କନକ ବ୍ୟୁରୋ: ସରିଲା ୨୦୨୫ ବର୍ଷର ୬ ମାସ । ଜାନୁଆରିରୁ ଜୁନ୍, ଏହି ୬ ମାସରେ ଦେଶ ଦେଖିଛି ବଡ଼ ବଡ଼ ଦୁର୍ଘଟଣା । ୨୦୨୫ ବର୍ଷର ଅଧା ବର୍ଷ ଖୁସି କମ୍ ଦୁଃଖ ଅଧିକ ଆଣିଦେଇଛି । ମହାକୁମ୍ଭ ଦଳାଚକଟାଠୁ ଆରମ୍ଭ କରି ମହାପ୍ରଭୁଙ୍କ ରଥଯାତ୍ରା ଅଘଟଣ ଭଳି ଅନେକ ଦୁଃଖଦାୟକ ଖବର ଦେଶବାସୀଙ୍କୁ ବ୍ୟଥିତ କରିଛି । ସେଥିପାଇଁ ତ ୨୦୨୫କୁ ଅଶୁଭ ବର୍ଷ ବୋଲି କହୁଛନ୍ତି ଲୋକେ ।
ଚଳିତ ବର୍ଷ ଆରମ୍ଭ ପୂର୍ବରୁ ଜ୍ୟୋତିର୍ବିଦମାନେ ଯାହା ଯାହା ଭବିଷ୍ୟବାଣୀ କରିଥିଲେ ସେଗୁଡ଼ିକ ସବୁ ଧୀରେ ଧୀରେ ସତ ହେବାରେ ଲାଗିଛି । ୨୦୨୫ ବର୍ଷର ୬ ମାସ ସରିଥିବାବେଳେ ଦେଶ ଦେଖିସାରିଲାଣି ଅନେକ ଦୁଃଖଦାୟକ ଖବର । ଚଳିତ ବର୍ଷର ପ୍ରଥମ ମାସରୁ ହିଁ ଘଟିଥିଲା ବଡ଼ ଅଘଟଣ । ଜାନୁଆରି ୨୯ରେ ଐତିହାସିକ ମହାକୁମ୍ଭ ମେଳାରେ ଦଳାଚକଟା ନେଇଥିଲା ଅନେକଙ୍କ ପ୍ରାଣ । ଏହି ଦଳାଚକଟା ଘଟଣାରେ ପାଖାପାଖି ୩୭ରୁ ଅଧିକ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିବାବେଳେ ୬୦ରୁ ଅଧିକ ଲୋକ ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା ।
ଏତିକିରେ ବନ୍ଦ ହୋଇନଥିଲା କୁମ୍ଭ ମେଳା ପାଇଁ କାନ୍ଦ । ମହାକୁମ୍ଭ ମେଳା ବୁଲିବା ପାଇଁ ବଢ଼ୁଥିବା ଉତ୍କଣ୍ଠା ଭିତରେ ଦିଲ୍ଲୀ ରେଲୱେ ଷ୍ଟେସନରୁ ଆସିଥିବା ଦଳାଚକଟାର ଖବର । ଫେବ୍ରୁଆରି ୧୫ ତାରିଖ ଦିଲ୍ଲୀ ରେଲୱେ ଷ୍ଟେସନ ଦଳାଚକଟା ଘଟଣାରେ ୧୮ ଜଣଙ୍କର ଜୀବନ ଯାଇଥିଲା । ଯେଉଁଥିରେ ୧୫ ଜଣ ମହିଳା ଏବଂ ୩ ଜଣ ଛୋଟ ଛୁଆ ସାମିଲ ଥିଲେ । ପବିତ୍ର ମହାକୁମ୍ଭ ଯାତ୍ରା ଅନେକଙ୍କ ପାଇଁ ଜୀବନର ଶେଷ ଯାତ୍ରା ପାଲଟିଗଲା ।
ଖାଲି ଏତିକି ନୁହେଁ ଏପ୍ରିଲ ପହିଲା ଦିନ ହିଁ ଗୁଜରାଟ ବଣାସକାଣ୍ଠା ବାଣ ଫ୍ୟାକ୍ଟ୍ରିର ଭୟଙ୍କର ଅଗ୍ନିକାଣ୍ଡ ଘଟଣା ଦେଶବାସୀଙ୍କ ଆଖିରୁ ନିଦ ହଜାଇଦେଇଥିଲା । ଏହି ବାଣ ବିସ୍ଫୋରଣ ଘଟଣାରେ ୧୭ ଜଣ ଶ୍ରମିକ ଆଖି ବୁଜିଦେଇଥିଲେ । ଏପଟେ ଏପ୍ରିଲ ସରିବା ପୂର୍ବରୁ ଆସିଥିଲା ବର୍ଷର ସବୁଠାରୁ ଦୁଃଖଦାୟକ ଖବର ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣା । ଏପ୍ରିଲ୍ ୨୨ ତାରିଖରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ଜୀବନ ନେଇଯାଇଥିଲେ ଶତ୍ରୁଦେଶର ଆତଙ୍କବାଦୀ । ଅନେକ ନବ ଦମ୍ପତିଙ୍କ ‘ସିନ୍ଦୂର’ ଲିଭିଯିବା ପରେ ଭାରତ ନେଇଥିଲା ବଦଲା । ମେ’ ୭ରେ ଅପରେସନ୍ ‘ସିନ୍ଦୂର’ ଜରିଆରେ ସୈତାନଙ୍କୁ ନିପାତ କରି ଦେଶବାସୀଙ୍କ ଛାତିରେ ଜଳୁଥିବା ଆକ୍ରୋଶର ନିଆଁକୁ ଲିଭାଇଥିଲେ ଭାରତୀୟ ଯବାନ ।
କେବେ କେବେ ବର୍ଷ ବର୍ଷର ଅପେକ୍ଷା ଟିକିଏ ଖୁସି ଆଣିଲେ, ସେଥିରେ କାହାର ଯେମିତି ନଜର ଲାଗିଯାଏ । ଠିକ୍ ସେମିତି ୧୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଯେବେ ଆଇପିଏଲ ଟ୍ରଫି ଜିତିଲା ବେଙ୍ଗାଲୁରୁ, ସେତେବେବେଳ ବିଜୟ ଶୋଭାଯାତ୍ରା ପାଲଟିଗଲା ମୃତ୍ୟୁର ଯାତ୍ରା । ଜୁନ୍ ୪ ବେଙ୍ଗାଲୁରୁ ଦଳାଚକଟାରେ ୧୧ ଜଣ ପ୍ରଶଂସକଙ୍କ ଜୀବନ ଯିବା ସହ ୪୭ରୁ ଅଧିକ ଆହତ ହୋଇଥିଲେ । ଯାହାକୁ ନେଇ ଉଭୟ ଆରସିବି ଏବଂ କର୍ଣ୍ଣାଟକ ସରକାର ବିବାଦରେ ଫସିଯାଇଥିଲେ । ଏପରିକି ଅପେକ୍ଷାର ଚାମ୍ପିୟନ ଟାଇଟଲ ଚିତ୍କାରର ଟ୍ରଫି ଭାବେ ପରିଣତ ହୋଇଗଲା ବୋଲି ଅନେକ କହିଥିଲେ ।
ଏତିକିରେ ସରିନଥିଲା ଜୁନର ଯନ୍ତ୍ରଣା । ଯେତେବେଳେ କ୍ରାସ୍ ହୋଇଯାଇଥିଲା ସ୍ବପ୍ନର ଉଡ଼ାଣ, ସେତେବେଳ ସ୍ତବ୍ଧ ହୋଇଯାଇଥିଲା ସାରା ଦେଶ । ଅହମ୍ମଦାବାଦ ଆକାଶରେ ଦେଶର ଭୟଙ୍କର ବିମାନ ଦୁର୍ଘଟଣା ୨୪୧ ଜଣ ଯାତ୍ରୀଙ୍କ ଜୀବନ ନେଇଯାଇଥିଲା । ଏପରିକି ଏୟାର ଇଣ୍ଡିଆ ବିମାନ କ୍ରାସ୍ ହୋଇଥିବା ସ୍ଥାନରେ ବି ୩୪ ଜଣ ସାଧାରଣ ଲୋକମାନେ ପ୍ରାଣ ହରାଇଥିଲେ । କହିବାକୁ ଗଲେ ଗୋଟିଏ ଘଟଣା ମୋଟ୍ ୨୭୫ ଜଣଙ୍କ ଜୀବନ ନେଇଗଲା ।
ଏ ୨୦୨୫ ଏମିତି ଏକ କାଳ ବର୍ଷ ସାଜିଛି ଏଥିରୁ ବାଦ୍ ପଡ଼ିନାହାନ୍ତି ସ୍ବୟଂ ଭଗବାନ । ଚଳିତ ରଥଯାତ୍ରା ଆରମ୍ଭରୁ ବିଭ୍ରାଟ ଦେଖିବାକୁ ମିଳିଥିବାବେଳେ ରଥଯାତ୍ରା ଦିନ ନନ୍ଦିଘୋଷ ନଗଡ଼ିବା ବିଶ୍ବର ଅନେକ ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଥିଲା । ହେଲେ ତା’ଠୁ ଅଧିକ ବଳିଗଲା ଶରଧାବାଲିର ଦଳାଚକଟା ଘଟଣା । ୩ ଜଣ ନିରୀହ ଭକ୍ତଙ୍କ ଜୀବନ ଯିବା ଏବଂ ଏକାଧିକ ଆହତ ହେବା ଖବର ଭକ୍ତଙ୍କୁ କନ୍ଦାଇଥିଲା । ସେଥିପାଇଁ ତ ଏ ୨୦୨୫ ବର୍ଷ ଅଧା ସରିଥିଲେ ବି ଛାତିରୁ ଭୟ ଦୂର ହେଉନି ।