କନକ ବ୍ୟୁରୋ: କୁହାଯାଏ ଯିଏ ଗରିବୀର ଗର୍ଜନ ଭିତରୁ ସଫଳତାର ସ୍ବରକୁ ଖୋଜେ, ପରିଶ୍ରମ କରେ ତାକୁ ହିଁ ଭଗ୍ୟ ଆଉ ଭଗବାନ ସଫଳ କରାନ୍ତି । ତା’ର ଜଳ୍ବନ୍ତ ଉଦାହରଣ ହେଉଛନ୍ତି ଉତ୍ତରପ୍ରଦେଶର ବରେଲିରେ ଏକ ଛୋଟ ଚା’ ଦୋକାନରେ କାମ କରି ଆଇଏଏସ୍ ବନିଥିବା ହିମାଂଶୁ ଗୁପ୍ତା ।
ହିମାଂଶୁଙ୍କ ସଫଳତା ପଛରେ ଅଛି ଏକ ସଂଘର୍ଷ ଭରା ପ୍ରେରଣାଦାୟୀ କାହାଣୀ । ଉତ୍ତରାଖଣ୍ଡରେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ ହିମାଂଶୁ । ତାଙ୍କ ବାପାଙ୍କର ଏକ ଛୋଟ ଚା ଦୋକାନ ଥିଲା, ଯେଉଁଠାରେ ହିମାଂଶୁ ପିଲାବେଳେ ଚା ବିକ୍ରି କରୁଥିଲେ । ଖୁବ କମ ବୟସରୁ ହିମାଂଶୁ ଆର୍ଥିକ ଅନଟନ ଯୋଗୁଁ ବାପାଙ୍କ ସହ ଚା’ ଦୋକାନରେ କାମ କରୁଥିଲେ । ଯେତେବେଳେ ଦୋକାନକୁ ଗ୍ରାହକ ଆସି ନଥାଆନ୍ତି ବା ଖାଲି ସମୟ ଥାଏ ହିମାଂଶୁ ଯେକୌଣସି ବହି ବା ଖବରକାଗଜ ଧରି ପଢ଼ିବା ଆରମ୍ଭ କରିଦେଉଥିଲେ ।
ପରିବେଶ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିବା ସମୟରେ ସେ ତାଙ୍କ ଶ୍ରେଣୀରେ ଟପ୍ କରିଥିଲେ । ଏହା ପରେ, ତାଙ୍କ ପାଖରେ ବିଦେଶରେ ପିଏଚଡି କରିବାର ବିକଳ୍ପ ଥିଲା, କିନ୍ତୁ ସେ ଭାରତରେ ରହି ସିଭିଲ ସର୍ଭିସେସ୍ ପାଇଁ କାମ କରିବାକୁ ନିଷ୍ପତ୍ତି ନେଇଥିଲେ । ପରିବାରକୁ ସାହାଯ୍ୟ କରିବା ପାଇଁ ହିମାଂଶୁ ଏକ ସରକାରୀ କଲେଜରେ ଗବେଷଣା ଛାତ୍ର ଭାବରେ ନାମ ଲେଖାଇଥିଲେ । ଯାହା ତାଙ୍କୁ ଷ୍ଟାଇପେଣ୍ଡ ଏବଂ ସିଭିଲ ସର୍ଭିସ୍ ପାଇଁ ପ୍ରସ୍ତୁତ ପାଇଁ ଏକ ନୂଆ ବାଟ ଦେଖାଇଥିଲା ।
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହିନ୍ଦୁ କଲେଜରୁ ସ୍ନାତକୋତ୍ତର ପାଠପଢ଼ା ଶେଷ କରିବା ପରେ ହିମାଂଶୁଙ୍କୁ ଏକ ଭଲ ଚାକିରିର ସୁଯୋଗ ମିଳିଥିଲା । କିନ୍ତୁ ହିମାଂଶୁଙ୍କ ଦେଶ ସେବା ପ୍ରତି ଇଚ୍ଛା ହେତୁ ସେ ୟୁପିଏସସି ପାଇଁ ପ୍ରସ୍ତୁତ ହେବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମ ପ୍ରୟାସରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ, କିନ୍ତୁ କମ୍ ରାଙ୍କ ଯୋଗୁଁ ତାଙ୍କୁ ଭାରତୀୟ ରେଳ ଟ୍ରାଫିକ୍ ସେବା ପାଇଁ ଚୟନ କରାଯାଇଥିଲା । ଏଥିରେ ତାଙ୍କ ମନ ବୁଝି ନଥିଲା । ସେ ପୁନର୍ବାର ୟୁପିଏସସି ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ । ନିରନ୍ତର ପ୍ରୟାସ ଏବଂ କଠିନ ପରିଶ୍ରମ ପରେ ଶେଷରେ ସେ ସଫଳ ଆଇଏଏସ ଅଧିକାରୀ ହୋଇଥିଲେ ।
ବଡ଼ କଥା ହେଉଛି ହିମାଂଶୁ କୌଣସି କୋଚିଂ ନନେଇ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ ଏବଂ ୨୦୧୯ରେ ୩୦୪ ତମ ସ୍ଥାନ ହାସଲ କରି ଆଇଏସ୍ ବନିଥିଲେ । ଏବେ ସେ ଦେଶସେବା ଜାରି ରଖିଛନ୍ତି ।