷ ପ୍ରକାରର ଇନକ୍ୟୁବେସନ୍ ପଡ୍ ଏବଂ ରୋବୋଟିକ୍ ପେଟ ରହିବ, ଯାହା ମହିଳାଙ୍କ ଗର୍ଭରେ ଥିବା ପରିବେଶ ପ୍ରଦାନ କରିବ । ଏହି ରୋବୋଟ୍ ଗର୍ଭଧାରଣ ଠାରୁ ପିଲା ଜନ୍ମ ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ପୂରା କରିବାକୁ ଚେଷ୍ଟା କରିବ । କମ୍ପାନୀ କହିଛି ଯେ ଏହି ଟେକ୍ନିକ୍ ସେମାନଙ୍କ ପାଇଁ ସହାୟକ ହେବ ଯେଉଁମାନେ ସିଧାସଳଖ ସନ୍ତାନ ଚାହାଁନ୍ତି ।
ଗର୍ଭବତୀ ରୋବୋଟ୍ର ମୂଲ୍ୟ କେତେ?
ଚୀନ୍ର ଏକ ଟେକ୍ନୋଲୋଜି କମ୍ପାନୀ 'କାଇୱା' ବିଶ୍ୱର ପ୍ରଥମ ରୋବୋଟ୍ ତିଆରି କରୁଛି, ଯାହା ଗର୍ଭଧାରଣର ଅନୁକରଣ କରିପାରିବ । ଅର୍ଥାତ୍, ଏହା ମଣିଷ ପରି ଗର୍ଭବତୀ ହୋଇପାରିବ । ଏହି ରୋବୋଟ୍ ଆଗାମୀ ଏକ ବର୍ଷ ମଧ୍ୟରେ ଲଞ୍ଚ ହେବାର ଲକ୍ଷ୍ୟ ରଖାଯାଇଛି । ଏହାର ମୂଲ୍ୟ ବାବଦରେ ଯଦି କହିବା, ତେବେ ଏହାର ମୂଲ୍ୟ ପ୍ରାୟ ୧ ଲକ୍ଷ ୟୁଆନ୍, ପ୍ରାୟ ୧୩,୯୦୦ ଡଲାର, ଅର୍ଥାତ୍ ଭାରତୀୟ ମୁଦ୍ରା ହିସାବରେ ୧୨ ଲକ୍ଷ ଟଙ୍କା ହେବ ।
କାଇୱା ଟେକ୍ନୋଲୋଜିର ପ୍ରତିଷ୍ଠାତା ଏବଂ ସିଇଓ ଝାଙ୍ଗ କିଫେଙ୍ଗ କହିଛନ୍ତି, ଏହି ରୋବୋଟ୍ ବିଶେଷକରି ସେହି ମହିଳାଙ୍କ ପାଇଁ ତିଆରି କରାଯାଉଛି ଯେଉଁମାନେ ସନ୍ତାନ ଚାହାଁନ୍ତି କିନ୍ତୁ ଗର୍ଭଧାରଣ କରିବାକୁ ଚାହାଁନ୍ତି ନାହିଁ । କେବଳ ଯେ ଗର୍ଭଧାରଣ କରିବାକୁ ଚାହୁଁନଥିବା ଦମ୍ପତ୍ତି ଏଥିରୁ ଉପକୃତ ହେଲେ ତା ନୁହେଁ, ଏହି ଟେକ୍ନୋଲୋଜି ଦ୍ବାରା ବନ୍ଧ୍ୟା ଦମ୍ପତି ବି ପିଲା ପାଇବାର ଖୁସିକୁ ଉପଭୋଗ କରିପାରିବେ। ତେବେ ଝାଙ୍ଗ କିଫେଙ୍ଗ ସିଙ୍ଗାପୁରର ନାନୟାଙ୍ଗ ଟେକ୍ନୋଲୋଜିକାଲ ୟୁନିଭରସିଟିରୁ ପିଏଚଡି କରିଥିଲେ । ପରେ ୨୦୧୫ରେ ଗୁଆଙ୍ଗଝୁରେ କାଇୱା ଟେକ୍ନୋଲୋଜି ସ୍ଥାପନ କରିଥିଲେ । ପୂର୍ବରୁ ଏହି କମ୍ପାନୀ ସେବା ଏବଂ ରିସେପ୍ସନ ରୋବୋଟ୍ ତିଆରି କରୁଥିଲା । ଏବେ ଏହି କମ୍ପାନୀ ପ୍ରେଗନାନ୍ସି ରୋବୋଟ୍ ତିଆରି କରୁଛି । ଆଶା କରାଯାଉଛି ୨୦୨୬ ସୁଦ୍ଧା ଏହା ସଫଳ ହୋଇ ନୂଆ ରେକର୍ଡ ସୃଷ୍ଟି କରିବ ।