କନକ ବ୍ୟୁରୋ : ଆଜିକାଲି ଛତୁ ଖାଇବାକୁ କାହାକୁ ଭଲ ନଲାଗେ । ଖାସ୍‌ କରି ଯେଉଁମାନେ ସାଦା ଖାଆନ୍ତି ସେମାନେ ସାଧାରଣତଃ ଛତୁ ହିଁ ପସନ୍ଦ କରନ୍ତି । ଖାସ୍‌ କରି ଶ୍ରାବଣ ଛତୁର ଚାହିଦା ବହୁତ ଅଧିକ । ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ବଜାରକୁ ବିଳମ୍ବରେ ଆସିଛି ସୁଆଦିଆ ଶ୍ରାବଣ ଛତୁ । ଆଉ ବଜାରକୁ ଆସିବା ପରେ ଛତୁ କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଲାଗିଛି । ମାଲକାନଗିରି ବଜାରରେ ପ୍ରଥମ ଦିନରେ ୮୦୦ରୁ ୧୦୦୦ ଟଙ୍କାରେ ବିକ୍ରି ହେଉଥିଲା ଛତୁ । ହେଲେ ଏବେ ୪୦୦ରୁ ୫୦୦ ଟଙ୍କାରେ ମିଳୁଛି । 

Advertisment

ବିଶେଷକରି ବର୍ଷ ତମାମ ବଜାରରେ ପାଳ ଛତୁ କିମ୍ବା ବଟନ ଛତୁ ଉପଲବ୍ଧ ହେଉଥିବା ବେଳେ ଶ୍ରାବଣ କଢ଼ କେବଳ ବର୍ଷା ଦିନେ ହିଁ ମିଳେ । ତେଣୁ ଦରଦାମ୍‌ ଉପରେ କଥା ନହୋଇ ବଜାରକୁ ଆସିବା ମାତ୍ରେ ଏହି ଜଙ୍ଗଲଜାତ ଦ୍ରବ୍ୟକୁ କିଣି ନିଅନ୍ତି ଗ୍ରାହକ । ଏହି ଛତୁ କେବଳ ମାଲକାନଗିରି ନୁହେଁ କୋରାପୁଟ, ନବରଙ୍ଗପୁର ଓ ସୁନ୍ଦରଗଡ଼ରେ ମଧ୍ୟ ମିଳିଥାଏ । 

ବର୍ଷା ଦିନ ଚାଲିଥିବାକୁ ଏବେ ବଢ଼ିଆ ରୋଜଗାର ଦେଉଛି ଶ୍ରାବଣ କଢ଼ । ଋତୁ ଅନୁସାରେ ମିଳୁଥିବାରୁ ଲୋକମାନେ ଏହି ସମୟକୁ ଅପେକ୍ଷା କରିଥାଆନ୍ତି । ବିଶେଷ କରି ବର୍ଷା ଦିନେ ଏହା ଘଞ୍ଚ ଜଙ୍ଗଲ କିମ୍ବା ଊଇ ହୁଙ୍କାରେ ଆପେ ଆପେ ଉଠିଥାଏ । ତେଣୁ ଜନଜାତୀ ସମ୍ପ୍ରଦାୟର ଲୋକ ଜଙ୍ଗଲରୁ ସଂଗ୍ରହ କରି ବଜାରରେ ବିକ୍ରି କରନ୍ତି । ଆଉ କ୍ଷୁଦ୍ର ବ୍ୟବସାୟୀମାନେ ଏହି ଛତୁ କିଣି ଦୁଇ ପଇସା ରୋଜଗାର କରନ୍ତି ।  ମାଲକାନଗିରି ଜିଲ୍ଲାରେ ଶ୍ରାବଣ ଛତୁ ବହୁଳ ଭାବେ ଉପଲବ୍ଧ ହେଉଥିବାରୁ ଦୂରଦୂରାନ୍ତରେ ଥିବା ନିଜ ସମ୍ପର୍କୀୟଙ୍କୁ ପଠାଇବା ପାଇଁ ବଜାରରେ ଗ୍ରାହକଙ୍କ ଭିଡ଼ ଜମୁଛି । 

(ମାଲକାନଗିରିରୁ ଦେବବ୍ରତ ସାନାଙ୍କ ରିପୋର୍ଟ)