କନକ ବ୍ୟୁରୋ: ସରିଲା ପରୀକ୍ଷା, ହେଲେ ଫେରିଲାନି ପୁଅ । ଘରକୁ ଯିବା ପାଇଁ କେତେ ଖୁସି କେତେ କ’ଣ ସ୍ବପ୍ନ ଦେଖିଥିଲେ, ହେଲେ ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଗଲେ । କୋରାପୁଟ ନବୋଦୟ ବିଦ୍ୟାଳୟର ୩ ଜଣ ଛାତ୍ରଙ୍କ ସଲିଳ ସମାଧି ଏବେ ସମଗ୍ର ଜିଲ୍ଲାକୁ ସ୍ତବ୍ଧ କରିଦେଇଛି ।
ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ଶେଷ ଦିନ । ମନରେ ଅସୁମାରୀ ଖୁସି ଆଉ ଆଖିରେ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ । ପରୀକ୍ଷା ସରିଲେ ଛୁଟିରେ ଘରକୁ ଫେରିବେ, ମା' ହାତର ରନ୍ଧା ଖାଇବେ । ହେଲେ ନିୟତିର ଖେଳ ଥିଲା କିଛି ଅଲଗା । କୋରାପୁଟ ପିଏମ୍ ଶ୍ରୀ ନବୋଦୟ ବିଦ୍ୟାଳୟର ୩ ମେଧାବୀ ଛାତ୍ର ସ୍ୱସ୍ତିକ ହାଲୱା, ଓମ ପ୍ରକାଶ ବେହେରା ଏବଂ ଲିଙ୍ଗରାଜ ଖିଲଙ୍କ ପାଇଁ ଶେଷ ପରୀକ୍ଷା ପାଲଟିଗଲା ଜୀବନର ଶେଷ ଦିନ ।
ଆହୁରି ପଢ଼ନ୍ତୁ: ନିୟନ୍ତ୍ରଣ ହରାଇ ୩ ଜଣଙ୍କୁ ଚାପିଦେଲା ଡିଟିସି ବସ୍
ମାଛରା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପରୀକ୍ଷା ଦେଇ ସମସ୍ତେ ଫେରିଥିଲେ । ଅଭିଭାବକମାନେ ପିଲାଙ୍କୁ ନେବା ପାଇଁ ବିଳମ୍ବ କରିବାରୁ, ଏହି ତିନି ବନ୍ଧୁ ଉପର କୋଲାବ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ । ହେଲେ ଅଥଳ ଜଳରାଶି ମଧ୍ୟରେ ଜଣକ ପରେ ଜଣେ ବୁଡ଼ିଯାଇ ହାରିଗଲେ ଜୀବନର ଯୁଦ୍ଧ ।
ଏହି ଦୁଃଖଦ ଘଟଣା ପରେ ଏବେ କୋରାପୁଟ ମେଡିକାଲ ପରିସରରେ ଶୋକାକୁଳ ପରିବେଶ । ଗୋଟିଏ ପଟେ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଦାୟୀ କରୁଥିବା ବେଳେ, ଅଭିଭାବକମାନେ ସ୍କୁଲର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ଅଭିଭାବକମାନେ ନପହଞ୍ଚିବା ପର୍ଯ୍ୟନ୍ତ କର୍ତ୍ତୃପକ୍ଷ କାହିଁକି ପିଲାଙ୍କୁ ବାହାରକୁ ଛାଡ଼ିଲେ? କାହିଁକି ରଖାଗଲାନି କଡ଼ା ନଜର ? ଘଟଣା ସ୍ଥଳରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ପୂର୍ବତନ ବିଧାୟକ ଓ ଅନ୍ୟ ନେତୃବୃନ୍ଦ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ।
ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୪ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି । କୋରାପୁଟ ତହସିଲଦାର, ଏସଡିପିଓ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ସ୍କୁଲରେ ପହଞ୍ଚି ତଥ୍ୟ ସଂଗ୍ରହ କରୁଛନ୍ତି । ଖୁବଶୀଘ୍ର ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯିବ । କିନ୍ତୁ ଏହି ତଦନ୍ତ କ'ଣ ସେହି ୩ଟି ନିଷ୍ପାପ ଜୀବନକୁ ଫେରାଇ ଆଣିପାରିବ ? ସେହି ମା’ ମାନଙ୍କ ଆଖିରୁ ଲୁହ ଆଉ ଛାତିରୁ କୋହ କ’ଣ କେବେ ଥମିବ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/03/09/15-kpt-student-death-raja-2026-03-09-16-42-31.jpg)