କନକ ବ୍ୟୁରୋ: କଲେକ୍ଟର ବାବୁଙ୍କ ଚରଣେ ନମସ୍କାର । ଦୁଃଖ ଶୁଣ ଏ ଦିବ୍ୟାଙ୍ଗର । ଏମିତି ଗୀତ ଶୁଣିବା ପରେ ଆପଣ ବି ଶବ୍ଦହୀନ ହୋଇଯିବେ । ଭାବୁଥିବେ କାହିଁକି ଜଣେ ଦିବ୍ୟାଙ୍ଗ ଏମିତି ଗୀତ ଗାଇଲେ । କଲେକ୍ଟରଙ୍କ ଚରଣରେ ପ୍ରାର୍ଥନା କଲେ । ଦର୍ଶକବନ୍ଧୁ ଜଣେ ଦୃଷ୍ଟିବାଧିତ ବ୍ୟକ୍ତି ଘର ଖଣ୍ଡେ ପାଇଁ ଗୁହାରି କରିକରି ହତାଶ ହେବା ପରେ ଶେଷରେ ଗୀତ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଗୁହାରି ଜଣାଇଛନ୍ତି । ଆଶା ରଖିଛନ୍ତି ଏବେ ଘର ଖଣ୍ଡେ ମିଳିବ ବୋଲି ।
ନବୀନ ବାବୁ ଥିଲେ ଦେଇଥିଲେ ଜାଗା ପଟ୍ଟା…ନୂଆ ସରକାର ଦେଖୁଛି ଗରିବର ହଟହଟା । ଏ ଧାଡିଏ ଗୀତ ବି ଶୁଣିଲେ ସରକାରଙ୍କ ଯୋଜନା କେମିତି ଲୋକଙ୍କ ପାଖରେ ପହଞ୍ଚୁଛି ଆପଣ ବି ଜାଣିପାରିବେ । ଜଣେ ଶତପ୍ରତିଶତ ଦିବ୍ୟାଙ୍ଗ ହେବା ପରେ ବି ଘର ଖଣ୍ଡେ ଲାଗି ବାରଦୁଆର ହେଉଛନ୍ତି ହେଲେ ଘର ପାଉନାହାନ୍ତି । ଶେଷରେ ନିରାଶ ହୋଇ ଗୀତ ଗାଉଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଯାଜପୁର ଜିଲ୍ଲାପାଳଙ୍କ ସରକାରୀ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିବା ଅଭାବନୀୟ ଦୃଶ୍ୟ । ଆଉ ସେ ବ୍ୟକ୍ତି ଜଣକ ହେଉଛନ୍ତି ପ୍ରଫୁଲ୍ଲ ଦାସ । ଘର ତାଙ୍କର ଯାଜପୁର ଜିଲ୍ଲା କୋରେଇ ନିର୍ବାଚନମଣ୍ଡଳୀରେ । ନବୀନ ସରକାରରେ ଥିବା ବେଳେ ଗୁହାରି କରି ଜାଗା ପଟ୍ଟା ଓ ଭତ୍ତା ତ ପାଇଥିଲେ । ହେଲେ ଘର ଖଣ୍ଡିଏ ପାଇଲେ ନାହିଁ । ସେବର ସରକାର ପ୍ରତିଶ୍ରୁତି ଦେଇଥିଲା ଘର ଦେବ ବୋଲି । ନିର୍ବାଚନରେ ସରକାର ବଦଳିଯିବା ପରେ ପ୍ରଫୁଲ୍ଲଙ୍କ ଆଶା ସତେ ଯେମିତି ଆଶାରେ ରହିଗଲା । ଘର ଖଣ୍ଡିଏ ପାଇଁ ସ୍ଥାନୀୟ ବିଧାୟକ ଆକାଶ ଦାସନାୟକଙ୍କୁ ଏନେଇ ଗୁହାରି କରିଥିଲେ । ବିଧାୟକ ତାଙ୍କ ପିଏଙ୍କୁ କହିଲେ ପ୍ରଫୁଲ୍ଲଙ୍କ କଥା ବୁଝିବାକୁ । ହେଲେ ସେ ଏବେ ଫୋନ୍ ଉଠାଉନଥିବା ଅଭିଯୋଗ କରିଛନ୍ତି ପ୍ରଫୁଲ୍ଲ ।
କେବଳ ପ୍ରଫୁଲ୍ଲ ନୁହନ୍ତି ବରଂ ତାଙ୍କ ଭଉଣୀ ବି ଗୁରୁଣ୍ଡି ଗୁରୁଣ୍ଡି ଅଭିଯୋଗ ପାଇଁ ଆସିଛନ୍ତି । ସେ ବି ଜଣେ ଦିବ୍ୟାଙ୍ଗ ହେବା ପରେ ବି ଘର ଖଣ୍ଡିଏ ମିଳିଲା ନାହିଁ । ଜରି ପକାଇ ରହୁଛନ୍ତି । ହେଲେ ଖରା ଓ ଶୀତରେ ଜରି ସମ୍ଭାଳୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।
ରାତି ପାହିଲେ ସରକାର ବର୍ଷେ ପୂର୍ତ୍ତି ଉତ୍ସବ ପାଳନ କରିବେ । ପ୍ରତିଶ୍ରୁତି ଅନେକ ପୂରଣ କରିଛନ୍ତି ବୋଲି ପ୍ରେସମିଟ୍ କରି କହୁଛନ୍ତି । ହେଲେ ବିକଶିତ ଜିଲ୍ଲାର ଜଣେ ଦିବ୍ୟାଙ୍କ ଗୁହାରି କରିବା ପରେ ଘର ଖଣ୍ଡିଏ ନମିଳିବା ଦୁର୍ଭାଗ୍ୟ ନୁହେଁ ତ ଆଉ । ସେପଟେ ଅଭିଯୋଗ ଶୁଣିବା ପରେ ଅତିରିକ୍ତ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଫୁଲ୍ଲ ଓ ତାଙ୍କ ଉଭଣୀଙ୍କୁ ସରକାରୀ ସହାୟତା ମିଳିବ । ଏବେ ଅପେକ୍ଷା ପ୍ରତିଶ୍ରୁତି କେବେ ପୂରଣ କରୁଛି ପ୍ରଶାସନ ।
(ଯାଜପୁରରୁ ଅନୀଲ ପଣ୍ଡାଙ୍କ ରିପୋର୍ଟ)