କନକ ବ୍ୟୁରୋ : ଆଜିର ଯୁବପୀଢ଼ି ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କୁ ନିଜର ଆଇଡଲ୍ ବୋଲି ମାନୁଛନ୍ତି । ସେମାନଙ୍କ ରାସ୍ତାରେ ଚାଲିବାକୁ ଚେଷ୍ଟା କରୁଛନ୍ତି । ନିଜକୁ ସେମାନଙ୍କ ଭଳି ଗଢ଼ିତୋଲିବା ପାଇଁ ପ୍ରୟାସ କରୁଛନ୍ତି । କିନ୍ତୁ କିଛି ସୋସିଆଲ୍ ମିଡିଆ ଇନଫ୍ଲୁଏନସରଙ୍କ ପାଇଁ ଏବେ ଦେଶ ଓ ରାଜ୍ୟ ବର୍ବାଦ ହେବାରେ ଲାଗିଛି । କେବଳ ସୋସିଆଲ୍ ମିଡିଆ ଇନଫ୍ଲୁଏନସର୍ ନୁହଁନ୍ତି, ସୋସିଆଲ ମିଡିଆ ଏଥିପାଇ ମଧ୍ୟ ଦାୟୀ । 

Advertisment

ନେପାଳ କଥା କୁହନ୍ତୁ, ବାଂଲାଦେଶ କଥା କୁହନ୍ତୁ କି ଭାରତର ଲେହ-ଲଦାଖ କଥା କୁହନ୍ତୁ ଅବା ଆମ ରାଜ୍ୟ ଓଡ଼ିଶା କଥା କୁହନ୍ତୁ... ସବୁଠି ସୋସିଆଲ୍ ମିଡିଆ ପାଇଁ ଦଙ୍ଗା ଦେଖିବାକୁ ମିଳିଛି । ନିକଟରେ ନେପାଳରେ ଜେନ୍‌-ଜି ମାନେ ସୋସିଆଲ୍ ମିଡିଆ ବ୍ୟାନକୁ ନେଇ ପ୍ରତିବାଦ କରିଥିଲେ । ସେହି ପ୍ରତିବାଦର ନିଆଁ ଏତେ ମାତ୍ରାରେ ବ୍ୟାପିଥିଲା ଯେ, ଦେଶର ସରକାର ପରିବର୍ତ୍ତନ ହୋଇଗଲା । ଦେଶରେ ଚାରିଆଡ଼େ ନିଆଁ ଜଳିଲା... ଅନେକ ନିରିହ ଲୋକଙ୍କ ଜୀବନ ଚାଲିଗଲା । ରାଷ୍ଟ୍ରପତି ଭବନ ନିଆଁ ଆଁରେ ଜଳି ପୋଡ଼ି ପାଉଁଷ ହୋଇଗଲା । ନେପାଳର ପୂର୍ବତ୍ତନ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀଙ୍କୁ ନିଆଁ ଲଗାଇ ହତ୍ୟା କଲେ, ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୋଡାଇ ଗୋଡାଇ ମାଡ଼ ମାରି ଲହୁଲୁହାଣ କଲେ । ସେନା ଯବାନଙ୍କ ଉପରକୁ ଢେଲା ପଥର ମାଡ କଲେ । ଆଉ ଏସବୁ ପଛରେ ଥିଲା ସୋସିଆଲ୍ ମିଡିଆ ଇନଫ୍ଲୁଏନସରଙ୍କ ବଡ଼ ଷଡ୍‌ଯନ୍ତ୍ର । ଏହି ଷଡ୍‌ଯନ୍ତ୍ର ପଛରେ କାଠମାଣ୍ଡୁ ମେୟର ତଥା ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ ଥିବା ବାଲେନ୍ ଶାହାଙ୍କୁ ଦାୟୀ କରାଯାଇଥିଲା । କାହଁକିନା ଯୁବ ସମାଜର ହୃତସ୍ପନ୍ଦନ ଥିଲେ ବାଲେନ୍ । ପ୍ରକୃତରେ ନେପାଳ ହିଂସାର ମୁଖ୍ୟ କେନ୍ଦ୍ର ବାଲେନ୍ ବୋଲି ଚର୍ଚ୍ଚା ହେଉଛି । ନେପାଳ ଯୁବକଙ୍କ ପ୍ରିୟ ନେତା ବାଲେନ୍ ।  ଦେଶର ସବୁ ମେୟରଙ୍କଠାରୁ ପୂରା ଭିନ୍ନ ବାଲେନ୍ । ବାଲେନଙ୍କ ପ୍ରଭାବ ଲୋକଙ୍କ ଉପରେ ଏତେ ମାତ୍ରାରେ ପଡ଼ିଛି ଯେ, ଟାଇମ୍ସ ମାଗାଜିନରେ  ହେଉ ବା ଦ ନ୍ୟୁୟର୍କ ଟାଇମ୍ସ, ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ବଙ୍କ ଭିତରେ ତାଙ୍କୁ ସ୍ଥାନ ମିଳିଛି । ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ଖୁବ୍ ଦବଦବା ।

ସୋସିଆଲ ମିଡିଆରେ ତାଙ୍କର କୋଟି କୋଟି ଫଲୋଅର୍ସ ଅଛନ୍ତି । ସେସିଆଲ ମିଡିଆରେ ତାଙ୍କର ପୋଷ୍ଟ ଅନେକ ସମୟରେ ବିତର୍କ ସୃଷ୍ଟି କରିଛି । ତାଙ୍କ ଜୀବନ ଶୈଳୀ, ଷ୍ଟାଇଲ ସବୁକିଛି ନେପାଳ ଯୁବକଙ୍କ ପାଇଁ ରୋଲ ମଡେଲ୍  କହିଲେ ଭୁଲ ହେବନି । ଏହାକୁ ଢାଲ କରି ନେପାଳରେ ଚାଲିଥିବା ଏହି ବଡ଼ ଆନ୍ଦୋଳନକୁ ନିଜ ସମର୍ଥନ ଦେଇ ଉତ୍ତେଜନାକୁ ଅଧିକ ବଢ଼ାଇଥିବା କଥା ଏବେ ବି ଚର୍ଚ୍ଚା ହେଉଛି ।

ବାଂଲାଦେଶରେ ସୋସିଆଲ୍ ମିଡିଆ ପ୍ରଭାବ 
ସେହିପରି ବାଂଲାଦେଶରେ ବି ଦଙ୍ଗାକୁ ଅଧିକ ବଢ଼ାଇଥିଲା ସୋସିଆଲ୍ ମିଡିଆର ଆପତ୍ତିଜନକ ପୋଷ୍ଟ । ଭିନ୍ନ ଭିନ୍ନ ସୋସିଆଲ୍ ମିଡିଆ ଇନଫ୍ଲୁଏନସର୍ ଦଙ୍ଗାକୁ ଆହୁରି ତୀବ୍ର କରିବା ପାଇଁ ସୋସିଆଲ୍ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିଥିଲେ । ଯାହାକୁ ଲୋକେ ଠିକ୍ କି ଭୁଲ ନପରଖି ଆନ୍ଦୋଳନର ନିଆଁକୁ ହିଂସାରେ ପରିଣତ କରିଦେଇଥିଲେ । 

କୁହୁଳୁଛି ଲଦାଖ
ଲଦାଖରେ ନେପାଳ ସ୍ଥିତି । ରାଜ୍ୟ ମାନ୍ୟତା ଦାବିରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ରାସ୍ତାକୁ ଓହ୍ଲାଇଛନ୍ତି ହଜାର ସଂଖ୍ୟକ ପ୍ରଦର୍ଶକ । ପୁଲିସ ଉପରକୁ ଆକ୍ରମଣ, ପଥର ମାଡ, ଜଳାପୋଡ଼ା ଭଳି ହିଂସାକାଣ୍ଡ ଦେଥିବାକୁ ମିଳିଛି । ସବୁଠୁ ବଡ଼ କଥା ହେଉଛି ପ୍ରତିବାଦରେ ସାମିଲ ହୋଇଛନ୍ତି ୯୦% ଯୁବପୀଢ଼ି । ଆଉ ଏହାରି ଭିତରେ ସୋସିଆଲ୍ ମିଡିଆରେ ଭିନ୍ନ ଭିନ୍ନ ଉତ୍ତେଜନାମୂଳକ ପୋଷ୍ଟ ପ୍ରତିବାଦର ନିଆଁରେ ଘିଅ ଢାଳିଛି । 

ଓଡ଼ିଶା ଉପରେ ସୋସିଆଲ୍ ମିଡିଆ ପ୍ରଭାବ
ଗତ କିଛି ଦିନ ତଳେ କ୍ୟାପିଟାଲ୍ ହସ୍ପିଟାଲରେ ସାଂଘାତିକ ଉତ୍ତେଜନା ଦେଖିବାକୁ ମିଳିଥିଲା । ଡାକ୍ତରଙ୍କୁ ଅପ ବ୍ୟବହାର, ହସ୍ପିଟାଲରେ ଗଣ୍ଡୋଗୋଳ ସାଙ୍ଗକୁ ସିକ୍ୟୁରିଟି ଗାର୍ଡଙ୍କୁ ମାଡ ମାରି ମୁଣ୍ଡ ଫଟାଇଦେଇଥିବା ଭଳି ଘଟଣା ସାମ୍ନାକୁ ଆସିଥିଲା । ଆଉ ଏହି ପଛରେ ସୋସିଆଲ୍ ମିଡିଆ ଇନଫ୍ଲୁଏନସର୍ ଦୀପକ୍ ନାୟକଙ୍କୁ ଦାୟୀ କରାଯାଇଛି । ଦୀପକ ନାୟକ ଲୋକଙ୍କୁ ଉସକାଇ ଉତ୍ତେଜନା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି । ଏହି ଆଧାରରେ ପୁଲିସ ମଧ୍ୟ ତାଙ୍କୁ ଗିରଫ କରିଛି । 

ତେବେ ଏଠାରେ ଗୋଟିଏ କଥା କହି ରଖିବୁ, ସୋସିଆଲ୍ ମିଡିଆରେ ଲୋକଙ୍କୁ ଖରାପ ରାସ୍ତାରେ ଯିବା ପାଇଁ ଉସୁକାନଯାଉ । ଲୋକେ ବି ସୋସିଆଲ୍ ମିଡିଆରେ କୌଣସି ପୋଷ୍ଟକୁ ନ ପରଖି ପ୍ରତିକ୍ରିୟାଶୀଳ ନହୁଅନ୍ତୁ ।