କନକ ବ୍ୟୁରୋ: କେତେବେଳେ ହସ କେତେବେଳେ କାନ୍ଦ ଆଉ କେତେବେଳେ ଅଳି ଅଝଟ । ଯେବେ ବିଧାତା ଜନ୍ମରୁ ବେସାହାରା କରିଦିଏ, ଭଗବାନ ଯେବେ ଜୀବନ-ଯନ୍ତ୍ରଣାର ପରୀକ୍ଷା ନିଅନ୍ତି ସେତେବେଳେ ଦେଖିବାକୁ ମିଳେ ଅସହାୟତାର ଚିତ୍ର । ମାଟିରେ ଘୁଷୁଡୁଥିବା ଦିବ୍ୟାଙ୍ଗ ଝିଅ ରଶ୍ମିତାର କାହାଣୀ ଆପଣ ଜାଣିଲେ ଆପଣଙ୍କ ଆଖି ଓଦା ହେଇଯିବ ।

Advertisment

ହସ ଖୁସି, ସାଙ୍ଗମାନଙ୍କ ସହ ଖେଳକୁଦ ଓ ସ୍କୁଲ ଯିବା ବୟସ ରଶ୍ମିତାଙ୍କ ପାଇଁ ପାଲଟି ଯାଇଛି ଅଭିଶାପ । କାରଣ ରଶ୍ମିତା ଜଣେ ମାନସିକ ତଥା ଶାରୀରିକ ଭିନ୍ନକ୍ଷମ । କୋରାପୁଟ ବୈପାରିଗୁଡାର ଧନିବାଲସା ଗ୍ରାମର ହରିବନ୍ଧୁ ଖରାଙ୍କ ୧୪ ବର୍ଷିୟା ଝିଅ ରଶ୍ମିତା, ଜନ୍ମରୁ ସେ ଭିନ୍ନକ୍ଷମ। ଦୁଇଟି ଗୋଡ଼ ଏବଂ ବାମ ହାତ ଅଚଳ ହୋଇପଡିଥିବାବେଳେ କଥା ମଧ୍ୟ କହି ପାରନ୍ତି ନାହିଁ ରଶ୍ମିତା । ଚାଲିବାକୁ ଅକ୍ଷମ ଥିବାରୁ ଗୋଟିଏ ହାତରେ ଗୁରୁଣ୍ଡି ଗୁରୁଣ୍ଡି ବୁଲନ୍ତି । ଆଶାର ଆଲୋକ ସାଜି ଦିବ୍ୟାଙ୍ଗ ଝିଅର ଆଶାବାଡ଼ି ସାଜିଛନ୍ତି ମା ଏବଂ ପଡ଼ୋଶୀ ମହିଳା । 

ଏପଟେ ଭିନ୍ନକ୍ଷମ ସଜାଇ ଯନ୍ତ୍ରଣା ଦେଇଛନ୍ତି ଇଶ୍ୱର । ସେପଟେ ଅବହେଳା କରିଛନ୍ତି ସରକାର । କାରଣ ଆଧାର କାର୍ଡ ନଥିବାରୁ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଅସହାୟ ଭଳି ଜୀବନ ବିତାଉଛନ୍ତି ରଶ୍ମିତା । ବୈପାରିଗୁଡା ଠାରୁ ଜୟପୁର ଆଧାର କେନ୍ଦ୍ରକୁ ଯାଇଥିଲେ ମଧ୍ୟ ଆଧାର କାର୍ଡ ହୋଇପାରିଲା ନାହିଁ । ମାନସିକ ତଥା ଶାରୀରିକ ଭିନ୍ନକ୍ଷମ ଥିଲେ ମଧ୍ୟ ତାଙ୍କୁ ସରକାରଙ୍କ ତରଫରୁ ଭତ୍ତା କିମ୍ବା ଚାଉଳ ମିଳିପାରି ନାହିଁ । 

https://www.facebook.com/share/v/18qzZe8KpE/

ବାପା ହରିବନ୍ଧୁ ଜଣେ ଦିନ ମଜୁରିଆ ହୋଇଥିବାରୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ତଥାପି ଧାର କରଜ କରି କୋରାପୁଟ ମେଡିକାଲ ପର୍ଯ୍ୟନ୍ତ ଚିକିତ୍ସା ପାଇଁ ନେଇଥିଲେ । କିନ୍ତୁ ଉନ୍ନତମାନର ଚିକିତ୍ସା ପାଇଁ ବଡ଼ ମେଡ଼ିକାଲକୁ ଯିବା ପାଇଁ ପରାମର୍ଶ ଦିଆଯିବାରୁ ଅର୍ଥାଭାବରୁ ଚିକିତ୍ସା କରି ପାରୁନାହାନ୍ତି । କୁଲି କାମ ଛାଡି ୨୪ ଘଣ୍ଟା ରଶ୍ମିତାଙ୍କ ପାଖରେ ଜଗି ବସୁଛନ୍ତି ମାଆ । ରଶ୍ମିତାଙ୍କ ଭିନ୍ନକ୍ଷମ ଭତ୍ତା ଏବଂ ଉନ୍ନତ ଚିକିତ୍ସା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ବାପା ହରିବନ୍ଧୁ ଏବଂ ଗ୍ରାମବାସୀ ।ସରକାର ବଦଳିଛି ହେଲେ ବଦଳିନି ରଶ୍ମିତାଙ୍କ ଭାଗ୍ୟ । ଭଗବନାଙ୍କ ଭରସାରେ ଏବେ ଭିନ୍ନକ୍ଷମ ରଶ୍ମିତା ଓ ତାଙ୍କ ପୂରା ପରିବାର । ଆମେ ଆଶା କରୁଛୁ ଏ ଖବର ଜାଣିବା ପରେ ରଶ୍ମିତାଙ୍କୁ ସହାୟତା ପାଇଁ ମୋହନ ସରକାର ଆଗେଇ ଆସିବେ, ଆଉ ଜଣେ ଦିବ୍ୟାଙ୍ଗଙ୍କ ବାକି ଜୀବନରେ ହସ ଭରି ଦେବେ ।