କନକ ବ୍ୟୁରୋ: ଉଲକାପିଣ୍ଡ ଖସିବାର ତ ଆପଣ ଦେଖିଥିବେ ବା ଶୁଣିଥିବେ । ହେଲେ ଉଲକାପିଣ୍ଡ ଖସିବାବେଳେ ଖଣ୍ଡଖଣ୍ଡ ହୋଇ ଉଭାନ ହୋଇଯିବା ଘଟଣା ବହୁତ ବିରଳ । ଶୁକ୍ରବାର ରାତିରେ ଭାରତ ଆକାଶରେ କେଇ ସେକେଣ୍ଡ୍ ପାଇଁ ଏମିତି କିଛି ଘଟିଛି ଯାହା ସାଧାରଣ ଲୋକଙ୍କ ସହ ବୈଜ୍ଞାନିକଙ୍କ ଉତ୍କଣ୍ଠା ବଢ଼ାଇଦେଇଛି ।
ନୂଆଦିଲ୍ଲୀରେ ଶୁକ୍ରବାର ରାତିରେ ଏକ ଚମତ୍କାର ଆକାଶୀୟ ଘଟଣା ଦେଖିବାକୁ ମିଳିଥିଲା । ଏକ ଉଜ୍ଜ୍ୱଳ ଉଲକାପିଣ୍ଡ ଆକାଶକୁ ଆଲୋକିତ କରିଥିଲା, ଯାହା ଦିଲ୍ଲୀ ବାସିନ୍ଦାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ଏବଂ ଯାହା କି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦିଲ୍ଲୀ, ନୋଏଡା, ଗାଜିଆବାଦ, ଗୁରଗ୍ରାମ ଓ ଆଲିଗଡ଼ ସମେତ ଅନେକ ସହରରେ ରାତି ଅଧରେ ଏକ ଆଲୋକିତ ରେଖା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।
ବଡ଼କଥା ହେଉଛି, ରାତିର ଆକାଶରେ ଏକ ଜ୍ୱଳନ୍ତ ଉଲକାପିଣ୍ଡ ତଳକୁ ଖସୁଥିବାର ଦେଖାଯାଇଥିଲା । ଏହି ଉଲକାପିଣ୍ଡଟି ଛୋଟ ଛୋଟ ଉଜ୍ଜ୍ୱଳ ଖଣ୍ଡ ହେବା ପୂର୍ବରୁ ଅନେକ ଲୋକ ମୋବାଇଲରେ କଏଦ କରିଥିଲେ । ଆଉ କିଛି ଲୋକ ଏହାକୁ ‘ସୁଟିଂ ଷ୍ଟାର୍ ବିସ୍ଫୋରଣ’ ସହିତ ତୁଳନା କରିଥିବାବେଳେ ଅନ୍ୟମାନେ ଏହାକୁ ସେମାନେ ଦେଖିଥିବା ସବୁଠାରୁ ଉଜ୍ଜ୍ୱଳ ଉଲକା ବୋଲି ବର୍ଣ୍ଣନା କହିଛନ୍ତି । ଏପଟେ ଜ୍ୟୋତିର୍ବିଜ୍ଞାନ ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ସମ୍ଭବତଃ ଏକ ବୋଲାଇଡ୍ ବା ବଡ଼ ଉଲକାପିଣ୍ଡ ଥିଲା ଯାହା ବାୟୁ ସହ ତୀବ୍ର ଘର୍ଷଣ ଓ ଉତ୍ତାପ ଯୋଗୁ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ଖଣ୍ଡ ଖଣ୍ଡ ହୋଇଗଲା ।
ଯଦିଓ ଉଲକାପିଣ୍ଡ ଅସାଧାରଣ ନୁହେଁ, ଏତେ ବଡ଼ ଜନସଂଖ୍ୟା ପାଇଁ ଦୃଶ୍ୟମାନ ହେଉଥିବା ଏକ ଉଜ୍ଜ୍ୱଳ ଘଟଣା ବିରଳ ବୋଲି କୁହାଯାଉଛି । ଅଧିକାଂଶ ଉଲକାପିଣ୍ଡ ଭୂମିରେ ପହଞ୍ଚିବା ପୂର୍ବରୁ ପାଉଁଶ ହୋଇଯାଉଥିବାରୁ କୌଣସି କ୍ଷୟକ୍ଷତି ହେବାର ଆଶଙ୍କା ନ ଥାଏ । ସାଧାରଣତଃ ସେପ୍ଟେମ୍ବର ମାସରେ ଆକାଶ ନିର୍ମଳ ରୁହେ ଏବଂ ଗ୍ରହାଣୁମଣ୍ଡଳ ପୃଥିବୀର ନିକଟତର ହେଉଥିବାରୁ ଅଧିକାଂଶ ଉଲକାପାତ ଦେଖିବାକୁ ମିଳେ । ଦିଲ୍ଲୀ-ଏନ୍ସିଆର୍ର ବାସିନ୍ଦାମାନେ ଏହି ଆଶ୍ଚର୍ଯ୍ୟକର ଘଟଣା ମାତ୍ର କିଛି ସେକେଣ୍ଡ ପାଇଁ ଦେଖିଥିଲେ କିନ୍ତୁ ଏହା ପୂରା ସହରକୁ ଆଲୋକିତ କରିଦେଇଥିଲା ।