କନକ ବ୍ୟୁରୋ: ମୋର ଭୁଲ କଣ, ମୋର ଦୋଷ କେଉଁଠି , ମୋ ପ୍ରତି ଏ ଭଳି ବ୍ୟବହାର କାହିଁକି,  ମୁଁ କ’ଣ ବାହାରକୁ ବାହାରିବା ଭୁଲ ଥିଲା? ମୁଁ କଣ ଏତେ ବଡ଼ ଭୁଲ କରିଦେଲି ଯେ ମୋ ପାଇଁ ଏତେ ନିଷ୍ଠୁର ହୋଇଗଲେ ଏମାନେ । ଏତେ ଅମାନୁଷିକ ଏବଂ ଏତେ ବର୍ବର କେମିତି ହୋଇପାରନ୍ତି ଏମାନେ । ଗୋଟେ ଝିଅ କ’ଣ ଏତେ ଅସୁରକ୍ଷିତ ହୋଇପାରେ ଆମ ସମାଜରେ । ତା’ ପୁଣି ମହିଳା ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟରେ । ମୁଁ କଣ ରାତି ୮ଟାରେ ବାହାରିବା ଭୁଲ? ମୁଁ କଣ ସ୍ବାଧୀନ ଭାବେ ଜୀବନ ଜିଇଁ ପାରିବିନି । ମୁଁ କ’ଣ କାହା ସହ ସମୟ କାଟି ପାରିବିନି ? ମୁଁ କଣ ବାହାରେ ପାଠ ପଢିବା ଭୁଲ ଥିଲା ? ମୁଁ କ’ଣ ମୋ ସ୍ବପକୁ ପୂରଣ କରିପାରିବିନି । ମୋ ବାପା, ମା’ ମୋତେ କ’ଣ ବାହାର ରାଜ୍ୟକୁ ପାଠ ପଢାଇବାକୁ ଛାଡ଼ିବା ଭୁଲ ନିଷ୍ପତ୍ତି ଥିଲା ।

Advertisment

ମୋ ରାଷ୍ଟ୍ର କ’ଣ ମୋତେ ସୁରକ୍ଷା ଦେଇପାରିବନି । ଯେତେବେଳେ ମହିଳା ସଶକ୍ତୀକରଣର କଥା କହୁଛନ୍ତି, ଯେତେବେଳେ ଆମେ ପୁରୁଷ ସହ ସମାନ ହୋଇ ଚାଲିବାର କଥା କହୁଛେ । ସେତେବେଳେ ଏ ସମାଜର ଏଭଳି ଦୃଷ୍ଟିଭଙ୍ଗୀ କାହିଁକି ଏମିତି । କାହିଁକି କେଜାଣି ବଡ଼ ଅଜବ ଲାଗୁଛି । ଯାହା ମୋ ସହ ଘଟିଲା ତାକୁ ନେଇ ସମସ୍ତେ କାହିଁକି ତ ପ୍ରଶ୍ନ କରୁନାହାନ୍ତି ବ୍ୟବସ୍ଥାକୁ, ସରକାରକୁ ।  ଅଭିଯୁକ୍ତ ଗିରଫ ହେବେ, ଦଣ୍ଡ ମିଳିବ,  କିଛ ଦିନ ଧରି ଘଟଣାକୁ ନେଇ ରାଜନୀତି ହେବ, ତମ୍ବିତୋଫାନ ହେବ ତା ପରେ ସମସ୍ତେ ସବୁ କିଛି ଭୁଲିଯିବେ । ହେଲେ ମୁଁ..। ମୋର  ପରିବାର.. । ସେମାନଙ୍କ କଥା କିଏ କେବେ ଭାବିଛି । ବୋଧହୁଏ ନାଁ । କାରଣ ମୁଁ ଏଥିପାଇଁ କହୁଛି ଯେ ମୁଁ ବି ମୋର ଭଉଣୀ ନିର୍ଭୟା ସହ ଯାହା ଘଟିଥିଲା ତା ବି ଦେଖଛି । ତା’ ପରିବାର କେମିତି ଏକୁଟିଆ ସଂଘର୍ଷ କରିଥିଲା ନ୍ୟାୟ ପାଇଁ । ତାରିଖ ପରେ ତାରିଖ ବଦଳୁଥିଲା । ନ୍ୟାୟ ପାଇବା ପାଇଁ ବର୍ଷ ବର୍ଷ ବିତିଗଲା । ମୋତେ ନ୍ୟାୟ ମିଳିବ ତ? ଆଉ କାହା  ସହ ଏମତି ଘଟିବନି ତ ଯାହା ମୋ ସହିତ ଘଟିଗଲା । ଆଇନ ତ ବଦଳିଗଲା ହେଲେ ମାନସିକତା ବଦଳୁନି । ଆଉ କେତେ ଦିନ ଗୋଟିଏ ଝିଅ ନିଜକୁ ଅସୁରକ୍ଷିତ ମନେ କରିବ । ବହୁତ ହୋଇଗଲା...