କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତର ପ୍ରଧାନମନ୍ତ୍ରୀ । ଅନେକ ସମୟରେ ଚର୍ଚ୍ଚା ହୁଏ କି, କେତେ ଦିନ ପିଏମ୍ ରହିବେ ମୋଦୀ । କରଣ ମୋଦୀଙ୍କୁ ୭୫ ବର୍ଷ ହେବା ପରେ ସେ ରାଜନୀତିରେ ରହିବେ କି ନାହିଁ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଆଉ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ । କହିଥିଲେ, ମୋଦୀ ୭୫ ବର୍ଷରେ ଅବସର ନେବେ ବୋଲି ମୁଁ ଆଦୌ କେବେ କହିନାହିଁ । ଆଉ ଏବେ ରାଜନାଥ ମୋଦୀଙ୍କୁ ନେଇ ଯେଉଁ ବୟାନ ଦେଇଛନ୍ତି ତାହା ଚର୍ଚ୍ଚା ହେଉଛି । 

Advertisment

ମୋଦୀଙ୍କୁ ନେଇ ରାଜନାଥଙ୍କ ବଡ଼ ବୟାନ
କହିଲେ, ୨୦୩୯ ପର୍ଯ୍ୟନ୍ତ ମୋଦୀ ହିଁ ରହିବେ ପ୍ରଧାନମନ୍ତ୍ରୀ
ପ୍ରତିକୂଳ ପରିସ୍ଥିତିରେ ନିଷ୍ପତ୍ତି ନେବାରେ ମାହିର
ମୋଦୀଙ୍କ ନେତୃତ୍ବରେ ଶକ୍ତିଶାଳୀ ହେଉଛି ଭାରତ
ଦେଶର ବିକାଶକୁ ନୂଆ ଦିଗ ଦେଇଛି ମୋଦୀଙ୍କ ନେତୃତ୍ବ

୨୦୧୪ରୁ ଲଗାତାର ଦେଶର ପ୍ରଧାନମନ୍ତ୍ରୀ ରହିଛନ୍ତି ମୋଦୀ । ଆଉ ପ୍ରତିଥର ସେ ନେଉଥିବା ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଚାଲେ । ନୋଟ୍‌ବନ୍ଦୀଠୁ ପିଏମ୍‌ ଜନଧନ ଯୋଜନା, ଧାରା ୩୭୦ ଉଚ୍ଛେଦ, ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌, ସର୍ଜିକାଲ୍‌ ଷ୍ଟ୍ରାଇକ୍‌, ପହଲଗାମ୍‌ ପ୍ରତିଶୋଧ, ଜିଏସ୍‌ଟି ଓ ତିନି ତଲାକ୍‌ ସହ ବିଦେଶ ନୀତିକୁ ନେଇ ସବୁବେଳେ ଚର୍ଚ୍ଚାରେ ମୋଦୀ । ଖାଲି ଏତିକି ନୁହେଁ ବରଂ ମୋଦୀଙ୍କ ନେତୃତ୍ବରେ ବିଜେପି ଗୋଟିଏ ପରେ ଗୋଟିଏ ରାଜ୍ୟରେ ବି ସରକାର ଗଠନ କରିବାରେ ସଫଳ ହୋଇଛି । ସେଇଥି ଲାଗି ତ ମୋଦୀଙ୍କୁ ପୂରା ଦେଶ ପ୍ରଶଂସା କରୁଛି । ଠିକ୍‌ ସେହିପରି ରାଜନାଥ କହିଛନ୍ତି,  ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି ଏବଂ ବିଜେପିକୁ ଦେଇଥିବା ଦିଗଦର୍ଶନ ପ୍ରଶଂସାଯୋଗ୍ୟ ।  

ମୋଦୀଙ୍କ ବ୍ୟକ୍ତତ୍ବ ଅଦ୍ବିତୀୟ
ସେବା କରିବାର ନିଷ୍ଠା ଅନେକଙ୍କ ପାଇଁ ପ୍ରେରଣା

ରାଜନୀତି ଅନେକ ଲୋକ କରନ୍ତି, ପ୍ରଧାନମନ୍ତ୍ରୀ ଅନେକ ନେତା ହୋଇଛନ୍ତି । ହେଲେ ମୋଦୀଙ୍କ ପରି ନେତା ମିଳିବା କଷ୍ଟକର ବୋଲି କହିଛନ୍ତି ରାଜନାଥ । ଏହାସହ ରାଜନାଥ କହିଛନ୍ତି, ମୋଦୀ ଯେଉଁପରି ନିଷ୍ପତ୍ତି ନେଇଛନ୍ତି ତାହା ସହଜ ନଥିଲା । ପ୍ରତି ସମୟରେ ବିରୋଧରେ ସାମନା କରିବାକୁ ପଡ଼ିବ ବୋଲି ଜାଣିବା ପରେ ବି ଦେଶର ହିତ ପାଇଁ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଥିଲେ ମୋଦୀ । 

ଦେଶର ଅର୍ଥନୀତିରେ ସୁଧାର
ମୋଦୀଙ୍କ ନିଷ୍ପତ୍ତି ପଥରେ ଦେଶର ପ୍ରଗତି

ବିଜେପି ସରକାର ଆସିବା ପରେ ଦେଶର ବିକାଶ ପାଇଁ ଅନେକ ନିଷ୍ପତ୍ତି ନିଆଯାଇଛି । ଏହିସବୁ ନିଷ୍ପତ୍ତିଗୁଡ଼ିକ ନେବା ସହଜ ନଥିଲା କିନ୍ତୁ ମୋଦୀଙ୍କ ଦୃଢ଼ ଇଚ୍ଛାଶକ୍ତି ଏବଂ ସାହସିକତା ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଏହି ନିଷ୍ପତ୍ତିଗୁଡ଼ିକ ଦେଶର ଅର୍ଥନୀତି, ସାମାଜିକ ସଂସ୍କାର ଏବଂ ଆନ୍ତରିକ ସୁରକ୍ଷା କ୍ଷେତ୍ରରେ ସକରାତ୍ମକ ପରିବର୍ତ୍ତନ ଆଣିଛି ବୋଲି ରାଜନାଥ କହିଛନ୍ତି । ସେହିପରି, ଅନ୍ତର୍ଜାତୀୟ ସ୍ତରରେ ମୋଦୀଙ୍କ ନେତୃତ୍ୱକୁ ମଧ୍ୟ ରାଜନାଥ ପ୍ରଶଂସା କରିଛନ୍ତି । ତାଙ୍କ କାର୍ଯ୍ୟକାଳରେ ଭାରତର ବୈଦେଶିକ ନୀତି ବହୁତ ଶକ୍ତିଶାଳୀ ହୋଇଛି । ଭାରତ ଆଜି ବିଶ୍ୱର ଏକ ପ୍ରମୁଖ ଶକ୍ତି ଭାବରେ ଉଭା ହୋଇଛି ଏବଂ ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ବି ଏହାକୁ ପ୍ରଶଂସା କରାଯାଉଛି । 

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ଜଣେ ଏପରି ନେତା ଯିଏ ନିଜ ବ୍ୟକ୍ତିତ୍ୱ, ନିଷ୍ପତ୍ତି ଏବଂ ନେତୃତ୍ୱ ମାଧ୍ୟମରେ ଭାରତକୁ ଏକ ନୂଆ ଦିଗକୁ ନେଇଯାଇଛନ୍ତି । ତାଙ୍କର ଦୃଢ଼ତା, ଦୂରଦୃଷ୍ଟି, ଏବଂ ଜନତାଙ୍କ ପ୍ରତି ପ୍ରତିବଦ୍ଧତା ତାଙ୍କୁ ଏକ ଅନନ୍ୟ ସ୍ଥାନ ଦେଇଛି, ଯାହା ଭବିଷ୍ୟତରେ ମଧ୍ୟ ସ୍ମରଣୀୟ ହୋଇ ରହିବ ଏବଂ ଆଗାମୀ ଦିନରେ ମୋଦୀ ହିଁ ପିଏମ୍‌ ରହିବେ ବୋଲି ରାଜନାଥ ସ୍ପଷ୍ଟ କରିଛନ୍ତି ।