କନକ ବ୍ୟୁରୋ: ଉପର ଚକାଚକ୍ ଭିତରେ ଚାଲିଛି କର୍ମଚାରୀଙ୍କ ରାଜୁତି । ସେମାନଙ୍କ ମନମୁତାବକ ଚାଲିଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ସ୍ଥିତି ଏମିତି ଯେ, ଏଠି ଫାର୍ମାସିଷ୍ଟ ଡାକ୍ତର ବେଶରେ ରୋଗ ଦେଖୁଛନ୍ତି ଆଉ ସୁଇପରଠୁ ଆରମ୍ଭ କରି ସିକ୍ୟୁରିଟି ଗାର୍ଡ ଡ୍ରେସିଂ କରୁଛନ୍ତି । ପ୍ରଶାସନର ଅବହେଳା ଯୋଗୁଁ ହନ୍ତସନ୍ତ ହେଉଛନ୍ତି ରୋଗୀ ।

Advertisment

ବରୀର ବାଲିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ଏଠି ସକାଳ ୭ରୁ ୧୨ଟା ପର୍ଯ୍ୟନ୍ତ ରୋଗୀ ମାନେ ସେବା ଯୋଗାଇବାର ନିୟମ ରହିଛି । କିନ୍ତୁ କର୍ମଚାରୀ ମାନେ ନିୟମକୁ ବେଖାତିର କରି ନିଜ ଇଛାରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସନ୍ତି ଆଉ ଯାଆନ୍ତି । ଯାହାକୁ ନେଇ ସ୍ଥାନୀୟ ରୋଗୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇ କ୍ଷୋଭ ପ୍ରକାଶ କରିଛନ୍ତି ।

ବାଲିଆ ପିଏଚସିରେ ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ, ଜଣେ ନର୍ସିଂ ଅଫିସର, ଦୁଇ ଜଣ ଆଟେଣ୍ଡାଣ୍ଟ୍ , ଜଣେ ସିକ୍ୟୁରିଟି ଗାର୍ଡ, ଜଣେ ଲାବ୍ରୋଟୋରି ଟେକ୍ନିସିଆନ ଓ ଜଣେ ସାନିଟାରି ୱାର୍କର ନିଯୁକ୍ତି ପାଇଛନ୍ତି । ହେଲେ ଡାକ୍ତର ଶିବାନୀ ଦାଶ ସଠିକ୍ ସମୟରେ ନ ଆସିବାରୁ ଅନ୍ୟ କର୍ମଚାରୀ ମାନେ ମଧ୍ୟ ନିଜ ଇଛା ଅନୁସାରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି । ଯେଉଁଥିପାଇଁ ସ୍ଥାନୀୟ ରୋଗୀ ମାନେ ଏହି ସ୍ୱାସ୍ଥ୍ୟକେନ୍ଦ୍ରରୁ ଅସନ୍ତୋଷ ହୋଇ ଫେରିଯାଉଛନ୍ତି ।

ଖାଲି ଏତିକି ନୁହେଁ ସରକାରଙ୍କ ପକ୍ଷରୁ ରୋଗୀ ମାନଙ୍କ ପାଇଁ ମାଗଣା ଔଷଧ ଦିଆଯିବାର ବ୍ୟବସ୍ଥା ରହିଥିବା ବେଳେ ଏଠି ବାହାରୁ ଔଷଧ କିଣିବାକୁ କର୍ମଚାରୀ ମାନେ ବାଧ୍ୟ କରୁଥିବା ଅଭିଯୋଗ ହେଉଛି । ବରୀ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗର ଏଭଳି ଚିତ୍ର ଉପରେ କାହାର ନଜର ପଡ଼ୁନାହିଁ । ତେଣୁ ଯାଜପୁର ଜିଲ୍ଲାପାଳ ଓ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ପ୍ରଶ୍ନ ଉଠୁଛି, କାହିଁକି ଏମିତି ଅବହେଳିତ ହେଉଛି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର? ସରକାରଙ୍କ ନିୟମକୁ ଡରୁ ନାହାନ୍ତି କି କର୍ମଚାରୀ? ଏତେ ଅବ୍ୟବସ୍ଥା ଆଉ ମନମୁଖି ଯୋଗୁଁ ଯଦି କାହାର ଜୀବନ ଚାଲିଯାଏ, ଉତ୍ତରଦାୟୀ କିଏ ହେବ?