କନକ ବ୍ୟୁରୋ: ଗୁପଚୁପ୍ ପ୍ରତି ସମସ୍ତଙ୍କର ଦୁର୍ବଳତା ଥାଏ । ଖାସ୍ କରି ଅଧିକାଂଶ ଝିଅ ପିଲାଙ୍କ ଫେଭରେଟ୍ ଗୁପଚୁପ୍ ହୋଇଥାଏ । ହେଲେ ଜଣେ ମହିଳା ସାମାନ୍ୟ କେଇଟା ଗୁପଚୁପ୍ ପାଇଁ ଏମିତି ହଙ୍ଗାମା କରିଛନ୍ତି ଯାହା ଏବେ ତାଙ୍କୁ ଜାତୀୟ ଗଣମାଧ୍ୟମରେ ହେଡଲାଇନ୍ କରିଦେଇଛି ।
ଗୁଜରାଟ ଭଦୋଦରାରେ ଜଣେ ମହିଳାଙ୍କୁ ଦୁଇଟି ଗୁପଚୁପ କମ୍ ଦେଇଥିଲେ ଗୁପଚୁପ୍ ବିକାଳି । ଆଉ ଏହାପରେ ଆରମ୍ଭ ହୋଇଥିଲା ମହାଭାରତ । ଉକ୍ତ ମହିଳା ଜଣଙ୍କ ଦୋକାନୀ ସହ ଯୁକ୍ତିତର୍କ କରିବା ପରେ ଭଦୋଦରା ସୁରସାଗରର ରାସ୍ତା ମଝିରେ ଧାରଣା ଦେଇ ଅବରୋଧ କରିଥିଲେ । ସେ କହିବା ମୁତାବକ, ତାଙ୍କୁ ୨୦ ଟଙ୍କାରେ ୬ଟି ଗୁପଚୁପ୍ ବଦଳରେ କେବଳ ୪ଟି ଗୁପଚୁପ୍ ଦିଆଯାଇଥିଲା, ଗୁପଚୁପ୍ ବିକାଳୀକୁ ବାରମ୍ବାର କହିବା ପରେ ମଧ୍ୟ ସେ ଆଉ ୨ଟି ଗୁପଚୁପ୍ ଦେଇନଥଲେ, ଏହା ପରେ ସେ ରାସ୍ତା ମଝିରେ ବସି ଧାରଣା ଦେବା ସହ କାନ୍ଦିବାରେ ଲାଗିଲେ । ଆଉ ଯେ ପର୍ଯ୍ୟନ୍ତ ଆଉ ଦୁଇଟି ଗୁପଚୁପ ତାଙ୍କୁ ଦିଆଯାଇଛି ସେ ପର୍ଯ୍ୟନ୍ତ ଧାରଣାରୁ ଉଠିବେନି ବୋଲି କହିଥିଲେ ।
ମହିଳା ଜଣକ ଦୀର୍ଘ ସମୟ ଧାରଣା ଦେବା ଦେଖି ସେଠାରେ ଲୋକଙ୍କ ଭିଡ଼ ଜମିଥିଲା । କିଛି ଲୋକ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ, କିଛି ସମୟ ପରେ ପୁଲିସ ପହଞ୍ଚିବା ପରେ ପ୍ରତିବାଦ ଆହୁରି ନାଟକୀୟ ହୋଇଗଲା । ମହିଳା ଜଣକ କାନ୍ଦି ପକାଇଲେ ଏବଂ ତାଙ୍କୁ ନ୍ୟାୟ ଦେବାକୁ ପୁଲିସକୁ ଅନୁରୋଧ କରିଥିଲେ । ଗୁପଚୁପର ସଠିକ ପରିମାଣକୁ ନେଇ କିଛି ଘଣ୍ଟା ଧରି ଲାଗି ରହିବାରୁ ଟ୍ରାଫିକ୍ ଜାମ ମଧ୍ୟ ହୋଇଥିଲା ଶେଷରେ, ପୁଲିସ ମହିଳାଙ୍କୁ ରାସ୍ତାରୁ ଉଠାଇ ପରିସ୍ଥିତିର ସମାଧାନ କରିଥିଲା । ଗୁପଚୁପ୍ ବିକାଳୀଙ୍କୁ ଆଉ ଦୁଇଟି ଗୁପଚୁପ ଦେବାକୁ କହିଥିଲା ।