କନକ ବ୍ୟୁରୋ: ବାଃ ବାଃରେ ବ୍ୟବସ୍ଥା । ବାଃ ବାଃରେ ପ୍ରଶାସନ । ଏଇଠି ଥିଲା ବାଲାଙ୍କୁ ମିଳୁଛି, ନଥିଲା ବାଲାଙ୍କୁ ନାହିଁ । ଆଉ ନୁହେଁ ତ କଣ । ଭତ୍ତା ପାଇଁ କେମିତି ବୟୟ ଜାଲିଆତି ହେଉଛି ତାହା ପୁରୀ ଗୋପରୁ ସାମ୍ନାକୁ ଆସିଛି । ଜାଣି ଆଶ୍ଚର୍ଯ୍ୟ ହେବେ କି, ମାତ୍ର ୪ ବର୍ଷରେ ବୟସ ବଢିଯାଇଛି ୧୯ ବର୍ଷ । ହେଲେ ଏହା କେମିତି ସମ୍ଭବ ହେଲା  ତାହା ଏବେ ଚର୍ଚ୍ଚାରେ । 

Advertisment

ଭତ୍ତା ପାଇଁ ବୟସ ଜାଲିଆତି
୪ ବର୍ଷରେ ବୟସ ବଢ଼ିଗଲା ୧୯ ବର୍ଷ
କେମିତି ବାବୁ କାଗଜରେ କଲେ ଦସ୍ତଖତ

ଭତ୍ତା ପାଇଁ ସାଙ୍ଘାତିକ କେଳଙ୍କାରୀ । ମାତ୍ର କେଇ ଟଙ୍କା ଲାଗି ବୟସ ବଢାଇଦିଆଗଲା ୧୯ ବର୍ଷ । ଯେତେ ଲୁଚାଇଲେ ବି ଲୁଚୁନି ଗୋପ ବ୍ଲକ୍‌ର ଭତ୍ତା ଦୁର୍ନୀତି । ଗୋଟିଏ ଅନିୟମିତତା ଲୁଚାଇବାକୁ ପ୍ରଶାସନ ଉଦ୍ୟମ କରୁଥିଲା ବେଳେ ଅନ୍ୟ ଏକ ଅନିୟମିତତା ପଦାକୁ ଫୁଟି ବାହାରୁଛି । ଗତବର୍ଷ ଅର୍ଥାତ୍ ୨୦୨୪-୨୫ ଆର୍ଥିକ ବର୍ଷରେ ଗୋପ ଦେସ୍ଥଳୀ ପଞ୍ଚାୟତରେ ୧୨୦୦ ଟଙ୍କା ଭତ୍ତା ପାଉଥିଲେ ଜଣେ ୬୩ ବର୍ଷୀୟ ବୃଦ୍ଧ । ଚଳିତ ବର୍ଷ ଅପ୍ରେଲ୍ ମାସଠାରୁ ୮୨ ବର୍ଷ ବୟସ ଦେଖାଇ ୩୫୦୦ ଟଙ୍କା ଭତ୍ତା ହାତେଇଥିବା ଜଣାପଡ଼ିଛି । ୨୦୨୧ ମସିହା ଭୋଟର ତାଲିକାରେ ତାଙ୍କର ବୟସ ୬୩ ଥିବା ବେଳେ ୨୦୨୫ ମସିହା ବେଳକୁ ତାଙ୍କ ବୟସ ୮୨ ବର୍ଷ ହୋଇଯାଇଛି । ଠିକ୍ ସେହିପରି ତାଙ୍କର ଦୁଇ ଦୁଇଟି ଆଧାର କାର୍ଡ ମଧ୍ୟ ହସ୍ତଗତ ହୋଇଛି । ଯଦିଓ ଆଧାର କାର୍ଡର ନମ୍ବର ସମାନ କିନ୍ତୁ ଦୁଇଟିରେ ବୟସର ତାରତମ୍ୟ ରହିଛି । ଗୋଟିଏରେ ତାଙ୍କର ଜନ୍ମ ବର୍ଷ ୧୯୪୨ ଦର୍ଶାଇଥିବା  ବେଳେ ଅନ୍ୟଟିରେ ୧୯୫୯ ଉଲ୍ଲେଖ କରାଯାଇଛି ।

ସରକାରଙ୍କ ଯୋଜନା ପାଇବାକୁ ଭିନ୍ନଭିନ୍ନ ଲୋକ ଭିନ୍ନଭିନ୍ନ ପନ୍‌ଥା ଆଣାଉଛନ୍ତି । ଖାସ୍‌ କରି ଗୋପରେ ସୁଭଦ୍ରା ଟଙ୍କା ଦୁର୍ନୀତି ହୋଇଥିବା ବେଳେ ଏବେ ଭତ୍ତାରେ ବି ବ୍ୟାପକ ଦୁର୍ନୀତି ହୋଇଛି । ଏବେ ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ପରି ସ୍ଥିତି ହେଲାଣି । କଥାହେଲା ଘଟଣା ଜଣାପଡ଼ିବା ପରେ ପ୍ରଶାସନ ଓ କିଛି ରାଜନେତା ଏହି ଘଟଣାକୁ ଚାପି ଦେଉଥିବା ଅଭିଯୋଗ ହୋଇଛି । ତଦନ୍ତ ଆଳରେ କେବଳ ସମୟ ଗଡ଼ାଉଥିବା ନେଇ ଅଭିଯୋଗ ହୋଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ତଦନ୍ତ ଆଳରେ ଫାଇଲ୍‌କୁ ଗାୟବ୍‌ କରିବା ପାଇଁ ଅପଚେଷ୍ଟା କରାଯାଉଥିବା ବୋଲି ଅଭିଯୋଗ ହୋଇଛି ।

ଅନ୍ୟପକ୍ଷରେ ଗୋପ ବ୍ଲକ୍‌ ସାମାଜିକ ସୁରକ୍ଷା ଅଧିକାରୀ ମମତା କୁମାରୀ ଜେନା ବାରମ୍ବାର ତଦନ୍ତ ଚାଲିଛି ବୋଲି କହୁଛନ୍ତି । ତେବେ ତଦନ୍ତ କେବେ ସରିବ ଓ  ଫଳାଫଳ କଣ ହେଲା ସେ ସଂପର୍କରେ କିଛି କହୁ ନାହାନ୍ତି । ବର୍ତ୍ତମାନ ଦାୟିତ୍ବରେ ଥିବା ବିଡିଓ ଓ ସାମାଜିକ ସୁରକ୍ଷା ଅଧିକାରୀଙ୍କ ସମୟରେ ଏହି ଭତ୍ତା ଦୁର୍ନୀତି ହୋଇଥିବାରୁ ସେମାନେ କେତେ ନିରପେକ୍ଷ ଭାବେ ତଦନ୍ତ କରିବେ ସେ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ଗତ ଜନଶୁଣାଣି ଶିବିରରେ ଉପଜିଲ୍ଲାପାଳ ରାଜକିଶୋର ଜେନା ଏହି ଘଟଣାକୁ ନେଇ ତନାଘନା କରିଥିଲେ । କିନ୍ତୁ ଗୋପ ବିଡିଓ ଏହି ଘଟଣାରେ ଆଦୌ ସ୍ବଚ୍ଛତା ଅବଲମ୍ବନ କରୁନଥିବା ଅଭିଯୋଗ ହୋଇଛି । ଏପଟେ ପ୍ରତିକ୍ରିୟା ରଖିଛନ୍ତି ବିଡିଓ ଓ ବିଏସ୍‌ଏସ୍ଓ । ଏବେ ସମୟ କହିବ କେବେ ଦୁର୍ନୀତିର ପର୍ଦ୍ଦାଫାସ ହେଉଛି ।