କନକ ବ୍ୟୁରୋ: ପିଲାଦିନେ ବାପାଙ୍କ ସହ ପରିବା ବିକ୍ରି କରୁଥିବା ପିଲା ଏବେ ବର୍ଷକୁ ରୋଜଗାର କରୁଛି କୋଟି କୋଟି ଟଙ୍କା । ଝାଡ଼ଖଣ୍ଡ ରାଞ୍ଚିର ଚିପ୍ରା ଗାଁରେ ରହୁଥିବା ସତୀଶ ମହାତୋଙ୍କ ଅଳିଆ ଗଦାରୁ କୋଟିପତି ହେବାର ଯାତ୍ରାକୁ ନେଇ ଏବେ ଖୁବ ଚର୍ଚ୍ଚା ।
ସତୀଶ ଜଣେ କୃଷି-ଉଦ୍ୟୋଗୀ । ଚାରି ପିଢ଼ି ଧରି କୃଷି ଉପରେ ନିର୍ଭରଶୀଳ ତାଙ୍କ ପରିବାରର ସଂଘର୍ଷକୁ ଦେଖି ସେ ଚାଷୀମାନଙ୍କ ଅସୁବିଧାକୁ ସ୍ପଷ୍ଟ ଭାବେ ବୁଝିପାରିଥିଲେ । ଚାଷୀମାନଙ୍କ ଅସୁବିଧାକୁ ଅଙ୍ଗେ ନିଭେଇଥିବା ସତୀଶ ୨୦୧୬ରେ ଫିଡକୋ ଏଗ୍ରିକୋର୍ଟ ପ୍ରତିଷ୍ଠା କରିବାକୁ ଅଣ୍ଟା ଭିଡ଼ିଥିଲେ । ଏହା ଏପରି ଏକ ପ୍ଲାଟଫର୍ମ ଯାହା କେବଳ ଚାଷୀମାନଙ୍କୁ ଭଲ ମୂଲ୍ୟ ପ୍ରଦାନ କରେ ନାହିଁ ବରଂ ଚାଷଜମିର ଅଳିଆ ଓ ଆବର୍ଜନାକୁ ଆୟର ଉତ୍ସରେ ପରିଣତ କରେ । ଯାହା ଗ୍ରାମୀଣ ଅର୍ଥନୀତିକୁ ଏକ ନୂତନ ସ୍ଥାନରେ ପହଞ୍ଚାଇବାରେ ସାହାଯ୍ୟ କରିଥାଏ । ପିଲାଦିନେ ସତୀଶ ତାଙ୍କ ବାପାଙ୍କ ସହିତ ପ୍ରାୟ ୧୨ କିଲୋମିଟର ଦୂରରେ ଥିବା ବଜାରକୁ ପନିପରିବା ବିକ୍ରି ପାଇଁ ଯାଉଥିଲେ । ସେତେବେଳେ ଚାଷୀମାନେ ଉଚିତ୍ ମୂଲ୍ୟ ପାଉନଥିବା ଦେଖି ନୂଆ କିଛି କରିବାକୁ ଇଚ୍ଛା କଲେ ।
କଲେଜ ପାଠପଢ଼ା ପରେ ସତୀଶ ପର୍ଯ୍ୟଟନ ପରିଚାଳନାରେ ସ୍ନାତକ ଏବଂ ଆଇଆଇଟିଟିଏମ ଭୁବନେଶ୍ୱରରୁ ଲଜିଷ୍ଟିକ୍ସରେ ଏମବିଏ ଡିଗ୍ରି ହାସଲ କରିଥିଲେ । ଏହି ଡିଗ୍ରି ଯୋଗୁ ସେ ଚାଷୀମାନଙ୍କ ସମସ୍ୟାଗୁଡ଼ିକର ସହଜରେ ସମାଧାନ ପାଇଯାଇଥିଲେ । ଏହାପରେ ଲଜିଷ୍ଟିକ୍ସ କ୍ଷେତ୍ରରେ କିଛି କମ୍ପାନିରେ କାମ କରି ବ୍ୟବହାରିକ ଜ୍ଞାନ ହାସଲ କରିବା ପରେ ସତୀଶ ଫିଡକୋ ଏଗ୍ରିକୋର୍ଟ ପ୍ରତିଷ୍ଠା କରିଥିଲେ । ଏହି ପ୍ଲାଟଫର୍ମ ସିଧାସଳଖ ସୀମାନ୍ତ ଚାଷୀ, କୃଷକ ଉତ୍ପାଦକ ସଂଗଠନକୁ ଖୁଚୁରା ବ୍ୟବସାୟୀ, ସୁପରମାର୍କେଟ୍ ସହିତ ସଂଯୋଗ କରେ । ଯାହାଦ୍ବାରା ଉତ୍ପାଦନର ଗୁଣବତ୍ତା ଏବଂ ଗ୍ରେଡିଂ ସୁନିଶ୍ଚିତ ହୋଇଥାଏ । ଏଥିସହିତ ଚାଷୀମାନଙ୍କୁ ଉତ୍ତମ ଏବଂ ସ୍ଥିର ମୂଲ୍ୟ ମିଳିଥାଏ ।
ସତୀଶଙ୍କର ଷ୍ଟାର୍ଟଅପ୍ ପ୍ରତିବର୍ଷ ୧୫୦୦ ଟନ୍ କୃଷି ବର୍ଜ୍ୟବସ୍ତୁ (ଯେପରିକି ମକା, ମଟର, ବାଦାମ ପତ୍ର ଏବଂ କୁଟା) ପରିଚାଳନା କରେ । ଏହି ବର୍ଜ୍ୟବସ୍ତୁ ପଶୁ ଖାଦ୍ୟ, ପ୍ୟାକେଜିଂ ସାମଗ୍ରୀ ଏବଂ ଔଷଧ ଶିଳ୍ପରେ ମଧ୍ୟ ବ୍ୟବହୃତ ହୋଇଥାଏ । ଚାଷୀମାନଙ୍କୁ ଏହି ବର୍ଜ୍ୟବସ୍ତୁ ପାଇଁ ଦେୟ ମଧ୍ୟ ଦେଇଥାଆନ୍ତି ସତୀଶ । ଏହା ଚାଷୀମାନଙ୍କୁ ସେମାନଙ୍କର କ୍ଷେତକୁ ଶୀଘ୍ର ସଫା କରିବାରେ ସାହାଯ୍ୟ କରିବା ସହିତ ବର୍ଷକୁ ତିନିରୁ ଚାରି ଥର ଫସଲ କରିବା ପାଇଁ ସୁଯୋଗ ବି ମିଳିଥାଏ । ଏପର୍ଯ୍ୟନ୍ତ ପ୍ରାୟ ୭୦୦୦ ଚାଷୀ ଏହି ମଡେଲରୁ ଉପକୃତ ହୋଇଛନ୍ତି, ସେମାନଙ୍କର ଆୟ ୪୦% ବୃଦ୍ଧି ପାଇଛି । ସେମାନେ ପ୍ରତି ମାସରେ ହାରାହାରି ୧୮,୦୦୦ଟଙ୍କା ରୋଜଗାର କରି ପାରୁଛନ୍ତି । ବଡ଼ କଥା ହେଲା ସତୀଶଙ୍କ କମ୍ପାନି ୨୦୨୩-୨୪ ଆର୍ଥିକ ବର୍ଷରେ ୬୦ ଲକ୍ଷଟଙ୍କା ରାଜସ୍ୱ ପାଇଛି । କେବଳ ଅଳିଆ ଆବର୍ଜନାରୁ ୨୦୨୪-୨୫ ରେ ତାଙ୍କର ରୋଜଗାର ଏକକୋଟି ଟଙ୍କା ଅତିକ୍ରମ କରିବ ବୋଲି ଅର୍ଥନୀତି ବିଶେଷଜ୍ଞ ମାନେ କହିଛନ୍ତି ।