କନକ ବ୍ୟୁରୋ: ପ୍ରକୃତିର ଅନନ୍ୟ ସୃଷ୍ଟି ସାଧବ ବୋହୂ । ବର୍ଷା ଦିନେ ଘାସ ଗାଲିଚାରେ ଦେଖିବାକୁ ମିଳନ୍ତି ବିଭିନ୍ନ ପ୍ରକାର କୀଟ । ଏବେ ସେହି ବର୍ଷା ଋତୁ ଚାଲିଛି । ବର୍ଷାରେ ଭିଜୁଛି ଧରିତ୍ରୀ । ହେଲେ ଆଉ ଦେଖିବାକୁ ମିଳୁନାହାନ୍ତି ବର୍ଷାଦିନିଆ କୀଟ ପତଙ୍ଗ । ଅନେକ କୀଟଙ୍କ ଭିତରୁ ଅନନ୍ୟ ପାଟ ପୋକ ବା ଲାଲ ଟୁକୁଟୁକୁ ସାଧବ ପୋକ । ଲାଲ୍‌ ରଙ୍ଗ ଓଢ଼ଣି ଟାଣି ଘାସ ପଡ଼ିଆରେ ବୁଲନ୍ତି ଆଉ ଭଲ ଚାଷର ଆଭାସ ଦେଇଥାନ୍ତି । ସମୟ ସ୍ରୋତରେ ସେମାନେ ହଜିଗଲେଣି । କାଁ ଭାଁ କେଉଁଠି ଦେଖାଯାଉଛନ୍ତି । 

Advertisment

‘ବର୍ଷା ଆସିଲେ, ମୁଁ ଆସେ’
ଧରିତ୍ରୀ କୋଳରେ ଆସର ଜମାଏ

ସବୁଜ ଘାସ ଗାଲିଚାର ସୌନ୍ଦର୍ଯ୍ୟ ବଢ଼ାଉଛନ୍ତି ଲାଲ ଟୁକୁଟୁକୁ ସାଧବ ବୋହୂ । ପୁରୀ ଜିଲ୍ଲା କାକଟପୁର ମଙ୍ଗଳା ମହାବିଦ୍ୟାଳୟ ଖେଳ ପଡ଼ିଆରେ ସାଧବ ବୋହୂଙ୍କୁ ଦେଖି ଖୁବ୍‌ ଆନନ୍ଦିତ ଛାତ୍ରଛାତ୍ରୀ ଓ କଲେଜ କର୍ତ୍ତୃପକ୍ଷ । ମୌସୁମୀର ପ୍ରଥମ ବର୍ଷା ପରେ ଗାଁଠୁ ସହର, ସବୁଆଡ଼େ ଖୋଲା ପଡ଼ିଆରେ ବୁଲିଥାନ୍ତି ଲାଲ୍‌ରଙ୍ଗର ଏହି କୀଟ । ଏମାନଙ୍କୁ ଦେଖି କବି, ଲେଖକଙ୍କ କଲମ ମୁନରୁ ଝରି ଆସୁଥିଲା କବିତା ଓ ଗଳ୍ପ ।  

ସାଧବବୋହୂ ହଜିଯିବାର କାରଣ କ’ଣ?
କାହିଁକି ଆଉ ଆଗଭଳି ଦେଖିବାକୁ ମିଳୁନି ସାଧବ ବୋହୂର ଥିରିଥିରି ଚାଲି? 

ସାଧବ ବୋହୂ କେବଳ ପ୍ରକୃତିର ସୌନ୍ଦର୍ଯ୍ୟ ବୃଦ୍ଧି କରେ ତାହା ନୁହେଁ, ଚାଷୀ ଭାଇର ବନ୍ଧୁ ବୋଲି କୁହାଯାଏ । ଏମାନଙ୍କ ଉପସ୍ଥିତି ସେହି ଅଞ୍ଚଳ ଉତ୍ତମ ଚାଷର ଆଭାସ ଦେଇଥାଏ । ଯେଉଁ କ୍ଷେତ ବା ପଡିଆରେ ଜୈବିକ ଉର୍ବରତା ରହିଥାଏ ସେହିଠାରେ ସାଧବ ବୋହୂ ଜନ୍ମ ହୁଅନ୍ତି । ହେଲେ ଆଜିର ପ୍ରଦୂଷିତ ପରିବେଶ, ଫସଲରେ ବ୍ୟବହାର ହେଉଥିବା ରସାୟନିକ ସାର ଏବଂ କୀଟନାଶକ ଏହି ସୁନ୍ଦରୀ କୀଟଙ୍କ ଅବସ୍ଥିତିକୁ କ୍ଷତି ପହଞ୍ଚାଇଛି ।

ସାଧବ ବୋହୂ ଏକ ନାଲି ରଙ୍ଗର ଛୋଟ ସନ୍ଧିପଦ ପୋକ । ବର୍ଷାଦିନେ ବୁଦାଳିଆ ବାଲିଆ ମାଟିରେ ଦେଖାଯାଏ । ବର୍ଷାର ପ୍ରଥମ ସ୍ପର୍ଶରେ ଜନ୍ମ ହୋଇଥାନ୍ତି । ଗାଢ଼ ସିନ୍ଦୂର ରଙ୍ଗ ହୋଇଥିବାରୁ ସାଧବ ବୋହୂ କୁହାଯାଏ । ବୈଜ୍ଞାନିକ ନାମ ରେଡ୍‌ ଭେଲ୍‌ଭେଟ୍‌ ମାଇଟ୍‌ । ଏହି କୀଟର ଜୀବନ ଚକ୍ର ସ୍ବତନ୍ତ୍ର । ଏମାନଙ୍କର ପ୍ରାୟ ହଜାରେ ପ୍ରଜାତି ରହିଛନ୍ତି । ପ୍ରାପ୍ତ ବୟସ୍କ ସାଧବ ବୋହୂ ପ୍ରାୟ ଏକ ସେଣ୍ଟିମିଟର ଦୈର୍ଘ୍ୟ ଯାଏଁ ବଢ଼ିଥାନ୍ତି । ଗଛପତ୍ରରୁ ରସ ଶୋଷିଥାନ୍ତି । ଆଉ ବୟସ ସୀମା ଗୋଟିଏ ଦିନରୁ ୩ ଦିନ । ହେଲେ ବର୍ତ୍ତମାନ ଅନୁକୂଳ ପରିବେଶର ଅଭାବରୁ ଏମାନଙ୍କ ବଂଶ ବିସ୍ତାର ହୋଇ ପାରୁନାହିଁ ।

(ଅସ୍ତରଙ୍ଗରୁ ନିରଞ୍ଜନ ଦାସଙ୍କ ରିପୋର୍ଟ)