କନକ ବ୍ୟୁରୋ: ଚିତ୍କାର ପରେ ଚାରିଆଡ଼େ ଖେଳାଇ ହୋଇ ପଡ଼ିଛି ମୃତ୍ୟୁର ମୁକସାକ୍ଷୀ ପାଲଟିଥିବା ସେ ମାଳମାଳ ଚପଲ । ଚିନ୍ନାସ୍ବାମୀ ଷ୍ଟାଡିୟମ୍ ବାହାରେ ପଡ଼ିଥିବା ଛିଣ୍ଡା ଚପଲ ଭିତରେ କିଏ ନିଜର ପୁଅକୁ ଖୋଜୁଛି ତ କିଏ ନିଜ ଭଉଣୀ-ଭାଇକୁ… ସେଲିବ୍ରେସନ୍ ଯେବେ ଜୀବନର ଶେଷ ଠିକଣା ପାଲଟିଯାଏ, ଆଇପିଏଲ୍ ଚାମ୍ପିଅନଙ୍କୁ ଯେତେବେଳେ ଫ୍ୟାନ୍ସଙ୍କ ଚିତ୍କାର ଶୁଣାନଯାଏ, ସେତେବେଳେ ସାମ୍ନାକୁ ଆସେ ବିଜୟ ପରେଡର ହୃଦୟ ବିଦାରକ ଚିତ୍ର…
୧୭ ବର୍ଷ ଅପେକ୍ଷାର ଅନ୍ତ କରି ଆଇପିଏଲର ୧୮ ବର୍ଷରେ ଟ୍ରଫି ହାତେଇଲା ବେଙ୍ଗାଲୁରୁ । ହେଲେ ଏ ଟ୍ରଫି ତଳେ ନିରୀହ ଫ୍ୟାନ୍ସମାନେ ଚାପି ହୋଇ ପ୍ରାଣ ହରାଇବେ ତାହା କେହି କେବେ କଳ୍ପନା ବି କରିନଥିଲେ । ଗୋଟିଏ ପଟେ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ଭିତରେ ଚାମ୍ପିଅନ୍ ଆରସିବିର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲିଥିଲା ଆଉ ଗେଟ୍ ଏପଟେ ଚାଲିଥିଲା ଦଳାଚକଟା । ଅସମ୍ଭାଳ ଭିଡ଼ ଯୋଗୁଁ ଅଣନିଶ୍ବାସୀ ହେଉଥିଲେ ଜଣକ ପରେ ଜଣେ ଫ୍ୟାନ୍ସ । ଯିଏ ଯୁଆଡ଼େ ପାଇଲା ସିଆଡ଼େ ଜୀବନ ବଞ୍ଚାବାକୁ ଦୌଡ଼ିବାକୁ ଲାଗିଲା । କେହି କିଛି ବୁଝିବା ପୂର୍ବରୁ ଗେଟ୍ ନମ୍ବର-୭ ପାଲଟି ଯାଇଥିଲା ମଶାଣି । ନିଜ ପ୍ରିୟ ଟିମର ବିଜୟ ପରେଡରେ ସାମିଲ ହୋଇ ଜୀବନ ହାରିଛନ୍ତି ୧୧ ଜଣ ଫ୍ୟାନ୍ସ ।
/kanak/media/media_files/2025/06/06/xu13gOeOGObdgxwebL3T.jpg)
ଏ ଛାତିଥରା ଚିତ୍ର ସବୁ ବୟାନ କରୁଛି ଭାରତରେ ଜୀବନର ମୂଲ୍ୟ ଆଇପିଏଲ୍ ଟ୍ରଫି ଆଗରେ କିଛି ନୁହେଁ । କାରଣ ଏଠି ଭୂତାଣୁରେ ନୁହେଁ ଭିଡ଼ରେ ବି ଜୀବନ ଯାଏ, ଦଳାଚକଟାରେ ବି କାହାର ସଂସାର-ଦୁନିଆ ଉଜୁଡ଼ିଯାଏ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଏ ପ୍ରାଣ ନେଉଥିବା ପରେଡ୍ ପଛରେ ଠିକାଦାର ସାଜି ମୃତ୍ୟୁକୁ ନିମନ୍ତ୍ରଣ ଦେଇଥାଆନ୍ତି ସରକାର ଓ ସ୍ଥାନୀୟ ପ୍ରଶାସନ । ପରେ ଉପରକୁ ହାତ ଟେକିଦେଲା ଭଳି ଆଇନ-କାନୁନର ଦ୍ବାହି ଦେଇ ତଦନ୍ତ କମିଟି ବସାଇ ମୁଣ୍ଡରୁ ଦୋଷ ଖସାଇ ଦିଅନ୍ତି ଦୋମୁହାଁ ନେତା ।
/kanak/media/media_files/2025/06/06/hwMxz9QqNTv9etpDPunE.jpg)
ଏତେ ସବୁ ପରେ ସାଧାରଣରେ ପ୍ରଶ୍ନ ଉଠୁଛି...ଯେଉଁ ବେଙ୍ଗାଲୁରୁ ସହରରେ ଟ୍ରାଫିକ୍ ନିୟନ୍ତ୍ରଣ କରିବାକୁ ସରକାର ନାକରେ ପାଣି ପିଇଦିଅନ୍ତି ସେଠି ଅଚାନକ ଏଭଳି ବିଜୟ ପରେଡ୍ କରିବାକୁ ଅନୁମତି ଦେଲା କିଏ ? ୩୫ ହଜାର ସିଟ୍ କ୍ଷମତା ବିଶିଷ୍ଟ ଷ୍ଟାଡିୟମରେ ୨ ଲକ୍ଷ ଲୋକଙ୍କୁ ନିମନ୍ତ୍ରଣ ଦେଇଥିଲା କିଏ ? ଯଦି କର୍ଣ୍ଣାଟକ ସରକାର ଧୁଆ ମୂଳା ପରି ନିଜକୁ କହୁଛନ୍ତି, ତେବେ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଏ ଗ୍ରାଣ୍ଡ୍ ସେଲିବ୍ରେସନରେ ସାମିଲ ହେଲେ କେମିତି ? ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଫ୍ୟାନ୍ସଙ୍କ ପାଗଳାମିକୁ କାବୁ କରିବାରେ ପ୍ରକୃତରେ କିଏ ବିଫଳ ହେଲା ତାହା ତଦନ୍ତ ହେଲେ ହିଁ ଜଣାପଡ଼ିବ ।