କନକ ବ୍ୟୁରୋ: ଆଖିରେ ଲୁହ, ଛାତିର କୋହ । ପୁଅକୁ ହରାଇଥିବା ହତଭାଗିନୀ ମା’ ପଣତକାନି ପାତି ବାହୁନି କାନ୍ଦୁଛି । ପହଲଗାମରେ ଏକାଧିକ ପର୍ଯ୍ୟଟକଙ୍କ ପ୍ରାଣ ବଞ୍ଚାଇ ବଳିଦାନ ଦେଇଦେଲେ କଶ୍ମୀରର ମୁସଲିମ୍ ଅଶ୍ବ ଚାଳକ ସୟଦ ଆଦିଲ୍ ହୁସେନ୍ ଶାହ । ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଛାତିପିଟି କାନ୍ଦୁଛି ମା’, ଶୋକରେ ବୁଡ଼ିଛି ପୂରା ଅଞ୍ଚଳ ।
ଧବଳ ଚାଦର ପିନ୍ଧିଥିବା କାଶ୍ମୀରର ପହଲଗାମ ଉପତ୍ୟକାରେ ନରପିଶାଚଙ୍କ ନାରକୀୟ କାଣ୍ଡ ସାରାଦେଶକୁ ସ୍ତବ୍ଧ କରିଦେଇଛି । ଯେଉଁଠି ଧର୍ମ ପଚାରି ଆତଙ୍କୀମାନେ ଆଖିବୁଜା ଗୁଳି କରିଥିଲେ ସେଠି ଜଣେ ମୁସଲମାନର ଜୀବନ ଯାଇଛି । ଆଉ ସେ ମୁସଲମାନ ଜଣକର ଭୁଲ୍ ଏତିକି ଥିଲା ଯେ, ସେ କାଶ୍ମୀର ବୁଲିଆସିଥିବା ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରିବା ସହ ଆତଙ୍କୀଙ୍କୁ ନିବେଦନ କରିଥିଲେ । ହେଲେ ପାଇନ୍ ଗଛ ପଛରେ ଲୁଚିଥିବା ସେ ପିଶାଚ ମାନେ ଭେଣ୍ଡିଆ ପୁଅର ପ୍ରାଣ ନେଇଗଲେ ।
କାଶ୍ମୀରର ୨୮ ବର୍ଷୀୟ ସୟଦ ଆଦିଲ୍ ହୁସେନ୍ ପହଲଗାମରେ ଜଣେ ହର୍ସ ରାଇଡର୍ ଓ ଟୁରିଷ୍ଟ୍ ଗାଇଡ୍ ଭାବେ କାର୍ଯ୍ୟ କରୁଥିଲେ । ଘରର ବଡ଼ ପୁଅ ବୋଲି ଯାହା ରୋଜଗାର କରନ୍ତି ସେଥିରେ ପୂରା ପରିବାର ଚଳେ । କାଶ୍ମୀରକୁ ପର୍ଯ୍ୟଟକ ଆସିଲେ ହିଁ ଏମାନଙ୍କ ମୁହଁରେ ହସ ଫୁଟେ ରୋଜଗାର ହୁଏ ଆଉ ଖାଇବାକୁ ମିଳେ । ସେଥିପାଇଁ ତ ପହଲଗାମରେ ସବୁ ପିଶାଚଙ୍କ ସହ ଏକୁଟିଆ ଲଢ଼ିଥିଲେ ଏହି ମୁସଲମାନ ଯୁବକ ସୟଦ୍ ଆଦିଲ୍ ।
https://www.facebook.com/share/v/15CHmgGU7N/
ସେ ଧଳା ଚାଦର ପିନ୍ଧିଥିବା ପହଲଗାମ୍ ପାହାଡ଼ ରକ୍ତରଞ୍ଜିତ ହୋଇଗଲା, ଦେଖୁ ଦେଖୁ ସୁନ୍ଦରୀ ରାଇଜରେ ଅନେକ ସଧବାଙ୍କ ଶଙ୍ଖା ଭାଙ୍ଗିଗଲା । ହେଲେ ଧର୍ମ ନାଁରେ ମଣିଷମରା ସେ ନରହନ୍ତାଙ୍କ ନଜରରୁ ବର୍ତ୍ତିପାରିଲେନି କାଶ୍ମୀରର ଏହି ବାହାଦୁର ମୁସଲିମ୍ ଯୁବକ ସୟଦ ଆଦିଲ୍ । ପୁଅର ବଳିଦାନ ପାଇଁ ସାରାଦେଶ ସାବାସୀ ଦେଉଛି ସତ କିନ୍ତୁ ଏବେ ପରିବାର କେମିତି ଚଳିବ?
ପହଲଗାମ୍ ଆତଙ୍କୀ ହମଲା ନେଇ ସୋସିଆଲ ମିଡିଆରେ ଆପଣମାନେ ଭିନ୍ନ ଭିନ୍ନ ପୋଷ୍ଟ ଦେଖିବାକୁ ପାଉଥିବେ । ଭାଇଚାରାର ଭାରତରେ ଧର୍ମ ନାଁରେ ବିଭାଜନ ସୃଷ୍ଟି କରିବାକୁ କିଛି ଖଳପ୍ରକୃତି ଲୋକମାନେ ଚାହୁଛନ୍ତି । ଏଭଳି ଦୁଃଖଦ ଏବଂ ସମ୍ବେଦନଶୀଳ ସମୟରେ ଆମକୁ ଏକାଠି ରହିବାକୁ ହେବ । ଧର୍ମ ନାଁରେ ଆମେ ଶତ୍ରୁ ଦେଶକୁ ଫାଇଦା ଉଠାଇବାକୁ ଦେବାନି । ଆପଣଙ୍କୁ ଲାଗୁଥିବ ପହଲଗାମରେ କୌଣସି ଧର୍ମର ମୃତ୍ୟୁ ହୋଇଛି । ହେଲେ ସତ ଆମକୁ ଗ୍ରହଣ କରିବାକୁ ହେବ ଯେ, ହିନ୍ଦୁ-ମୁସଲିମଙ୍କର ନୁହେଁ ବରଂ ସେଠି ଭାରତୀୟଙ୍କ ଜୀବନ ଯାଇଛି ମାନବିକତାର ମୃତ୍ୟୁ ହୋଇଛି । ସେ ପାହାଡ଼ ସେପଟୁ ଆସିଥିବା ପିଶାଚମାନେ ଜାତି-ଧର୍ମ କି ନୁହେଁ ବରଂ ଭାରତର ଭାଇଚାରାକୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଥିବା ବାରି ହୋଇ ପଡ଼ୁଛି ।