କନକ ବ୍ୟୁରୋ: ଅପରେସନ୍ ‘ସିନ୍ଦୂର’ ବେଳେ ଅନେକ ପାୱାରଫୁଲ୍ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ପାକିସ୍ତାନକୁ ମାତ୍ ଦେଇଥିଲା ଭାରତ । ଆଉ ଏହି ଅପରେସନରେ ‘ବ୍ରହ୍ମୋସ୍’ ମିସାଇଲ୍ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିଲା । କାରଣ ମଲ୍ଟି-ପ୍ଲାଟଫର୍ମ ଶକ୍ତି ସମ୍ପନ୍ନ ସହ ସୁପରସୋନିକ୍ ଭଳି କ୍ଷମତା ରଖିଥିବା ‘ବ୍ରହ୍ମୋସ୍’ ମିସାଇଲ୍ ପଛରେ ରହିଛି ‘ମିସାଇଲ୍ ମ୍ୟାନ୍’ ଡକ୍ଟର କଲାମଙ୍କ ହାତ । ଯାହାଫଳରେ ଜଳ, ସ୍ଥଳ, ଆକାଶ ମାର୍ଗରୁ ପାକିସ୍ତାନର ବିଭିନ୍ନ ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇବାରେ ସଫଳ ହୋଇଥିଲା ଭାରତ ।
ଡକ୍ଟର କଲାମଙ୍କ ଅବଦାନ
ଭାରତର ପୂର୍ବତନ ରାଷ୍ଟ୍ରପତି ତଥା 'ମିସାଇଲ୍ ମ୍ୟାନ୍' ଭାବରେ ପ୍ରସିଦ୍ଧ ଡକ୍ଟର ଏପିଜେ ଅବଦୁଲ କଲାମ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । DRDOର ମୁଖ୍ୟ ଭାବରେ, ସେ ଭାରତ ଏବଂ ରୁଷ ମଧ୍ୟରେ ସରକାରୀ ସ୍ତରୀୟ ସହଭାଗିତାର ନେତୃତ୍ୱ ନେଇଥିଲେ । ଏହି ଐତିହାସିକ ଚୁକ୍ତିନାମା ୧୯୯୮ ମସିହାରେ ମସ୍କୋରେ ଡକ୍ଟର କଲାମ ଏବଂ ରୁଷର ଉପପ୍ରତିରକ୍ଷା ମନ୍ତ୍ରୀ ଏନ ଭି ମିଖାଇଲୋଭଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା । ଯାହା ଫଳରେ ‘ବ୍ରହ୍ମୋସ୍’ ଏରୋସ୍ପେସ୍ ପ୍ରାଇଭେଟ୍ ଲିମିଟେଡ୍ ପ୍ରତିଷ୍ଠା ହୋଇଥିଲା । ଏଥିରେ ଭାରତର ଅଂଶ ୫୦.୫% ଏବଂ ରୁଷର ଅଂଶ ୪୯.୫% ରହିଥିଲା ।
ଏହି ପ୍ରୋଜେକ୍ଟର ଉଦ୍ଦେଶ୍ୟ ଥିଲା ଯେ, ଏକ ହାଇସ୍ପିଡ୍, ସଠିକ୍ ଲକ୍ଷ୍ୟଭେଦ କରିପାରୁଥିବା କ୍ଷେପଣାସ୍ତ୍ର ନିର୍ମାଣ କରିବା । ଯାହାକୁ ଜଳ,ସ୍ଥଳ ଏବଂ ଆକାଶ ମାର୍ଗରୁ ନିକ୍ଷେପ କରାଯାଇପାରିବ । ଡକ୍ଟର କଲାମ ତାଙ୍କର ପରିଚାଳନା ନୀତିକୁ ଅବଲମ୍ବନ କରି ଏହି ଯୋଜନାକୁ ବାସ୍ତବ ରୂପ ଦେଇଥିଲେ । ଡକ୍ଟର କଲାମ କେବଳ ଜଣେ ବୈଜ୍ଞାନିକ ନଥିଲେ ବରଂ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ ଯିଏ ଆତ୍ମନିର୍ଭରଶୀଳତା ଏବଂ ଅନ୍ତର୍ଜାତୀୟ ସହଯୋଗର ଚିନ୍ତାଧାରା ସହିତ ବ୍ରହ୍ମୋସ ଭଳି ଏକ ବ୍ରହ୍ମାସ୍ତ୍ରକୁ ଜନ୍ମ ଦେଇଥିଲେ । ଆଜି, 'ବ୍ରହ୍ମୋସ' ଭାରତର ପ୍ରତିରକ୍ଷା କ୍ଷମତାର ଏକ ବଡ଼ ପ୍ରତୀକ ଏବଂ ଡକ୍ଟର କଲାମଙ୍କ ସ୍ବପ୍ନକୁ ସାକାର କରୁଛି ।
ଭାରତରେ କ୍ଷେପଣାସ୍ତ୍ର ଆତ୍ମନିର୍ଭରଶୀଳତା ୧୯୮୩ ମସିହାରେ IGMDP ସହିତ ଆରମ୍ଭ ହୋଇଥିଲା । କିନ୍ତୁ ୯୦ ଦଶକର ଉପସାଗର ଯୁଦ୍ଧରେ ଏକ ଅତ୍ୟାଧୁନିକ କ୍ରୁଜ୍ କ୍ଷେପଣାସ୍ତ୍ରର ଆବଶ୍ୟକତାକୁ ସାମ୍ନାକୁ ଆଣିଥିଲା । ଏହା ପରେ, ରୁଷ ସହିତ ସହଯୋଗ ପାଇଁ ବଡ଼ ପଦକ୍ଷେପ ନିଆଯାଇଥିଲା ଏବଂ ‘ବ୍ରହ୍ମୋସ୍’ ଭଳି ମିସାଇଲ୍ ଜନ୍ମ ହୋଇଥିଲା । ଏହି ‘ବ୍ରହ୍ମୋସ୍’ କ୍ଷେପଣାସ୍ତ୍ରର ନାମ ଭାରତର ବ୍ରହ୍ମପୁତ୍ର ନଦୀ ଏବଂ ରୁଷିଆର ମସ୍କଭା ନଦୀରୁ ରଖାଯାଇଛି । ଏହାର ପ୍ରଥମ ସଫଳ ପରୀକ୍ଷଣ ୧୨ ଜୁନ୍ ୨୦୦୧ରେ ହୋଇଥିଲା । DRDO ଏବଂ ରୁଷିଆର NPOM କମ୍ପାନିର ମିଳିତ ପ୍ରୟାସରେ ଆଜି ଏହାକୁ ବିଶ୍ୱର ସବୁଠାରୁ ଦ୍ରୁତତମ କ୍ରୁଜ୍ କ୍ଷେପଣାସ୍ତ୍ର ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ ।
'ବ୍ରହ୍ମୋସ୍' ଏକ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ଯାହା ଶବ୍ଦର ତିନିଗୁଣ ବେଗରେ ଲକ୍ଷ୍ୟଭେଦ କରେ । ଏହାକୁ ଭାରତ ଏବଂ ରୁଷ ମିଳିତ ଭାବରେ ତିଆରି କରିଛନ୍ତି । ଏହାକୁ ଜଳ, ସ୍ଥଳ ଏବଂ ଆକାଶରୁ ନିକ୍ଷେପ କରାଯାଇପାରିବ । ଏହାର ଲକ୍ଷ୍ୟଭେଦ କ୍ଷମତା ୨୯୦-୪୫୦ କିଲୋମିଟର । ଏହା ୨୦୦-୩୦୦ କିଲୋଗ୍ରାମ ବିସ୍ଫୋରକ ବହନ କରେ, ଯାହା ଫଳରେ ଏହା ବଡ଼ ସାମରିକ ଘାଟିକୁ ଧ୍ୱଂସ କରିବାର କ୍ଷମତା ରଖିଛି । 'ବ୍ରହ୍ମୋସ୍' ଏକ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ଯାହାର ବେଗ ଘଣ୍ଟା ପ୍ରତି ପ୍ରାୟ ୨୮୦୦-୩୦୦୦ କିଲୋମିଟର । ଭାରତର ‘ମିସାଇଲ୍ ମ୍ୟାନ୍’ ଦେଶକୁ ଦେଇଥିବା ଏହି ‘ବ୍ରହ୍ମୋସ୍’ ଭଳି ବ୍ରହ୍ମାସ୍ତ୍ର ଶତ୍ରୁଙ୍କ ନିଦ ହଜାଉଛି । ସେଥିପାଇଁ ତ ଶତ୍ରୁ ଦେଶ ଆମ ଉପରେ ଆଖି ଉଠାଇବା ପୂର୍ବରୁ କଲାମଙ୍କ କମାଲକୁ ଶହେ ଥର ଚିନ୍ତା କରୁଛି ।