କନକ ବ୍ୟୁରୋ: ଦୁବାଇ ଷ୍ଟାଡିୟମ୍ରେ ଭାରତ ଯେଉଁପରି ପାକିସ୍ତାନକୁ ହରାଇଲା ତାହା ପୂରା ବିଶ୍ବ ଦେଖିଲା । କହି କହି ପାକିସ୍ତାନକୁ ଏମିତି ଧୂଳି ଚଟାଇଲା ସୂର୍ଯ୍ୟବାହିନୀ ଯେ ଏବେ ବି ସେଦିନ କଥା ମନେ ପକାଉଛି ପାକିସ୍ତାନ । ହେଲେ ଏହାରି ଭିତରେ କ୍ୟାପଟେନ୍ ସୂର୍ଯ୍ୟକୁମାର ହାତରେ ଯେଉଁ ଘଣ୍ଟା ପିନ୍ଧିଥିଲେ ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । କାରଣ ସେ ଘଣ୍ଟାରେ ପ୍ରଭୁ ହନୁମାନଙ୍କର ଫଟୋ ରହିଥିଲା । ଆଉ ହନୁମାନଙ୍କ ଆଶୀର୍ବାଦରେ ଟିମ୍ ଇଣ୍ଡିଆ ୱିନ୍ କରିଥିଲା ବୋଲି କୁହାଯାଉଛି ।
ଚର୍ଚ୍ଚାରେ ଭାରତ-ପାକିସ୍ତାନ ମ୍ୟାଚ୍
ସୂର୍ଯ୍ୟକୁମାରଙ୍କ ହାତରେ ଥିଲା ହନୁମାନଙ୍କ ଫଟୋ ଥିବା ଘଂଟା
ପାକିସ୍ତାନକୁ ଧୂଳି ଚଟାଇବା ପରେ ଭାଇରାଲ ହେଉଛି ଫଟୋ
ଚର୍ଚ୍ଚାରେ ସୂର୍ଯ୍ୟକୁମାର ଘଣ୍ଟା
ଜାଣିଛନ୍ତି କି ତାହାର ଦାମ୍ କେତେ
ମ୍ୟାଚ୍ ଖେଳିବା ବେଳେ କ୍ୟାପଟେନ୍ ସୂର୍ଯ୍ୟକୁମାର ଯେଉଁ ଘଣ୍ଟା ପିନ୍ଧିଥିଲେ ତାହାକୁ ନେଇ ଚର୍ଚ୍ଚା ହେଉଛି । ସେ ଘଣ୍ଟାର ଦାମ୍ ବହୁତ ଅଧିକ । ଖାଲି ଦାମ୍ ଅଧିକ ତାହା ନୁହେଁ ବରଂ ସେହି ଘଣ୍ଟାରେ ଶ୍ରୀରାମ ଓ ହନୁମାନଙ୍କର ଫଟୋ ଲାଗିଥିଲା । ସୂଚନା ଅନୁସାରେ, ପଡ଼ିଆକୁ ଯେବେ ସୂର୍ଯ୍ୟକୁମାର ଓହ୍ଲାଇଥିଲେ ପ୍ରଥମେ ଏହି ଘଣ୍ଟାକୁ ପିନ୍ଧିଥିଲେ । ଆଉ ମ୍ୟାଚ୍ ଖେଳିବା ପରେ ସ୍ଥିତି କଣ ହେଲା ତାହା ପୂରା ବିଶ୍ବ ଦେଖିଲା । ଚର୍ଚ୍ଚା ସେତେବେଳେ ହେଲା ଯେବେ ଜଣାପଡ଼ିଲା ଏହି ଘଣ୍ଟା ଅଯୋଧ୍ୟାର ବ୍ରାଣ୍ଡିଂ ହୋଇଥିଲା ।
ଘଣ୍ଟାର ଦାମ୍ ୩୪ ଲକ୍ଷ
ସୂର୍ଯ୍ୟକୁମାରଙ୍କ ଘଣ୍ଟାର ଦାମ୍ ପ୍ରାୟ ୩୪ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ଏହି ଘଣ୍ଟାରେ ଅନେକ ଅତ୍ୟାଧୁନିକ ଫିଚର ବି ରହିଛି । ତେଣୁ ଘଣ୍ଟାର ଦାମ୍ ବହୁ ଅଧିକ ରହିଛି । ସୂଚନା ଅନୁସାରେ, ପୂରା ବିଶ୍ବରେ ଏହିପରି ଘଣ୍ଟା ମାତ୍ର ୪୯ଟି ରହିଛି । ତେଣୁ ଥରେ ଚିନ୍ତାକରନ୍ତୁ, ଏହି ଘଣ୍ଟା କେତେ ମୂଲ୍ୟବାନ ହୋଇଥିବ । ମୋଟ୍ ଉପରେ, ଦୁବାଇ ଷ୍ଟାଡିୟମରେ ପାକିସ୍ତାନକୁ ମାତ୍ ଦେଇଛି ଭାରତ । ଏସିଆ କପର ଏହି ହାଇଭୋଲ୍ଟେଜ୍ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୧୨୮ ରନର ଲକ୍ଷ୍ୟ ରଖିଲା ପାକିସ୍ତାନ । ଜବାବରେ ୧୫ ଓଭର ୫ଟା ବଲ୍ ଖେଳି ୭ ୱିକେଟରେ ବାଜି ମାରିନେଇଛି ସୂର୍ଯ୍ୟବାହିନୀ । ଭାରତର ଏହି ବିଜୟ ପଛରେ ଓପନର ଅଭିଶେକ ଶର୍ମା, ମିଡିଲ୍ ଅର୍ଡରରେ କ୍ୟାପଟେନ୍ ସୂର୍ଯ୍ୟ କୁମାର ଯାଦବ ଓ ତିଲକ ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂର ଯୋଗଦାନ ରହିଛି ।
ଦୁବାଇ ଷ୍ଟାଡିୟମଠାରେ ଖେଳାଯାଇଥିବା ଏସିଆ କପ୍ ଭାରତ-ପାକିସ୍ତାନ ମୁକାବିଲାରେ ପାକିସ୍ତାନ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ସ୍ଥିତି ଏପରି ହୋଇଥିଲା ଯେ ପାକିସ୍ତାନର ସ୍କୋର ୧୦୦ ରନ ଟପିବା କଷ୍ଟକର ମନେ ହେଉଥିଲା…ହେଲେ ଶେଷ ଆଡ଼କୁ ସାହିନ ଆଫ୍ରିଦଙ୍କ ୪ଟି ଛକା ବଳରେ ୧୨୭ ରନ୍ କରିବାକୁ ସକ୍ଷମ ହୋଇଥିଲା । ଜବାବରେ ଭାରତୀୟ ବ୍ୟାଟରମାନେ ଆରମ୍ଭରୁ ହିଁ ପାକ୍ ବୋଲରଙ୍କ ଉପରେ ଭାରି ପଡ଼ିଥିଲେ ଏବଂ ଶେଷରେ ଅତି ସହଜରେ ମ୍ୟାଚ୍ ଜିତି ନେଇଥିଲା ଭାରତ । କିନ୍ତୁ ପାକିସ୍ତାନ ବିପକ୍ଷରେ ବିଜୟ ପରେ ସୂର୍ଯ୍ୟକୁମାରଙ୍କ ଘଣ୍ଟାକୁ ନେଇ ଏବେ ଭାରି ଚର୍ଚ୍ଚା ।