ରହସ୍ୟ , ବିଚିତ୍ର , ଅଲୌକିକ …

Advertisment

କନକ ବ୍ୟୁରୋ : ଭାରତ ଭୂମିର ପାଦେ ପାଦେ ଏମିତି ଅନେକ ସ୍ଥାନ ମିଳିଯିବ ଯାହାର ରହସ୍ୟ ଉପରୁ ଏପର୍ଯ୍ୟନ୍ତ ପରଦା ହଟିପାରିନାହିଁ । ସେ ମହାରାଷ୍ଟ୍ରର ଏଲୋରା କୁହନ୍ତୁ କି ତ୍ରୀପୁରାର ଉନ୍ନାକୋଟି । ପ୍ରତିଟି ସ୍ଥାନର ଭିନ୍ନ ଏକ ରହସ୍ୟ , ଭିନ୍ନ ଏକ କାହାଣୀ । ଭାରତରେ ଏମିତି ହିଁ ଆଉ ଏକ ରହସ୍ୟ ରହିଛି ଯାହାର ଅଲୌକିକତା ଦେଖିବାକୁ କାହିଁ କେତେ ଦୂରରୁ ଲୋକ ଆସିଥା’ନ୍ତି । କର୍ଣ୍ଣାଟକରେ ଏମିତି ହିଁ ଏକ ସ୍ଥାନ ରହିଛି ଯେଉଁଠି ୧୦ କି ୨୦ ନୁହେଁ ବରଂ ହଜାର ହଜାର ସଂଖ୍ୟାରେ ଶିବଲିଙ୍ଗ ବିଦ୍ୟମାନ ରହିଛନ୍ତି । ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ଶିବଲିଙ୍ଗ କୌଣସି ମନ୍ଦିର କିମ୍ବା ଗୁମ୍ଫାରେ ନୁହେଁ ବରଂ ଏକ ନଦୀର ପଥରରେ ବିଦ୍ୟମାନ ରହିଛନ୍ତି । ବିଘ୍ନ ବିନାଶକଙ୍କ ଆକୃତିଠାରୁ ନେଇ ନନ୍ଦି,ସର୍ପ ଭଳି ଆକୃତି ମଧ୍ୟ ଏହିଠାରେ ବିଦ୍ୟମାନ । ନଦୀର ପାହାଡ଼ରେ ସହସ୍ର ଶିବଲିଙ୍ଗ ଥିବାରୁ ଏହାକୁ ‘ସହସ୍ରାଲିଙ୍ଗ’ ନାମରେ ନାମିତ କରାଯାଇଛି । ଯେତେବେଳେ ନଦୀର ଜଳଧାର ସହସ୍ର ଲିଙ୍ଗଙ୍କ ଜଳାଭିଷେକ କରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ହର ହର ମହାଦେବ ନାମ ସୁମରନ୍ତି । ଉକ୍ତ ସମୟଟି ଅତ୍ୟନ୍ତ ମନମୋହକ ଏବଂ ଆତ୍ମାକୁ ମନ୍ତ୍ରମୁଗ୍ଧ କରିଦେଲା ଭଳି ଲାଗେ । ତେବେ ଆସନ୍ତୁ ଏହି ବିଚିତ୍ର ସ୍ଥାନ ଏବଂ ଏହାକୁ ନେଇ ଜଡ଼ିତ ଥିବା ଲୋକକଥା ବିଷୟରେ ଜାଣିବା । 

sahasra-linga-
sahasra-linga- Photograph: (google)

ଶଲମାଲା ନଦୀର ତଟରେ ଅବସ୍ଥିତ ଏହି ପବିତ୍ର ସ୍ଥାନକୁ ଏଥିପାଇଁ ସହସ୍ରାଲିଙ୍ଗ ବୋଲି କୁହାଯାଏ କାରଣ ଏଠାକାର ପ୍ରତିଟି ଚଟାଣରେ ଭୋଳାବାବାଙ୍କ ଶିବଲିଙ୍ଗ ଆକୃତି ପୂଜା ପାଉଛନ୍ତି । ସେ ବି ମନୁଷ୍ୟ ହାତରୁ ନୁହେଁ ସ୍ବୟଂ ପ୍ରକୃତି ହାତରୁ । କିନ୍ତୁ ମନରେ ସର୍ବଦା ପ୍ରଶ୍ନ ଉଙ୍କି ମାରେ ଯେ ଶଲମାଲା ନଦୀର ଚଟାଣରେ ସହସ୍ର ଲିଙ୍ଗର ସମାହାର ଆସିଲେ କେଉଁଠୁ ? କର୍ଣ୍ଣାଟକର ସିରସିଠାରୁ ପାଖାପାଖି ୧୩ କି.ମି ଦୂରରେ ଗୋଟିଏ ଛୋଟ ଗାଁ ରହିଛି ସୋଁଡ଼ା , ଏଠାକାର ଜଙ୍ଗଲ ମଧ୍ୟରୁ ଦେଇ ବହିଯାଇଛି ଶଲମାଲା ନଦୀ । ଏହି ନଦୀରେ ଏମିତି ବିଶାଳକାୟ ପଥର ରହିଛି ଯାହାକୁ ହଟାଇବା ତ ଦୂରର କଥା ହଲାଇବା ମଧ୍ୟ ଅସମ୍ଭବ । ଏହି ଧୂସର ରଙ୍ଗର ପଥର ଯେଉଁଥିରେ ଶିବଲିଙ୍ଗ ବିଦ୍ୟମାନ ତାହା ସ୍ପଟିକରେ ନିର୍ମିତ ହୋଇଥିବା କଥା କୁହାଯାଏ । ଏହିଠାରେ ଥିବା ପ୍ରତିଟି ଛୋଟ,ବଡ଼ ପଥରରେ ମହାଦେବଙ୍କ ଉପସ୍ଥିତି ଥିବା ଦେଖିବାକୁ ମିଳେ , ଏମିତିକି ପାଣି ଭିତରେ ଥିବା ପଥରରେ ମଧ୍ୟ ଶିବଲିଙ୍ଗ ବିଦ୍ୟମାନ । ଏହି ନଦୀର ସବୁଠାରୁ ବଡ଼ ଚଟାଣରେ ମହାଦେବଙ୍କ ବାହନ ନନ୍ଦି ବିରାଜମାନ କରିଥିବାର ଦେଖାଯାଏ । ୬ ଫୁଟ ଉଚ୍ଚର ଏହି ପଥରର ଲମ୍ବ ୧୨ ଫୁଟ ଏବଂ ଓସାର ୫ ଫୁଟ । ଏହି ଚଟାଣକୁ ଦେଖିଲେ ହିଁ ଜଣାପଡ଼େ ଯେ ଏହାକୁ ସେହି ସ୍ଥାନରେ ହିଁ ବସି ଆକୃତିର ରୂପ ଦିଆଯାଇଛି । 

ମହାଦେବଙ୍କୁ ସମର୍ପିତ ଏହି ରହସ୍ୟମୟ ସ୍ଥାନକୁ ନେଇ ୨ ଟି ଲୋକକଥା ରହିଛି । ପ୍ରଥମଟି ହେଉଛି ସ୍ବାଦି ଅକସପ୍ପା ନାୟକ ରାଜାଙ୍କ କୌଣସି ସନ୍ତାନ ନଥିଲେ । ସେଥିପାଇଁ ତାଙ୍କୁ ଜଣେ ଋଷି ସହସ୍ର ଶିବଲିଙ୍ଗଙ୍କ ନିର୍ମାଣ କରିବାକୁ କହିଥିଲେ । ରାଜା ଶଲମାଲା ନଦୀର ଶିଳାରେ ସହସ୍ର ଶିବଲିଙ୍ଗ ଗଢ଼ି ପୂଜାର୍ଚ୍ଚନା କରିଥିଲେ ଯାହାପରେ ତାଙ୍କୁ ସନ୍ତାନସୁଖ ପ୍ରାପ୍ତ ହୋଇଥିଲା  । ଦ୍ବିତୀୟ ଲୋକକଥା ଅନୁସାରେ ଷୋଡ଼ଶ ଶତାବ୍ଦୀରେ ରାଜା ସଦାଶିବରାୟ ବର୍ମା ଦେବ ଦେବ ମହାଦେବଙ୍କ ବହୁତ ବଡ଼ ଭକ୍ତ ଥିଲେ । ସେ ମୃତ୍ୟୁ ପୂର୍ବରୁ ଏମିତି କିଛି କରିବାକୁ ଚାହୁଥିଲେ ଯାହାଦ୍ବାରା ମୃତ୍ୟୁ ପରେ ବି ମହାଦେବଙ୍କ ଜଳାଭିଷେକ କରିପାରିବେ । ତେଣୁ ସେ ୧୬୭୮ ରୁ ୧୭୧୮ ମଧ୍ୟଭାଗରେ ଏହି ସହସ୍ରାଲିଙ୍ଗ ଆକୃତିକୁ ନିର୍ମାଣ କରାଇଥିଲେ । ପ୍ରତିବର୍ଷ ମହାଶିବରାତ୍ରୀ ଅବସରରେ ଉକ୍ତ ସ୍ଥାନରେ ବିଶାଳ ମେଳା ଲାଗେ ଏବଂ ଶ୍ରାବଣ ସୋମବାରରେ ମଧ୍ୟ କାଉଡ଼ିଆ ଭକ୍ତ ଏଠାକୁ ଆସି ପୂଜାର୍ଚ୍ଚନା କରିଥା’ନ୍ତି ।