କନକ ବ୍ୟୁରୋ: ଚଳିତ ଏସିଆ କପ୍ ବେଳେ ପାକିସ୍ତାନ ଟିମକୁ ନେଇ ବିବାଦ ପରେ ବିବାଦ ଦେଖିବାକୁ ମିଳିଥିଲା । ପିସିବି ଅଧ୍ୟକ୍ଷ ମୋହସିନ୍ ନକଭିଙ୍କ ଠାରୁ ଆରମ୍ଭ କରି ପାକ୍ ଖେଳାଳିଙ୍କ ବିବାଦୀୟ ସେଲିବ୍ରେସନ କ୍ରିକେଟ ଜଗତରେ କଳଙ୍କିତ ଇତିହାସ ରଚିଥିଲା ପାକ୍ । ଏସବୁ ବିବାଦ ଥମିନଥିବାବେଳେ ପାକ୍ ସରକାରଙ୍କ ମୁଖା ଖୋଲିଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର । ପୂର୍ବତନ ପାକିସ୍ତାନୀ ସ୍ପିନର ସଇଦ ଅଜମଲଙ୍କ ଏକ ବୟାନ ସୋସିଆଲ ମିଡିଆରେ ପାକିସ୍ତାନକୁ ବେଜ୍ଜିତ କରିଛି ।
ସଇଦ ଅଜମଲ କହିଛନ୍ତି ଯେ ୨୦୦୯ ଟି୨୦ ବିଶ୍ୱକପ୍ ଜିତିବା ପରେ ନିଜ ଦେଶର କ୍ରିକେଟ୍ ଟିମ ସହ ତାଙ୍କ ସରକାର ବିଶ୍ୱାସଘାତକତା କରିଥିଲେ । ଇଂଲଣ୍ଡର ଲର୍ଡସରେ ଖେଳାଯାଇଥିବା ଫାଇନାଲରେ ପାକିସ୍ତାନ ଟାଇଟଲ ଜିତିଥିଲା ଏବଂ ପୂରା ପାକ୍ ସେଲିବ୍ରେସନ୍ କରିବାରେ ମଜିଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ୟୁସୁଫ୍ ରାଜା ଗିଲାନି ପ୍ରତ୍ୟେକ ଖେଳାଳିଙ୍କୁ ୨୫ ଲକ୍ଷ ପାକିସ୍ତାନୀ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଯେତେବେଳେ ଟଙ୍କା ବଣ୍ଟନ କରିବାର ସମୟ ଆସିଲା, ସରକାର ସେମାନଙ୍କୁ ଚେକ୍ ଦେଇଥିଲେ, ଯାହା ପରେ ବାଉନ୍ସ ହୋଇଗଲା ।
ଅଜମଲ ଏକ ପଡକାଷ୍ଟରେ କହିଛନ୍ତି, "ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଚେକ୍ ବାଉନ୍ସ ହୋଇପାରେ ବୋଲି ମୁଁ ଆଶ୍ଚର୍ଯ୍ୟ ହୋଇଥିଲି । ପରେ, ଯେତେବେଳେ ଖେଳାଳିମାନେ ଏହି ବିଷୟରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ସହିତ ଯୋଗାଯୋଗ କରିଥିଲେ, ସେମାନେ ଏନେଇ ମୁହଁ ଖୋଲିନଥିଲେ । ପିସିବି କହିଥିଲା ଯେ ଏହା ଏକ ସରକାରୀ ପ୍ରତିଶ୍ରୁତି ଥିଲା, ବୋର୍ଡର ନୁହେଁ । ଶେଷରେ, ଖେଳାଳିମାନେ କେବଳ ଆଇସିସିରୁ ସିଧାସଳଖ ପୁରସ୍କାର ରାଶି ପାଇଥିଲେ ।"
ବଡ଼କଥା ହେଉଛି ସଇଦ ଅଜମଲ ସେହି ୨୦୦୯ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ପାଇଁ ଜଣେ ଷ୍ଟାର ଖେଳାଳି ପ୍ରମାଣିତ ହୋଇଥିଲେ । ସେ ୧୨ଟି ୱିକେଟ୍ ନେଇଥିଲେ ଏବଂ ଦଳର ବିଜୟରେ ତାଙ୍କର ବଡ଼ ଯୋଗଦାନ ଥିଲା । ହେଲେ ଏଭଳି ନିଜ ଖେଳାଳିଙ୍କୁ ଠକିବା ଥିବାନେଇ ପୋଲ୍ ଖୋଲିଛନ୍ତି ପୂର୍ବ ପାକ୍ ଖେଳାଳି । ଯାହାକୁ ନେଇ ପାକିସ୍ତାନ ସରକାର ଉପରେ ଛି ଛି କରୁଛନ୍ତି ଲୋକେ ।