କନକ ବ୍ୟୁରୋ: ଆଉ ସିନେମା ଜଗତରେ ହେବନି 'କ୍ରାନ୍ତି'  । ମିଛରେ ହେଲେବି ‘ଶହୀଦ' ହୋଇ ଦେଶପ୍ରେମୀ ଅଭିନେତା ସାଜିପାରିବେନି କେହି  । 'ରୋଟି କପଡା ଔର ମକାନ' ତ ସଭିଁଏ ପାଇଯିବେ ହେଲେ ‘ପୂରବ ଔର ପଶ୍ଚିମ' ରୁ 'ମେରା ନାମ୍ ଜୋକର୍' ଆଉ ଶୁଭିବନି  । କାରଣ 'ଦେଶୱାସୀ' ଙ୍କୁ ପରକରି 'ହିମାଲୟ କୀ ଗୋଦ୍ ମେଁ' ସବୁଦିନ ପାଇଁ ଶୋଇପଡିଛନ୍ତି ଭେଟେରାନ 'ଭାରତ'  । 'ପଥର କେ ସନମ୍' ପରି ସିନେପ୍ରେମୀଙ୍କୁ ପଥର କରି ଅଲବିଦା କହିଦେଇଛନ୍ତି ଭାରତ କୁମାର ନାଁରେ ପରିଚିତ ଥିବା ବଲିଉଡ଼ର ପ୍ରସିଦ୍ଧ ଅଭିନେତା ମନୋଜ କୁମାର  । ୮୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ମନୋଜ କୁମାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି  । ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଆଖି ବୁଜିଛନ୍ତି ଏହି ବର୍ଷିଆନ୍ କଳାକାର ।

Advertisment

୧୯୩୭ ମସିହାରେ ବର୍ତ୍ତମାନର ପାକିସ୍ତାନର ଖାଇବର ଫଖତୁନଖାୱାରା ଜଣେ ପଞ୍ଜାବୀ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ମନୋଜ। ତାଙ୍କ ପିଲାଦିନର ନାଁ ଥିଲା ହରିକ୍ରିଷ୍ଣା ଗିରି ଗୋସ୍ୱାମୀ । ଏକାଧିକ ହିଟ୍ ଫିଲ୍ମ ଭେଟିଦେଇଥିଲେ ବି ଉପକାର ଫିଲ୍ମର ‘ମେରେ ଦେଶ କି ଧରତି’ ଗୀତ ପାଇଁ ବେଶ ଜଣାଶୁଣା ଥିଲେ ମନୋଜ କୁମାର । ୧୯୫୭ ମସିହାରେ ଫ୍ୟାସନ୍ ଫିଲ୍ମରୁ ଡେବ୍ୟୁ କରି ଆଉ ପଛକୁ ଫେରି ଚାହିଁନଥିଲେ ମନୋଜ । ୬୦ ଓ ୭୦ ଦଶକରେ ଦର୍ଶକଙ୍କୁ ଭେଟିଦେଇଥିଲେ ବହୁ ସୁପରହିଟ୍ ଫିଲ୍ମ । ଉପକାର ଫିଲ୍ମ ପାଇଁ ୧୯୬୭ ମସିହାରେ ତାଙ୍କୁ ଜାତୀୟ ଚଳଚିତ୍ର ପୁରସ୍କାର ମିଳିଥିଲା । ୧୯୬୪ରୁ ୧୯୮୦ ଥିଲା ମନୋଜ କୁମାରଙ୍କ ସ୍ୱର୍ଣ୍ଣିମ ଯୁଗ । ୧୯୮୧ର କ୍ରାନ୍ତି ଥିଲା ଭାରତୀୟ ସିନେମା ଜଗତର ଅନ୍ୟଏକ ମାଇଲଖୁଣ୍ଟ ।

https://www.facebook.com/share/v/166sUqmzr9/

ପରେ ପରେ ସହୀଦ, ସୋର, ରୋଟି କପଡା ଔର ମକାନ, ପୁରବ ଔର ପଶ୍ଚିମ, ମେରା ନାମ ଜୋକର, ଦଶ ନମ୍ବରୀ, ସହିତ ଶହେରୁ ଅଧିକ ଫିଲ୍ମରେ ମନୋଜଙ୍କ ଯାଦୁଗରି ଅଭିନୟ ପ୍ରତିଟି ଦର୍ଶକଙ୍କ ମନଜିଣିଥିଲା । ୧୯୯୨ରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୧୯୯୯ରେ ଜୀବନ ବ୍ୟାପୀ ସାଧନା ପାଇଁ ଲାଇଫ୍ ଟାଇମ୍ ସମ୍ମାନ ପାଇଥିଲେ ମନୋଜ । ୨୦୧୫ରେ ଫିଲ୍ମ ଜଗତର ଶ୍ରେଷ୍ଠ ସମ୍ମାନ, ଦାଦା ସାହେବ ଫାଲକେରେ ସମ୍ମାନିତ ହୋଇଥିଲେ ମନୋଜ କୁମାର । ସେ ମୋଟ୍ ୭ ଥର ଫିଲ୍ମ ଫେୟାର ଆୱାର୍ଡରେ ସମ୍ମାନୀତ ହୋଇଛନ୍ତି ।

ସମଗ୍ର ଦେଶରେ ଦେଶାତ୍ମବୋଧକ ଫିଲ୍ମ ପାଇଁ ଭାରତ କୁମାର ନାଁରେ ତାଙ୍କର ଅଧିକ ପରିଚିତି ରହିଥିଲା । ଖାସ୍ କରି, ସେ କ୍ରାନ୍ତି ଏବଂ ଉପକାର ଭଳି ଦେଶପ୍ରେମପୂର୍ଣ୍ଣ ଚଳଚ୍ଚିତ୍ର ପାଇଁ ପ୍ରସିଦ୍ଧ ଥିଲେ । ମନୋଜଙ୍କ ମୃତ୍ୟୁ ଖବର ପାଇବା ପରେ କେବଳ ବଲିଉଡ ନୁହେଁ ସାରା ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି ।