କନକ ବ୍ୟୁରୋ: ମଧ୍ୟ ପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧର ଭୟଙ୍କର ନିଆଁ । ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକାର ଲଗାତାର ଆକ୍ରମଣ ଜାରି ରହିଥିବା ବେଳେ ଇରାନ ମଧ୍ୟ ପାଲଟା ଜବାବ ଦେଉଛି । କିନ୍ତୁ ଏହି ବାରୁଦ ଗନ୍ଧ ଭିତରେ ଇରାନବାସୀ ଏବେ ଏକ ବଡ଼ ଶତ୍ରୁ ସହ ଲଢୁଛନ୍ତି, ଯାହାର ନାମ ହେଉଛି ‘ମୁଦ୍ରାସ୍ପିତି’ ବା ଦରଦାମ୍ ବୃଦ୍ଧି । ଦେଶରେ ଖାଦ୍ୟ ପଦାର୍ଥର ମୂଲ୍ୟ ଏବେ ସାଧାରଣ ଜନତାଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ।
ଆହୁରି ପଢ଼ନ୍ତୁ: ଆମେରିକାର ଏଆଇ ଆଟାକ୍ !
ସୁପ୍ରିମ ଲିଡର ଖାମେନେଇଙ୍କ ମୃତ୍ୟୁ ପରେ ପୁରା ଦେଶ ଏବେ ଶୋକରେ ବୁଡ଼ି ରହିଛି । କିନ୍ତୁ ଏହି ଶୋକ ସହ ଯୋଡ଼ି ହୋଇଛି ଭୋକର ଜ୍ୱାଳା । ଗତ ୧୦ ବର୍ଷ ମଧ୍ୟରେ ଇରାନରେ ଖାଦ୍ୟପେୟର ଦାମ୍ ପ୍ରାୟ ୩୦ ଗୁଣା ବଢ଼ିଛି । ୨୦୧୬ ମସିହାରେ ଯେଉଁ ସାପ୍ତାହିକ ‘ଫୁଡ୍ ବାସ୍କେଟ୍’ର ମୂଲ୍ୟ ୧.୨ ମିଲିୟନ ରିୟାଲ ଥିଲା, ୨୦୨୬ ବେଳକୁ ତାହା ଆଶ୍ଚର୍ଯ୍ୟଜନକ ଭାବେ ୩୬.୬ ମିଲିୟନ ରିୟାଲରେ ପହଞ୍ଚିଛି । ସେହି ଅନୁପାତରେ ଲୋକଙ୍କ ଦରମା ବଢ଼ିନଥିବାରୁ ଏବେ ଦୁଇ ଓଳି ଖାଦ୍ୟ ଯୋଗାଡ଼ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି ।
ମାଂସ ୧ କେଜି: ୧୩ ରୁ ୨୨ ମିଲିୟନ ରିୟାଲ (ଭାରତୀୟ ମୁଦ୍ରାରେ ପ୍ରାୟ ୧୩୦୦-୧୪୦୦ ଟଙ୍କା)
ଚାଉଳ ୧ କେଜି: ୩୮ ଲକ୍ଷ ରିୟାଲ
କ୍ଷୀର ୧ ଲିଟର: ୫ ଲକ୍ଷ ୨୦ ହଜାରରୁ ୧.୧ ମିଲିୟନ ରିୟାଲ
ପାସ୍ତା ୧ ବାକ୍ସ: ୩.୪ ଲକ୍ଷରୁ ୫.୭ ଲକ୍ଷ ରିୟାଲ
ବ୍ରେଡ୍ ୧ ପ୍ୟାକେଟ୍: ୫୦ ହଜାର ରିୟାଲ
ଗତ ଏକ ବର୍ଷ ଅର୍ଥାତ୍ ୨୦୨୫ ରୁ ୨୦୨୬ ମଧ୍ୟରେ ମୂଲ୍ୟ ପ୍ରାୟ ଦୁଇଗୁଣା ବୃଦ୍ଧି ପାଇଛି, ଯାହା ମଧ୍ୟବିତ୍ତ ଶ୍ରେଣୀକୁ ରାସ୍ତାକୁ ନେଇ ଆସିଛି । ଇରାନର ଅର୍ଥବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି । ୨୦୨୬ ଫେବ୍ରୁଆରି ସୁଦ୍ଧା ମୁଦ୍ରାସ୍ପିତି ହାର ୬୮.୧% ରେ ପହଞ୍ଚିଛି । ଇରାନୀ ରିୟାଲର ମୂଲ୍ୟ ଏତେ ତଳକୁ ଖସିଛି ଯେ, ଗୋଟିଏ ଆମେରିକୀୟ ଡଲାର ପାଇଁ ଏବେ ୧୩ ଲକ୍ଷ ୧୪ ହଜାରରୁ ଅଧିକ ରିୟାଲ ଦେବାକୁ ପଡ଼ୁଛି । ସେହିପରି ଭାରତୀୟ ମୁଦ୍ରାର ମୂଲ୍ୟ ଇରାନରେ ପ୍ରାୟ ୧୪,୩୨୭ ରିୟାଲ ରହିଛି । କରେନ୍ସି ଦୁର୍ବଳ ହେବା ଯୋଗୁଁ ବିଦେଶରୁ ଆମଦାନୀ ହେଉଥିବା ଜରୁରୀ ସାମଗ୍ରୀ ସାଧାରଣ ଲୋକଙ୍କ ପହଞ୍ଚ ବାହାରକୁ ଚାଲିଯାଇଛି ।
ଯୁଦ୍ଧ କେବଳ ସୀମାରେ ଲଢ଼ାଯାଏ ନାହିଁ, ଏହା ସାଧାରଣ ମଣିଷର ରୋଷେଇ ଘରେ ମଧ୍ୟ ଲଢ଼ାଯାଏ । ଇରାନରେ ଏବେ ଯୁଦ୍ଧର ଗୁଳି ଗୋଳା ଅପେକ୍ଷା ଭୋକର ମାଡ଼ ଅଧିକ ଶକ୍ତ ହେବାରେ ଲାଗିଛି । ଯଦି ସ୍ଥିତିରେ ସୁଧାର ନଆସେ, ତେବେ ଏହି ଆର୍ଥିକ ଝଟକା ଦେଶକୁ ଏକ ବଡ଼ ଗଣତାନ୍ତ୍ରିକ ବିଦ୍ରୋହ ଆଡ଼କୁ ଠେଲି ଦେଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/03/04/11111-2026-03-04-19-55-00.jpg)