କନକ ବ୍ୟୁରୋ: ଆଉ କିଛିଦିନ ପରେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ । ଏଥିପାଇଁ ପୁରପଲ୍ଲୀରେ ଧନୀଠୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ ସଜବାଜ ଆରମ୍ଭ କରିଦେଲେଣି ଏପରିକି ଦାଦନ ଯାଉଥିବା ଶ୍ରମିକମାନେ ମଧ୍ୟ ନୂଆଁଖାଇକୁ ଧୁମ୍ଧାମ୍ରେ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହାର ସୁଯୋଗ ନେଇ ଦାଦନ ସର୍ଦ୍ଦାରମାନେ ବଇନା (ଅଗ୍ରିମ) ଦେବାକୁ କଳାହାଣ୍ଡି ଜିଲ୍ଲାର ଗାଁ ଗାଁରେ ଡେରା ପକାଇଲେଣି ।
କଳାହାଣ୍ଡିରୁ ରାଜ୍ୟ ବାହାରକୁ ଦାଦନ ଖଟିବା ପାଇଁ ଶ୍ରମିକମାନେ ନୂଆଁଖାଇ ପରେ ଯାଇଥାନ୍ତି । ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ଗୋଆ, ଗୁଜରାଟ ସମେତ ବିଭିନ୍ନ ରାଜ୍ୟର ସହରଗୁଡ଼ିକୁ ପେଟପାଟଣା ପାଇଁ ଯାଇଥାନ୍ତି । ବର୍ଷତମାମ ଏମାନଙ୍କ ଘରେ ତାଲା ପଡୁଥିବା ବେଳେ ନୂଆଁଖାଇ ପାଇଁ ଫେରିଥାନ୍ତି । ଏହାର ସୁଯୋଗ ନେଇ ଦାଦନ ସର୍ଦ୍ଦାରମାନେ ପୁରୁଣା ଓ ନୂଆ ଶ୍ରମିକମାନଙ୍କୁ ବଇନା ଦେଇ ସଂରକ୍ଷିତ ରଖିବାକୁ ଗାଁ ଗାଁରେ ପହଞ୍ଚୁଛନ୍ତି । ଯିଏ ଥରେ ସର୍ଦ୍ଦାରଠୁ ବଇନା ଟଙ୍କା ଛିନିଲା (ଗ୍ରହଣ କଲା) ସେ ସେହି ସର୍ଦାର ପଠାଇବାକୁ ଥିବା ସ୍ଥାନକୁ ଯାଇ ଖଟିବାକୁ ବାଧ୍ୟ । ହେଲେ ନୂଆଁଖାଇ ପାଳନ ପାଇଁ ଗରିବ ଶ୍ରମିକମାନଙ୍କୁ ଟଙ୍କା ଦରକାର ହେଉଥିବାରୁ ସେମାନେ ବାଧ୍ୟ ହୋଇ ବଇନା ଗ୍ରହଣ କରୁଛନ୍ତି । ଫଳରେ ସର୍ଦାରମାନେ ଟଙ୍କା ଦେଇ ନୂଆଁଖାଇ ପରେ ଯିବାକୁ ଚୁକ୍ତି କରୁଛନ୍ତି ।
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳର ଦଣ୍ଡପାଟ, ଗୋଲାମୁଣ୍ଡା ବ୍ଲକ୍, କୋକସରା, ଜୟପାଟଣା, ଥୁଆମୂଳ ରାମପୁର, ଲାଞ୍ଜିଗଡ଼, ଭବାନୀପାଟଣା, ନର୍ଲା, କେସିଙ୍ଗା ସମେତ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଲୋକ ରାଜ୍ୟ ବାହାରକୁ ଦାଦନ ଯାଇଥାନ୍ତି । ଜିଲ୍ଲାର ଧର୍ମଗଡ଼ ଦଣ୍ଡପାଟ ଅଞ୍ଚଳର ବେହେରାଗୁଡ଼ା ଗାଁରେ ଅନେକ ଲୋକଙ୍କ ଘରେ ବର୍ଷତମାମ ତାଲା ଝୁଲୁଥିବାବେଳେ କେବଳ ନୂଆଁଖାଇ କିଛିଦିନ ଘର ଖୋଲା ରହେ । ପରିବାରର ସମସ୍ତେ ଦାଦନ ଖଟିବାକୁ ଯାଉଥିବା ଯୋଗୁଁ ଏଭଳି ଅବସ୍ଥା ଦେଖିବାକୁ ମିଳେ । ଆସନ୍ତା ୨୮ ତାରିଖରେ ନୂଆଁଖାଇ ଥିବା ଯୋଗୁଁ ଶ୍ରମିକମାନେ ଘରମୁହାଁ ହେବାରେ ଲାଗିଛନ୍ତି ।
କଳାହାଣ୍ଡିରେ ଦିନକୁ ଦିନ ଦାଦନ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ୍ ସମୟରେ ପ୍ରାୟ ୬୦ ହଜାର ଶ୍ରମିକ ନିଜ ଭିଟାମାଟିକୁ ଫେରିଥିଲେ । ବର୍ତ୍ତମାନ ଜିଲ୍ଲାରେ ଦାଦନ ସଂଖ୍ୟା ୧୫% ବୃଦ୍ଧି ପାଇଥିବା ଜଣାପଡ଼ିଛି । ସେହି ଅନୁପାତରେ ଦାଦନ ନିର୍ଯାତନା ଓ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ବିଭିନ୍ନ ଉନ୍ନୟନମୂଳକ କାମରେ ନିୟୋଜିତ ଶ୍ରମିକମାନେ ସ୍ଥାନୀୟ ଦ୍ଵାରା ଶୋଷଣର ଶିକାର ହେବା ଓ ଠିକ୍ ସମୟରେ ପ୍ରାପ୍ୟ ପାଉନଥିବାରୁ ନିଜ ଭିଟାମାଟିରେ କାମ କରିବା ପରିବର୍ତ୍ତେ ବାହାର ରାଜ୍ୟକୁ ଦାଦନ ଖଟିଯିବାକୁ ଉଚିତ ମନେ କରୁଛନ୍ତି । ଅନ୍ୟପକ୍ଷରେ ମନରେଗା ଯୋଜନା ଓ ଅନ୍ୟ ଯୋଜନାରେ ଠିକ୍ ଭାବରେ ପ୍ରାପ୍ୟ ପାଉନଥିବାରୁ ସେମାନେ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଥିବା କୁହାଯାଉଛି ।