କନକ ବ୍ୟୁରୋ: ରାସ୍ତାରେ ଆଉ ଗଡ଼ିବନି ପୁରୁଣା ଗାଡ଼ି । ଏନେଇ ଦିଲ୍ଲୀ ସରକାର ବଡ଼ ନିଷ୍ପତ୍ତି ନେଇଥିଲେ । ଖାଲି ନିଷ୍ପତ୍ତି ନେଇଥିଲେ ତାହା ନୁହେଁ ବରଂ ପୁରୁଣା ଗାଡ଼ି ଉପରେ ମୋଟା ଫାଇନ୍‌ ଦେବାକୁ ନିର୍ଦ୍ଦେଶ ଜାରି ହୋଇଥିଲା । ଖାସ୍‌ କରି ପେଟ୍ରୋଲ୍‌ ପମ୍ପରେ ପୁରୁଣା ଗାଡ଼ି ଦେଖିବା ମାତ୍ରେ ସଙ୍ଗେ ସଙ୍ଗେ ଆକ୍ସନ ନେବାକୁ କୁହାଯାଇଥିଲା । ଯାହାକୁ ନେଇ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା । ମାମଲା ଯାଇ ପହଞ୍ଚିଥିଲା ସୁପ୍ରିମକୋର୍ଟରେ । ଶେଷରେ କୋର୍ଟ ରାୟ ଦେଇ କହିଛନ୍ତି ଯେ ବର୍ତ୍ତମାନ ପୁରୁଣା ଗାଡ଼ି ଉପରେ କୌଣସି ଫାଇନ୍‌ ପଡ଼ିବ ନାହିଁ । ଅର୍ଥାତ୍‌ ୪ ସପ୍ତାହ ପର୍ଯ୍ୟନ୍ତ ଜରିମାନା ଛାଡ଼ କରାଯିବ । ଏନେଇ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରକୁ ନୋଟିସ୍‌ କରିଛନ୍ତି ।  

Advertisment

ପୁରୁଣା ଗାଡ଼ି ମାଲିକଙ୍କ ପାଇଁ ବଡ଼ ଆଶ୍ୱସ୍ତି
୪ ସପ୍ତାହ ପାଇଁ ହେବନି କୌଣସି କାର୍ଯ୍ୟାନୁଷ୍ଠାନ
ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ଦିଲ୍ଲୀ ସରକାରଙ୍କୁ ସୁପ୍ରିମ ନୋଟିସ୍‌
ଏବେ ପୁରୁଣା ଗାଡ଼ିରୁ ଆଦାୟ କରନି ଜରିମାନା

ଦିଲ୍ଲୀରେ ଦିନକୁ ଦିନ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି । ସ୍ଥିତି ବିଗିଡ଼ୁଥିବାରୁ ଅଡ୍‌ ଏଣ୍ଡ ଇଭେନ୍‌ ଲାଗୁ କରିଛନ୍ତି ସରକାର । ଏହାପରେ ବି ପୁରୁଣା ଗାଡ଼ିକୁ ସହରରୁ ସଂପୂର୍ଣ୍ଣ ବାଦ୍‌ ଦେବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବା ପରେ କୋର୍ଟ ମାମଲାର ବିଚାର କରି ୪ ସପ୍ତାହ ପର୍ଯ୍ୟନ୍ତ ମହଲତ ଦେଇଛନ୍ତି । ପ୍ରଧାନ ବିଚାରପତି ବି.ଆର. ଗଭାଇଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ଦିଲ୍ଲୀ ସରକାରଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନର ଶୁଣାଣି କରି ଏହି ମଧ୍ୟବର୍ତ୍ତୀକାଳୀନ ଆଦେଶ ଦେଇଛନ୍ତି । 

ସୁପ୍ରିମକୋର୍ଟରେ କି ଯୁକ୍ତି ରଖିଲେ ଦିଲ୍ଲୀ ସରକାର

ପୁରୁଣା ଗାଡ଼ି ବ୍ୟାନ୍‌କୁ ନେଇ ସୁପ୍ରିମକୋର୍ଟରେ ଯୁକ୍ତି ବାଢିଥିଲେ ଦିଲ୍ଲୀ ସରକାର । ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ବାଢିଥିଲେ ଯେ କେବଳ ଗାଡ଼ିର ବୟସ ଆଧାରରେ ଏକ ସାମୂହିକ ପ୍ରତିବନ୍ଧକ ଲଗାଇବା ଆଦୌ ଠିକ୍‌ ନୁହେଁ । ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଏକ ଗାଡ଼ି ରାସ୍ତାରେ ଚାଲିବା ପାଇଁ ଫିଟ୍ କି ନୁହେଁ, ତାହା ତା'ର ପ୍ରକୃତତଥ୍ୟ ଜାଣିବାର ଆବଶ୍ୟକତା ରହିଛି । ଅନେକ ପୁରୁଣା ଗାଡ଼ିର ଅବସ୍ଥା ଏବେ ବି ଠିକ୍‌ ରହିଛି । ତେଣୁ ସେନେଇ ବିଚାରବିମର୍ଷ କରିବାର ଆବଶ୍ୟକତା ରହିଛି ।

କଣ କହିଲେ ସୁପ୍ରିମକୋର୍ଟ ?

ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ଯୁକ୍ତିକୁ ବିଚାରକୁ ନେଇ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରିଛନ୍ତି । ଖଣ୍ଡପୀଠ କହିଛନ୍ତି, ବର୍ତ୍ତମାନ ସମୟରେ ଡିଜେଲ ଗାଡ଼ି କ୍ଷେତ୍ରରେ  ୧୦ ବର୍ଷ ଏବଂ ପେଟ୍ରୋଲ ଗାଡ଼ି କ୍ଷେତ୍ରରେ ୧୫ ବର୍ଷ ପୁରୁଣା ହୋଇଥିବା ପରେ ବି ମାଲିକମାନଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଏବେ ଗ୍ରହଣ କରାଯିବ ନାହିଁ। ଏହି ମାମଲାରେ କେନ୍ଦ୍ର ସରକାର ଏବଂ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM)କୁ ମଧ୍ୟ ନୋଟିସ୍ ଜାରି କରାଯାଇଛି ଏବଂ ଚାରି ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । 

ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଦିଲ୍ଲୀ-ଏନସିଆରର ହଜାର ହଜାର ଗାଡ଼ି ମାଲିକଙ୍କ ପାଇଁ ଏକ ଆଶ୍ୱସ୍ତି ଆଣି ଦେଇଛି । ତେଣୁ ଏବେ ପୁରୁଣା ଗାଡ଼ି ରାସ୍ତାରେ ଗଡ଼ିଲେ ବି କୌଣସି ଜରିମାନା ଦେବାକୁ ପଡ଼ିବ ନାହିଁ।