କନକ ବ୍ୟୁରୋ: ଭାରତ-ଆମେରିକା ଟାରିଫ୍ ବିବାଦ ଭିତରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଯାହାକୁ ନେଇ ଏବେ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ଆମେରିକାକୁ ଟାର୍ଗେଟ କରି ପୁଟିନ୍ କହିଛନ୍ତି ଯେ ଭାରତ ଏବଂ ଚୀନ ସହ ରୁଷର ଶକ୍ତି ସମ୍ପର୍କ ଖରାପ କରିବାକୁ ଆମେରିକା ଚାପ ପକାଉଛି କିନ୍ତୁ ଏପରି ହେଲେ ଆମେରିକା ଉପରେ ଓଲଟା ପ୍ରଭାବ ପଡ଼ିବ ।

Advertisment

ଖାଲି ଏତିକି ନୁହେଁ ପୁଟିନ ଚେତାବନୀ ଦେଇ କହିଛନ୍ତି, ଯଦି ଆମେରିକା ରୁଷର ବାଣିଜ୍ୟିକ ଅଂଶୀଦାର ଦେଶ ଗୁଡ଼ିକ ଉପରେ ଅଧିକ ଶୁଳ୍କ ଲାଗୁ କରେ, ତେବେ ଏହା ବିଶ୍ୱବ୍ୟାପୀ ମୂଲ୍ୟ ବୃଦ୍ଧି କରିବ ଏବଂ ଆମେରିକାର ଫେଡେରାଲ ରିଜର୍ଭକୁ ସୁଧ ହାର ଉଚ୍ଚ ରଖିବାକୁ ବାଧ୍ୟ କରିବ । ରୁଷ ରାଷ୍ଟ୍ରପତି ଭାରତକୁ ଭରସା ଦେଇ କହିଛନ୍ତି, "ଭାରତ ଏବଂ ଚୀନ୍ ନିଜକୁ ଅପମାନିତ ହେବାକୁ ଦେବେ ନାହିଁ ।" ସେହିପରି ପୁଟିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପରେ ବିଶ୍ୱାସ ପ୍ରକାଶ କରି କହିଛନ୍ତି ଯେ ମୋଦୀ କେବେ ବି ମୁଣ୍ଡ ନୁଆଁଇବେନି କିମ୍ବା ଏପରି ପଦକ୍ଷେପ ନେବେ ନାହିଁ ।

ଆମେରିକାର ଦୋମୁହାଁ ନୀତିର ପୋଲ୍ ମଧ୍ୟ ଖୋଲିଛନ୍ତି ପୁଟିନ । ପ୍ରଶ୍ନ ଉଠାଇ କହିଛନ୍ତି ଯେ ଆମେରିକା ନିଜେ ରୁଷଠାରୁ ସମୃଦ୍ଧ ୟୁରାନିୟମ କିଣେ, କିନ୍ତୁ ଅନ୍ୟ ଦେଶମାନଙ୍କୁ ରୁଷ ଠାରୁ ତେଲ କିଣିବାକୁ ଦୂରେଇ ରହିବାକୁ କହୁଛି । ତେବେ ପୁଟିନଙ୍କ ଏଭଳି ବୟାନ ଏମିତି ଏକ ସମୟରେ ଚର୍ଚ୍ଚା ବଢ଼ାଇଛି ଯେତେବେଳେ ରୁଷଠାରୁ ତେଲ କିଣିବା ପାଇଁ ଭାରତକୁ ଅଧିକ ଟାରିଫ୍ ଲଗାଉଛି ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସହଯୋଗୀମାନେ ମଧ୍ୟ ବାରମ୍ବାର ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି । ଟ୍ରମ୍ପଙ୍କ ପରାମର୍ଶଦାତା ପିଟର ନାଭାରୋ ଭାରତକୁ "ଟାରିଫ୍ କିଙ୍ଗ୍ " ମଧ୍ୟ କହିବା ସହ ମୋଦୀଙ୍କୁ ପୁଟିନ ଏବଂ ସି ଜିନପିଙ୍ଗଙ୍କ ନିକଟତର ବୋଲି ଅଭିଯୋଗ କରିଥିଲେ ।

ପୂର୍ବରୁ ପୁଟିନ ଆମେରିକାକୁ ଚେତାବନୀ ଦେଇଥିଲେ ଯେ ଭାରତ ଏବଂ ଚୀନ୍ ଭଳି ପ୍ରାଚୀନ ସଭ୍ୟତା କାହାର ଧମକ ଆଗରେ ମୁଣ୍ଡ ନୁଆଁଇବ ନାହିଁ ।" ରୁଷିଆ ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ମଧ୍ୟ କହିଥିଲେ ଯେ ଭାରତ ଏବଂ ଚୀନ୍ ଭଳି ଦେଶ କେବେବି ଆମେରିକାର ଚାପକୁ ବରଦାସ୍ତ କରିବେ ନାହିଁ ।