କନକ ବ୍ୟୁରୋ : ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଅଦ୍ଭୁତ ଲାଗିଲେ ବି ବିଶ୍ବାସ କରିବାକୁ ପଡ଼ିବ । ମଧ୍ୟପ୍ରଦେଶରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ପୂରା ଦେଶରେ ଚର୍ଚ୍ଚା ବଢାଇଦେଇଛି । କେହି କେହି ପିଲାଟିକୁ ଦେଖିବା ପରେ କହୁଛନ୍ତି ଇଏ ଏଲିଅନ୍‌ ପିଲା ବୋଲି । ତେବେ ଜାଣନ୍ତୁ ପ୍ରକୃତରେ ଘଟଣା କଣ…

Advertisment

ମଧ୍ୟପ୍ରଦେଶର ରିୱା ଜିଲ୍ଲାରେ ଜନ୍ମ ହୋଇଥିବା ଶିଶୁକୁ ନେଇ ଭାରି ଚର୍ଚ୍ଚା । ଶିଶୁର ଅଦ୍ଭୁତ ରୂପ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଘଟଣାଟି ତେଓଁଥର ତହସିଲ ଅଞ୍ଚଳରେ ଘଟିବା ପରେ ଶିଶୁକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି ।  

କଣ ଥିଲା ପୂରା ଘଟଣା ?

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ତେଓଁଥର ତହସିଲର ଢକରା ସୋନୌରୀ ଗାଁର ପ୍ରିୟଙ୍କା ପଟେଲଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା । ଯନ୍ତ୍ରଣା ପରେ ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ । ପରେ ପରେ ଡାକ୍ତର କହିଥିଲେ ଶିଶୁପୁତ୍ର ଜନ୍ମ ହୋଇଛି ବୋଲି । ହେଲେ ପିଲାଟି ଜନ୍ମହେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ପିଲା ସ୍ବାଭାବିକ ଭାବରେ ଦେଖାଯାଉନଥିଲା ବରଂ ଅନ୍ୟଗ୍ରହ ଅର୍ଥାତ୍‌ ଏଲିଅନ୍‌ ପରି ଦେଖାଯାଉଥିଲା । ତେଣୁ ସେଠାରେ ସ୍ଥାନୀୟ ଲୋକଙ୍କ ଭିଡ଼ ପ୍ରବଳ ମାତ୍ରାରେ ଦେଖିବାକୁ ମିଳିଥିଲା । ଡାକ୍ତରଙ୍କ କହିବା ଅନୁସାରେ, ଶରୀରର ଚର୍ମ କ୍ଷତବିକ୍ଷତ ଥିଲା ଏବଂ ଦେଖିବାକୁ ଏକ ଏଲିଅନ ପରି ଥିଲା । ଶିଶୁଟିର ଅବସ୍ଥା ଗମ୍ଭୀର ହେବା ପରେ ଡାକ୍ତରମାନେ ତାକୁ ରିୱାର ଗାନ୍ଧୀ ମେମୋରିଆଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ ।  ପରେ ପରେ ଶିଶୁକୁ ଅଧିକ ଉନ୍ନତମାନର ଚିକିତ୍ସା ପାଇଁ ଆଇସିୟୁରେ ଭର୍ତ୍ତି କରାଯାଇଛି । 

ସେପଟେ, ଗାନ୍ଧୀ ମେମୋରିଆଲ ହସ୍ପିଟାଲର ଶିଶୁ ରୋଗ ବିଭାଗର ଡାକ୍ତର ନବୀନ କୁମାରଙ୍କ କହିବା ଅନୁସାରେ, ନବଜାତକ ଶିଶୁଟି ଏକ ଦୁର୍ଲଭ ରୋଗରେ ପୀଡିତ, ଯାହାକୁ ମେଡିକାଲ ଭାଷାରେ "ହାର୍ଲେକ୍ୱିନ୍ ଇକଥିଓସିସ୍" (Harlequin Ichthyosis) କୁହାଯାଏ । ଏହି ରୋଗ ଗମ୍ଭୀର ଏବଂ ଅସାଧ୍ୟ ମଧ୍ୟ । ଏହି ରୋଗରେ, ଗର୍ଭରେ ଥିବା ଶିଶୁର ଚର୍ମ ଜିନ୍ କାରଣରୁ ମୋଟା ହୋଇ ଫାଟିବାକୁ ଲାଗେ । ଏହାଦ୍ୱାରା ଶରୀରରେ ସଂକ୍ରମଣର ଆଶଙ୍କା ବଢ଼ିଯାଏ ।

ହାର୍ଲେକ୍ୱିନ୍ ଇକଥିଓସିସ୍ କ’ଣ?

ହାର୍ଲେକ୍ୱିନ୍ ଇକଥିଓସିସ୍ ହେଉଛି ଇକଥିଓସିସ୍ ବର୍ଗର ସବୁଠାରୁ ଗମ୍ଭୀର ରୋଗ । ଯାହା ଏକ ଚର୍ମ ରୋଗ ଅଟେ । ଏଥିରେ ଶରୀରର ପ୍ରାୟ ସମସ୍ତ ଅଂଶରେ ଚର୍ମ ମୋଟା ହୋଇଯାଏ ଏବଂ ହୀରା ଆକୃତିର ପ୍ଲେଟରେ ବିଭକ୍ତ ହୋଇଯାଏ । ଯାହା ଗଭୀର ଫାଟ ଦ୍ୱାରା ଅଲଗା ହୋଇଥାଏ । ଏହି କଠୋର ଚର୍ମ ଶିଶୁର ଆଖିପତା, ନାକ, ପାଟି ଏବଂ କାନର ଆକୃତିକୁ ପ୍ରଭାବିତ କରେ ଏବଂ ହାତ ଓ ଗୋଡର ଗତିକୁ ସୀମିତ କରିଦିଏ । ଏହି ରୋଗରେ ପୀଡିତ ନବଜାତ ଶିଶୁଙ୍କୁ ତୁରନ୍ତ ନିଓନାଟାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (NICU) ରେ ଯତ୍ନ ନେବା ଆବଶ୍ୟକ । ସେପଟେ ପରିବାର ପିଲାକୁ ନେଇ ଚିନ୍ତାରେ ଥିବା ବେଳେ ଡାକ୍ତର ପିଲା ବଞ୍ଚିବ ବୋଲି ଆଶାବାଦୀ ଅଛନ୍ତି । ତେବେ ସମୟ କହିବ ପିଲା କେବେ ସୁସ୍ଥ ହେଉଛି ।