କନକ ବ୍ୟୁରୋ : ନିତିଦିନିଆ ଜୀବନରେ ଆମ ପାଟିରୁ ବେଳେବେଳେ ବାହାରି ଆସେ ଯେ ମୋ ଭାଗ୍ୟରେ ଥିଲେ ସେ ଜିନିଷଟା ମତେ ମିଳିଯିବ , ଭାଗ୍ୟରେ ତ ନାହିଁ କେମିତି ମିଳିବ , ମୋ ଭାଗ୍ୟ ତ ଖରାପ ମିଳିବ କୁଆଡ଼ୁ, ମୋର କେଡ଼େ ବଡ଼ ଭାଗ୍ୟ.. ଏମିତି ଅନେକ ବାକ୍ୟ କହିଲାବେଳେ ଆମେ ଭାଗ୍ୟକୁ ଭିତରକୁ ଟାଣି ଆଣିଥାଉ । ତେବେ ଏ ଭାଗ୍ୟ କ’ଣ ଏବଂ କେମିତି ଭାଗ୍ୟ ପରିବର୍ତ୍ତନ ହେଲେ ରଙ୍କ ରାଜା ପାଲଟିଯାଏ ତାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ରତ୍ନାକରନ୍ ପିଲ୍ଲାଇ । କେରଳର ଥିରୁୱନନ୍ତପୁରମରେ ପରିବାର ସହ ବସବାସ କରନ୍ତି ରତ୍ନାକରନ୍ । ପେସାରେ ଜଣେ କୃଷକ ଥିବା ରତ୍ନାକରନ୍ ଦରିଦ୍ରର ସୀମାରେଖା ତଳେ ରହି ଦୁଇପଇସା ରୋଜଗାର ପାଇଁ ଦିନରାତି ଏକ କରିଦେଉଥିଲେ । ଆଉ ଏହି ସମୟରେ ସେ ଲଟେରି କିଣିବା ଆରମ୍ଭ କରିଥିଲେ । ଲଟେରି ଯାହାକୁ ଭାଗ୍ୟର ଖେଳ ବୋଲି ମଧ୍ୟ କୁହାଯାଏ ଏଥିରେ ପାସ୍ କରିଥିଲେ ରତ୍ନାକରନ୍ । ଲଟେରି ଜିତି ୬ କୋଟି ଟଙ୍କାର ମାଲିକ ହୋଇପାରିଥିଲେ ଗରିବ କୃଷକ ରତ୍ନାକରନ୍ ।  

Advertisment
Dhan
Dhan Photograph: (google)

ଲଟେରି ଟଙ୍କାରୁ ଅଧା ଟଙ୍କାକୁ ନିଜସ୍ବ ଚାଷଜମି କିଣିବା ପାଇଁ ସେ ଖର୍ଚ୍ଚ କରିଥିଲେ । କିନ୍ତୁ ଭାଗ୍ୟ କେମିତି ବଦଳେ ଦେଖନ୍ତୁ ୬୬ ବର୍ଷୀୟ ରତ୍ନାକରନ୍ ଜମିରେ ଯେତେବେଳେ ମଞ୍ଜି ବୁଣିବା ପାଇଁ ଖୋଦେଇ କରୁଥିଲେ ମାଟି ଭିତରୁ ପୋତା ହୋଇଥିବା ଗୁପ୍ତ ଧନ ପାଇଥିଲେ । ରିପୋର୍ଟ ମୁତାବକ ଜମି ଖୋଳୁଥିବା ବେଳେ କୋଡ଼ି ମାଟି ଭିତରେ ଥିବା ଗୋଟିଏ କଠିନ ବସ୍ତୁକୁ ବାଜିଥିଲା । ଯେତେବେଳେ ସେ ମାଟିକୁ ଅଧିକ ଖୋଳିଥିଲେ ତାଙ୍କୁ ଏକ ବାକ୍ସ ମିଳିଥିଲା । ଯେଉଁ ବାକ୍ସ ଭିତରେ ହଜାର ହଜାର ତମ୍ବା ମୁଦ୍ରା ଥିଲା । ଯାହାର ମୂଲ୍ୟ କାହିଁରେ କେତେ । ଏହି ମୁଦ୍ରା ଉପରେ ଅଧିକ ଗବେଷଣା କରିବାରୁ ଜଣାପଡ଼ିଥିଲା ଯେ ଏହା ତତ୍କାଳୀନ ତ୍ରାବଣକୋର ସାମ୍ରାଜ୍ୟର ଧନ ଥିଲା , ଯାହା ସେହି ସମୟରେ ମାଟି ତଳେ ପୋତି ଦିଆଯାଇଥିଲା । ଜମିର ଯେଉଁ ସ୍ଥାନରୁ ମୂଲ୍ୟବାନ ମୁଦ୍ରା ମିଳିଥିଲା ତାହା ଏକ ପୁରୁଣା କୃଷ୍ଣ ମନ୍ଦିର ପାଖରେ ଅବସ୍ଥିତ , ଯାହା ଥିରୁପଲକଡ଼ଲ ଶ୍ରୀକୃଷ୍ଣ ସ୍ବାମୀ କ୍ଷେତ୍ରମ୍ ନାମରେ ନାମିତ । ବାକ୍ସରେ ଥିବା ମୁଦ୍ରାର ଗଣନା ପରେ ଏହାର ଓଜନ ୨୦ କିଲୋ ୪୦୦ ଗ୍ରାମ୍ ଥିଲା । ବାକ୍ସରେ ୨୫୯୫ ଟି ପ୍ରାଚୀନ ମୁଦ୍ରା ଥିଲା । 

ରତ୍ନାକରନ୍ ପିଲ୍ଲାଇ ସେତେବେଳେ କେରଳ ସରକାରଙ୍କୁ ପ୍ରାଚୀନ ମୁଦ୍ରା ହସ୍ତାନ୍ତର କରିଦେବେ ବୋଲି କହିଥିଲେ । କେରଳ ଟ୍ରେଜର୍ ଆକ୍ଟ ୧୯୬୮ ର ଧାରା ୩ ଅନୁସାରେ ତାଙ୍କୁ ଏପରି କରିବାକୁ ପଡ଼ିଥିଲା । ଉକ୍ତ ପ୍ରାଚୀନ ମୁଦ୍ରାର ମୂଲ୍ୟ କୋଟି କୋଟି ଟଙ୍କା ଥିଲା । ତେବେ ଉକ୍ତ ଘଟଣାଟି ବର୍ତ୍ତମାନ ସମୟର ନୁହେଁ ୨୦୧୯ ମସିହା ପୂର୍ବରୁ ଏଭଳି ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଥିଲା । ଯାହା ବର୍ତ୍ତମାନ ସମୟରେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ରତ୍ନାକରନ୍ ଭାଗ୍ୟକୁ ଦେଖି ୟୁଜର୍ସ ତାଙ୍କୁ ଲକି ମ୍ୟାନ୍ ବୋଲି କହୁଛନ୍ତି ।