କନକ ବ୍ୟୁରୋ : ଯୁଦ୍ଧର ନିଆଁରେ ଗାଜାର ଭବିଷ୍ୟତ ଅନ୍ଧାର । ଯେତେ ଚେଷ୍ଟା କଲେ ବି ଅଣ୍ଟା ସଳଖି ଛିଡ଼ା ହୋଇପାରୁନି ଗାଜା । ଚାରିଆଡ଼େ ହାହାକାର, ଶୁଭୁଛି ଆର୍ତ୍ତଚିତ୍କାର । ଖାଦ୍ୟ ଆଉ ପାଣି ବିନା ଚାଲିଯାଉଛି ଜୀବନ । ପାଦେ ପାଦେ ପଡ଼ି ରହିଛି ବାପା, ଭାଇ, ମା’ ଓ ସମ୍ପର୍କୀୟଙ୍କ ମର ଶରୀର । ନିଜ ଲୋକ ପାଇଁ ଟିକିଏ କାନ୍ଦି ବି ପାରୁନି ମଣିଷ । ରାଗ ଆଉ ପ୍ରତିଶୋଧର ଲଢ଼େଇରେ ଗୁମୁରି କାନ୍ଦୁଛି ବିଶ୍ବ ମାନଚିତ୍ରରୁ ଲିଭିବାକୁ ବସିଥିବା ଗାଜା...

Advertisment

ଆକାଶରୁ ଖସୁଛି ମୃତ୍ୟୁ
ପ୍ରତି ମୁହୂର୍ତ୍ତରେ ସଂଘର୍ଷ
ଗତକାଲି ଇସ୍ରାଏଲ ସେନା ଗାଜା ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି । ଆକାଶରୁ ଘନ ଘନ ରକେଟ୍ ମାଡ଼ ହୋଇଛି । ଏଥିରେ ୬୨ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ଶତାଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଖାଦ୍ୟ ପାଇଁ ଏକ ରିଲିଫ କେନ୍ଦ୍ରରେ ଅପେକ୍ଷା କରିଥିବା ୧୯ ଜଣ ବ୍ୟକ୍ତି ଅଛନ୍ତି । ଗତକାଲି ରାତିରୁ ଗାଜାର ବିଭିନ୍ନ ସ୍ଥାନରେ ଇସ୍ରାଏଲୀ ସେନା ବବି ଟ୍ରାଫ୍‌ଡ ରୋବୋଟ, ଟ୍ୟାଙ୍କ, ରକେଟ୍ ଓ ଡ୍ରୋନ ମାଧ୍ୟମରେ ଆକ୍ରମଣ କରିଛି । ଏହାକୁ ମିଶାଇ ଗାଜାରେ ଇସ୍ରାଏଲ ଆକ୍ରମଣରେ ମୃତ୍ୟୁସଂଖ୍ୟା ୬୦ ହଜାର ଅତିକ୍ରମ କରିଛି । 

ତଥ୍ୟ ଅନୁସାରେ ଗତ ୨୦୨୩ ଅକ୍ଟୋବରରୁ ଇସ୍ରାଏଲ ଆକ୍ରମଣରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୬୦,୦୩୪ରେ ପହଞ୍ଚିଛି । ସେପଟେ ଖାଦ୍ୟାଭାବ ଯୋଗୁ ଗାଜାରେ ଅନାହାର ପରିସ୍ଥିତି ସୃଷ୍ଟି ହୋଇଛି । ଗତ ଏପ୍ରିଲରୁ ଜୁଲାଇ ମଧ୍ୟରେ ୨୦ ହଜାରରୁ ଅଧିକ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ହଜାର ଗୁରୁତର ମଧ୍ୟ ଅଛନ୍ତି । ମାର୍ଚ୍ଚ ୧ତାରିଖ ୨୦୨୫ରେ ଆସିଥିବା ଏକ ରିପୋର୍ଟ କଥା ଯଦି କହିବା ତାହେଲେ, ଗାଜାରେ ମାର୍ଚ୍ଚ ୧ତାରିଖ ସୁଦ୍ଧା ୫୧ ମିଲିୟନ୍ ଟନ୍‌ରୁ ଅଧିକ ଧ୍ବଂସାବଶେଷ ପଡ଼ି ରହିଥିଲା । ପାଖାପାଖି ୩୬୦ ବର୍ଗକିଲୋମିଟର କ୍ଷେତ୍ରରେ ଥିବା ୬୦ ପ୍ରତିଶତରୁ ଅଧିକ ଘର ଏବଂ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଧ୍ବଂସାବଶେଷ ତଳେ ଏତେ ମୃତ ଦେହ ପୋତି ହୋଇ ରହିଛି ତାହା କଳ୍ପନା ବାହାରେ । ଧ୍ବଂସାବଶେଷକୁ ସଫା କରିବା ବେଳେ ଶହ ଶହ ମୃତ ଶରୀର ବାହାରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଯାହା ଗାଜାର କଷ୍ଟକୁ ବଖାଣୁଛି...

ତେବେ ହମାସର ଆକ୍ରମଣ ପରଠାରୁ ଇସ୍ରାଏଲର ଏକମାତ୍ର ଲକ୍ଷ୍ୟ ହେଉଛି ପ୍ରତିଶୋଧ । ଆଉ ହମାସର ବିନାଶ ହେବା ପରେ ହିଁ ଇସ୍ରାଏଲର ପ୍ରତିଶୋଧ ସମ୍ପୂର୍ଣ୍ଣ ହେବ । ହମାସ ସେତେବେଳେ ବିନାଶ ହେବ, ଯେତେବେଳେ ହମାସ କବ୍ଜାରେ ଥିବା ଗାଜା ପଟି ଇସ୍ରାଏଲ୍ କବ୍ଜାକୁ ଆସିବ । ଯାହାକୁ ନେଇ ଏବେ ବି ଆକ୍ରମଣ ଜାରି ରଖିଛି ଇସ୍ରାଏଲ୍ । 

ଗାଜାରେ ଜୀବନ ବଞ୍ଚଇବା ପାଇଁ ପ୍ରତିମୁହୂର୍ତ୍ତରେ ଲୋକେ ସଂଘର୍ଷ କରୁଛନ୍ତି । କାହାର ଆୟୁଷ କେତେବେଳେ ପୁରିଯିବ ତାହା କିଏ ବା ଜାଣେ । କାହାରିକୁ ଜଣା ନାହିଁ କେଉଁ ମୁହୂର୍ତ୍ତରେ କେଉଁଠି ବମ୍ ପଡ଼ିବ । କେଉଁଠି ଲୁଚିବ ମଣିଷ... ଏଠି ବୋମା ମାଡ଼ରୁ ବଞ୍ଚିଗଲେ ଭୋକ ଶୋଷ ମାରିଦେଉଛି । ଇସ୍ରାଏଲର ପ୍ରତିଶୋଷଧ ନିଆଁରେ ଜଳିପୋଡ଼ି ଛାରଖାର ହୋଇଗଲାଣି ଗାଜା ସିଟି ।