କନକ ବ୍ୟୁରୋ: ଜଗନ୍ନାଥ ମୋ ପରିଚୟ , ଜଗନ୍ନାଥ ମୋ ବିଶ୍ୱାସ, ମୋ ନିଃଶ୍ୱାସ, ମୋ ଆବେଗ , ମୋ ଭାବନା, ମୋର ଭାବାବେଗ, ମୋର ଭରସାର ପ୍ରତୀକ । ମୋ ଅନ୍ଧାରର ଆଲୋକ ସିଏ । ମୋ ଆସ୍ଥା, ମୋ ଭରସା, ମୋ ଗର୍ବ । ମୋର ସ୍ୱାଭିମାନ । ମୋର ଅଭିମାନ । ମୋର ଅଳି, ଅଝଟ ତା ଆଗରେ ସବୁ କିଛି । ସିଏ ଯେଉଁଠି ଥାଉ ନା କାହିଁକି ଲାଗେ ମୋର ସବୁ କିଛି ସିଏ । ମୋ ଘରର ମଣିଷ ସେ ମୋର ଆପଣାର ମଣିଷ । କଥା କହିଲେ କଥା ଶୁଣୁଥିବା ଦିଅଁ ସେ । ଯାହା ମୁଁ କରେ, ତାହା ସିଏ ବି କରେ । ଭାବକୁ ବୁଝୁଥିବା ଦିଅଁ । ସେଥିପାଇଁ ତ ସେ ଭାବକୁ ନିକଟ ଆଉ ଅଭାବକୁ ଦୂର । ବେଳେ ବେଳେ ବଡ଼ ଅଭିମାନ, ଅଝଟ କରେ ଜଗା ମୋର । ଏମିତି କିଛି ହେଉ ନଥିବ ଯାହା ଆମେ କରୁଥିବା ସେଥିରେ ତାର ଅନୁମତି ନଥିବ, ତାର ସମ୍ମତି ନଥିବ । ଏମିତି କେମିତି ହେବନି ଯେ ସେ ପରା ବଡ଼ ଠାକୁର । ସେଥିପାଇଁ ତ ତା ଦାଣ୍ଡ ବଡ଼ଦାଣ୍ଡ, ତା ଦେଉଳ ବଡ଼ ଦେଉଳ । ତା ପ୍ରସାଦ ମହାପ୍ରସାଦ । ଚକା ଚକା ଆଖିରେ ଚାରି ଦିଗକୁ ଚାହିଁଥିବା ଦିଅଁ ହେଉଛି ସେ । ଅପଲକ ନୟନରେ ଚାହିଁ ଘଣ୍ଟ ଘୋଡ଼େଇକି ରଖିଛି ଜଗା ମୋର । ହେଲେ ଆଜି କଣ ଚାଲିଛି । କିଏ ତା ନାଁକୁ ବିକିଲାଣି, ତ କିଏ ତାର ଦାରୁକୁ । କିଏ ଜଗନ୍ନାଥଙ୍କ ମନ୍ଦିର ତିଆରି କରି ସେଠାରେ ଧାମ ଲେଖି କହିଲେଣି ଯେ ଆମେ କାହିଁକି ଧାମ ଲେଖିପାରିବୁନି ?
ଏମିତି କେମିତି ହୋଇପାରେ ଯିଏ ସକାଳରୁ ରାତି ଯାଏଁ ତୋର ନାଁ ନେଉଛି ତୋ ନାଁକୁ ନେଇ ବଞ୍ଚୁଛି ସେ କେମିତି ଭୁଲ କରିପାରେ । ଆଜି ଯାହା ମୁଁ ସେଥିରେ ତୋର ନିଷ୍ପତ୍ତି । ମୋର ସଂସାରକୁ ଆସିବା ପଛର ନିଷ୍ପତ୍ତି ତୋର । ଗେହ୍ଲାରେ ମୁଁ ତୁମକୁ ତୁ ବି ଡାକିଦିଏ । କାରଣ ତୁ ପରା ମୋ ଘରର ମଣିଷ, ନିଜର ମଣିଷ । ଜଗନ୍ନାଥ ମୋ ଜୀବନ ରେଖା । ସେଥିପାଇଁ ଜୀବନର ଶେଷ ଠିକଣା ତୋରି ଜାଗା ସ୍ବର୍ଗଦ୍ୱାରରେ ହେଉ ବୋଲି ମୋର ଇଛା । ତୋର ଯାତ୍ରା ରଥଯାତ୍ରା, ମୋ ପାଇଁ ଯାହା ଅନ୍ତରର ଯାତ୍ରା । ତୁତ ସବୁ ଜାଣିଛୁ । ହେଲେ ଏତେ ନିରବ କାହିଁକି ବସିଛୁ । ମୁଁ ଜାଣିଛି ତୁ ପରୀକ୍ଷା କରୁଛୁ । ଏହା ତୋର ଲୀଳା ନୁହେଁ ତ । ତୋ ବିନା ଜାଣତରେ କଣ ଏତେ କଥା ହେଉଛି । ମୁଁ ନୁହେଁ କେହି ନୁହେଁ ସମସ୍ତ ଜାଣିଛନ୍ତି । ତୋର ପାଟି ଖୋଲୁନି ବୋଲି ତୋ ପ୍ରତି ଏତେ ଅବିଚାର , ଏତେ ଅନ୍ୟାୟ ବୋଧହୁଏ । କିଏ ଡାଇନିଂ ଟେବୁଲରେ ବସି ଅବଢ଼ା ଖାଇଲାଣି , କିଏ ମନ୍ଦିରରେ ତୋ ନୀତିକାନ୍ତିରେ ବିଳମ୍ବ କଲାଣି , ତ କିଏ ତୋତେ ଉପବାସରେ ରଖିଲାଣି । ଖାଦ୍ୟଲୋଭୀ, ଭୋଜନ ପ୍ରିୟ ତୋ କଥା କେମିତି ତୋ ସବକ ବୁଝୁନାହଁ । ଗଜପତି ମହାରାଜ ଆଦ୍ୟ ସେବକ ହୋଇ ବି ସେ କେମିତି ପ୍ରତିକ୍ରିୟାଶୀଳ ନୁହନ୍ତି ତା’ବି ବଡ଼ ଆଶ୍ଚର୍ଯ୍ୟ କରୁଛି । ଶଙ୍କରାଚାର୍ଯ୍ୟ ନୀତି ନିୟମ କରି ସତେ ଯେମିତି ତାଙ୍କ ଦାୟିତ୍ୱ ସାରି ଦେଇଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ଜଗତର ମାଲିକ ଉପରେ ସେ ବି ବେଳେ ବେଳେ ମାଲିକାନା ଦେଖାଉଛନ୍ତି । ରାଜ୍ୟ ସରକାର ସେ ବି ଏତେଟା ସମ୍ୱେଦନଶୀଳ ନୁହେଁ । ଆଉ ମୋ ଭଳି ଭକ୍ତ ସେ ବା କ’ଣ କରିପାରିବ ।
https://www.facebook.com/share/v/1KxrGm8idR/
ମୁଁ ନିର୍ଦ୍ଦୋଷ ବୋଲି କହୁନି , ହେଲେ ମୋତେ କାହିଁକି ଅସହାୟ ଲାଗୁଛିରେ କାଳିଆ । ନା ଶୁଣି ହେଉଛି ନା ଶୁଣାଇ ହେଉଛି । କ’ଣ କରିବି, ଧୈର୍ଯ୍ୟ ରହୁନି । ମନର ଭାବନାକୁ କହି ପକାଇଲି । ନିଜର ଭାବିଲି ବୋଲି କହି ପକାଇଲି । ବଡ଼ ଅଜବ ଆଉ ବିଚିତ୍ର ଲାଗୁଛି । ଯିଏ ଆମ ପରିଚୟ ତାର ଏଭଳି ଅବସ୍ଥାକୁ ନେଇ ଆମେ ଚୁପ୍ । କେବେ ଆମେ ପ୍ରତିକ୍ରିୟାଶୀଳ ହେବା ? କେତେ ଦିନ ଚୁପ ବସିବା ? କେତେ ଦିନ ଜଗା ଏମିତି ଅବସ୍ଥାରେ ଥିବ ! ଇତିହାସ ସାକ୍ଷୀ ଅଛି ଯେଉଁ ଜାତି ପ୍ରତିକ୍ରିୟାଶୀଳ ନୁହେଁ , ସେଠାରେ ପରିବର୍ତ୍ତନ ସମ୍ଭବ ହୋଇପାରିନି । ଠାକୁର ଏମିତି ଦିନ କେବେ ଆସିବ ମୋ ପାଟିର ସ୍ବର ଆପଣଙ୍କର ସ୍ବର ହେବ । କିଛି ତ କୁହ । ନ ହେଲେ ସେତେଦିନ ପର୍ଯ୍ୟନ୍ତ ଏମିତି ଚାଲୁଥିବ ।