BIJU BABU Photograph: (KANAK NEWS)
କନକ ବ୍ୟୁରୋ: ୧୯୩୦ ମସିହା ବ୍ରିଟିଶ୍ ଶାସନ ଚାଲୁଥାଏ...ବିଜୁ ବାବୁ ସେତେବେଳେ ଜଣେ ଟଲ୍ ହ୍ୟାଣ୍ଡସମ୍ ଏବଂ ଦୁଃସାହସିକ ପାଇଲଟ୍ ଭାବେ ଦିଲ୍ଲୀର ଏକ ଘରୋଇ ଏୟାରଲାଇନ୍ସରେ କାମ କରୁଥିଲେ । ଦିନେ ସେ ନିଜ ବିମାନ ନେଇ ପଞ୍ଜାବର ଲାହୋର ଅର୍ଥାତ୍ ଏବେର ପାକିସ୍ତାନକୁ ଯାଇଥିଲେ ଏବଂ ଲାହୋର କ୍ଲବରେ ସେ ପ୍ରଥମ କରି ଜ୍ଞାନବତୀ ସେଠୀଙ୍କୁ ଦେଖିଲେ । ଜ୍ଞାନ ସେତେବେଳେ ଟେନିସ ଖେଳୁଥିଲେ। ଜଣେ ଶିଖ୍ ପରିବାରର ଝିଅ ହୋଇ ସେ ସମୟରେ ଟେନିସ ଖେଳିବା ଏକ ବଡ଼ କଥା ଥିଲା । ଆଉ ବିଜୁ ବାବୁ ଯେମିତି ସୁନ୍ଦର ଥିଲେ ଜ୍ଞାନ ବି ଥିଲେ ସୁନ୍ଦରୀ । ସେତେବେଳେ ଜ୍ଞାନ ଲାହୋରର ଜଣେ ଜଣାଶୁଣା ଟେନିସ ଖେଳାଳି ମଧ୍ୟ ଥିଲେ । ଧଳା ଟେନିସ ପୋଷାକରେ ଜ୍ଞାନଙ୍କ ବୋଲ୍ଡ ଅନ୍ଦାଜ ଦେଖି ଲମ୍ବା-ଚଉଡା ବିଜୁ ବାବୁ ପ୍ରଥମ ଦେଖାରେ ହିଁ ମନ ଦେଇ ବସିଲେ । ବାସ୍ ଏହାପରେ ଆରମ୍ଭ ହୁଏ ଏକ ନିଆରା ପ୍ରେମ କାହାଣୀ ।
ଆକାଶରେ ଖେଳିଥିଲା ଇସ୍କର ଇନ୍ଦ୍ରଧନୁ
ବିମାନରୁ ବାନ୍ଧବୀଙ୍କୁ ଚିଠି ଫିଙ୍ଗୁଥିଲେ ବିଜୁ
ଜ୍ଞାନ ଜଣେ ଶିଖ୍ ପରିବାରର ଝିଅ ହୋଇଥିଲେ ବି ତାଙ୍କ ପରିବାର ଖୁବ୍ ଉଦାରବାଦୀ । ବିଜୁଙ୍କ ପ୍ରେମର ପ୍ରଭାବ ଏମିତି ଥିଲା ଯେ ଜ୍ଞାନ ନିଜେ ପାଇଲଟ୍ ହେବା ପାଇଁ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବରେ ଯୋଗ ଦେଲେ । ଏହି କ୍ଲବରେ ଦୁହେଁ ଏକାଠି ଟେନିସ ଖେଳିବା ସହ ଆକାଶରେ ବିମାନ ଉଡ଼ାଉଥିଲେ । ଧୀରେ ଧୀରେ ସେମାନଙ୍କ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ବିଜୁ ବାବୁଙ୍କ ପ୍ରେମ ନିବେଦନ କରିବାର ଶୈଳୀ ଖୁବ୍ ନିଆରା ଥିଲା । କୁହାଯାଏ ବିଜୁ ବାବୁ ଜ୍ଞାନ ଦେବୀଙ୍କ ଘର ଉପରେ ନିଜ ବିମାନ ଉଡ଼ାଇ ଯାଉଥିଲେ । ସେ ସମୟରେ ତ ଫୋନ୍ ବା ସୋସିଆଲ ମିଡିଆ ନଥିଲା, ତେଣୁ ସେ ପରଦେଶୀ ଚଢ଼େଇ ପରି ଆକାଶରୁ ଚିଠି ଫୋପାଡ଼ି ନିଜ ମନର କଥା କହୁଥିଲେ । ଏହି ଦୁଃସାହସିକତା ଦେଖି ଜ୍ଞାନ ଦେବୀ ମଧ୍ୟ ତାଙ୍କୁ ମନ ଦେଇ ବସିଥିଲେ । ହେଲେ ବାହାଘର ପାଇଁ କରିବାକୁ ପଡ଼ିଥିଲା ଅନେକ ସଙ୍ଗର୍ଷ । ପୂର୍ବରୁ ଜଣେ ଓଡ଼ିଆ ପୁଅ ପଞ୍ଜାବୀ ଝିଅକୁ ବିବାହ କରିବା ସହଜ ନଥିଲା । କିନ୍ତୁ ବିଜୁ ବାବୁ ହାର୍ ମାନିବା ଶିଖି ନଥିଲେ । ନିଜର ପ୍ରେମ ବଳରେ ଦୁଇ ପରିବାରକୁ ମନାଇବାରେ ସଫଳ ହୋଇଥିଲେ ।
ଶେଷରେ ୧୯୩୯ ମସିହାରେ ବିଜୁ ଓ ଜ୍ଞାନଙ୍କ ବିବାହ ସ୍ଥିର ହେଲା । ଏହି ବିବାହର ସବୁଠାରୁ ବଡ଼ ଆକର୍ଷଣ ଥିଲା ବିଜୁ ବାବୁଙ୍କ ବରଯାତ୍ରୀ । ସେ ନିଜ ସାଙ୍ଗସାଥୀ ଏବଂ ପରିବାର ବର୍ଗଙ୍କୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଏବଂ ବିମାନରେ ନେଇକି ଯାଇଥିଲେ । ବିଜୁ ପଟ୍ଟନାୟକ ନିଜେ ବର ବେଶରେ ଆଉ ବିମାନରେ ବାରାତ୍ ଯାଇଥିଲା । ବିଜୁଙ୍କ ପଛେ ପଛେ ତାଙ୍କ ପାଇଲଟ୍ ବନ୍ଧୁମାନେ ମଧ୍ୟ ଅଲଗା ଅଲଗା ବିମାନରେ ବରାତୀ ହୋଇ ଲାହୋର ମାଟିରେ ପହଞ୍ଚିଥିଲେ । ଆକାଶରେ ଏକାସାଙ୍ଗରେ ଏତେଗୁଡ଼ିଏ ବିମାନ ଦେଖି ଲାହୋର ସହର ସ୍ତବ୍ଧ ହୋଇଯାଇଥିଲା । ଲୋକେ ଭାବିଥିଲେ ବୋଧେ କିଛି ଯୁଦ୍ଧ ହେବାକୁ ଯାଉଛି, କିନ୍ତୁ ପରେ ଜଣାପଡିଲା ଯେ ଓଡ଼ିଶାର ଜଣେ ସୁନ୍ଦର ଯୁବକ ପାଇଲଟ୍ ନିଜ ବରାତ ନେଇ ଆସିଛନ୍ତି । ସେତେବେଳେ ଏଭଳି ରାଜକୀୟ ବରଯାତ୍ରୀ ଦିଲ୍ଲୀରୁ ପଲ୍ଲୀ ଚହଳ ସୃଷ୍ଟି କରିଥିଲା ।
ଜ୍ଞାନ ଦେବୀ କେବଳ ବିଜୁ ବାବୁଙ୍କ ସ୍ତ୍ରୀ ନଥିଲେ, ସେ ଥିଲେ ତାଙ୍କର ବଡ଼ ସହଯୋଗୀ । ବିଜୁ ବାବୁ ଯେତେବେଳେ ଇଣ୍ଡୋନେସିଆର ନେତାମାନଙ୍କୁ ଉଦ୍ଧାର କରିବା ପାଇଁ ବିପଜ୍ଜନକ ଅଭିଯାନରେ ବାହାରିଲେ ଜ୍ଞାନ ଦେବୀ ଭୟ ନକରି ତାଙ୍କ ସହ ବିମାନରେ ସହ-ପାଇଲଟ୍ ଭାବେ ଯାଇଥିଲେ । ଶତ୍ରୁ ପକ୍ଷର ଗୁଳିମାଡ଼ର ଭୟ ଥାଇ ମଧ୍ୟ ସେ ବିଜୁ ବାବୁଙ୍କ ହାତ ଛାଡ଼ି ନଥିଲେ । ଯାହାକି ପ୍ରକୃତ ଜୀବନସାଥୀର ସଜ୍ଞା ଏବଂ ପ୍ରେମର ପରିଭାଷାକୁ ବୁଝାଏ ।
ବିଜୁ ବାବୁ ଯେତେବେଳେ ରାଜନୀତିରେ ବ୍ୟସ୍ତ ରହୁଥିଲେ କିମ୍ବା ଜେଲ୍ ଯାଉଥିଲେ, ଜ୍ଞାନ ଦେବୀ ଧୈର୍ଯ୍ୟର ସହ ଘର ଓ ପିଲାମାନଙ୍କୁ ଯଥା ପ୍ରେମ୍, ଗୀତା ଓ ନବୀନଙ୍କ ଯତ୍ନ ନେବା ସହ ସେମାନଙ୍କୁ ସମ୍ଭାଳୁଥିଲେ । ବିଜୁ ବାବୁ ସବୁବେଳେ କହୁଥିଲେ ଯେ ତାଙ୍କ ସଫଳତା ପଛରେ ତାଙ୍କ ଧର୍ମପତ୍ନୀଙ୍କର ବଡ଼ ହାତ ରହିଛି । ବିଜୁ ବାବୁ ଓ ଜ୍ଞାନ ପଟ୍ଟନାୟକଙ୍କ ପ୍ରେମ କେବଳ ଫୁଲ-ଚନ୍ଦନର ନଥିଲା, ଏହା ଥିଲା ଦୁଇଟି ସାହସୀ ଆତ୍ମାର ମିଳନ । ଯିଏ ପରସ୍ପରକୁ ସମ୍ମାନ ଦେଉଥିଲେ ଏବଂ ଜୀବନର ଶେଷ ପର୍ଯ୍ୟନ୍ତ ସାଥୀ ହୋଇ ରହିଥିଲେ ।
Follow Us