କନକ ବ୍ୟୁରୋ: ବିହାର ଗସ୍ତରେ ଏବେ ଅଛନ୍ତି ରାହୁଲ ଗାନ୍ଧୀ । ଭୋଟ୍‌ ଚୋରି ପ୍ରସଙ୍ଗରେ ରାଲି କରି ଶାସକ ବିରୋଧୀ ଓ ନୀତିଶ ସରକାର ଉପରେ ପ୍ରବଳ ବର୍ଷୁଛନ୍ତି ରାହୁଲ । ଏହାରି ଭିତରେ ଗତକାଲି ରାହୁଲ ବିଲରେ ପଶି ଚାଷୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଥିଲେ । ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ହେଲେ ରବିବାର ରାହୁଲ ବୁଲେଟ୍‌ ଚଲାଇ ରାଲି କରୁଥିବା ବେଳେ ଜଣେ ଯୁବକ ତାଙ୍କ ଗାଡ଼ି ପାଖକୁ ଆସି ଚୁମ୍ବନ କରିଥିଲେ । ଅବଶ୍ୟ ଉପସ୍ଥିତ ସୁରକ୍ଷାକର୍ମୀ ତାଙ୍କୁ ସଙ୍ଗେ ସଙ୍ଗେ ଘୋଡାଇ ଦେଇଥିଲେ । ହେଲେ ରାହୁଲଙ୍କ ପ୍ରତିଥିବା ତାଙ୍କର ଭଲପାଇବ ସ୍ପଷ୍ଟ ଜଣାପଡୁଥିଲା । ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି କି ରାହୁଲ ଏହି ଘଟଣାରେ ଆଦୌ ବିରକ୍ତିଭାବ ପ୍ରକାଶ କରିନାହାନ୍ତି ।

Advertisment

ବିହାରରେ ବୁଲେଟ୍‌ ଚଲାଉଥିଲେ ରାହୁଲ
ହଠାତ୍‌ ଜଣେ ଯୁବକ ଆସି ରାହୁଲଙ୍କୁ କଲେ ଚୁମ୍ବନ
ସଙ୍ଗେ ସଙ୍ଗେ ସୁରକ୍ଷା କର୍ମୀ ହଟାଇଦେଲେ
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ 
ଭୋଟ୍‌ ଅଧିକାର ଯାତ୍ରାର ଅଷ୍ଟମ ଦିନ
ବୁଲେଟ୍‌ ଚଲାଇ ବିହାର ବୁଲିଲେ ରାହୁଲ

ଭୋଟ ଅଧିକାର ଯାତ୍ରାର ରବିବାର ଥିଲା ଅଷ୍ଟମ ଦିନ । ରାହୁଲ ନିଜ ରାଲିଲେ ବିହାର ବାସିନ୍ଦାଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି । ଏହି ରାଲି ସମୟରେ ଆରଜେଡି ନେତା ତେଜସ୍ବୀ ଯାଦବ ବି ରାହୁଲଙ୍କ ସହ ଏକାଠି ହୋଇ ରାଲି କରିଥିଲେ । କଡ଼ା ସୁରକ୍ଷାରେ ବିରୋଧୀ ଦଳ ନେତାଙ୍କ ରାଲି ଚାଲିଥିବା ବେଳେ କେମିତି ଜଣେ ଯୁବକ ହଠାତ୍‌ ଗାଡ଼ି ପାଖକୁ ପଳାଇ ଆସିଲେ ତାହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ସୁରକ୍ଷାକର୍ମୀ ତାଙ୍କୁ ମାଡ଼ ମାରିଥିବା ନେଇ କୁହାଯାଉଛି । 

କାହିଁକି ହେଉଛି ଭୋଟର ଅଧିକାର ଯାତ୍ରା

ନିର୍ବାଚନ କମିସନଙ୍କ ଦ୍ବାରା ବିହାରରେ କରାଯାଉଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ବା ଏସ୍‌ଆଇଆର୍‌ରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ରାହୁଲ । ଖାଲି ଅଭିଯୋଗ ଆଣିଛନ୍ତି ତାହା ନୁହେଁ ବରଂ ପ୍ରତିଟି ଭୋଟରଙ୍କୁ ସଚେତନତା କରାଇବା ଉଦ୍ଦେଶ୍ୟରେ ୧୬ ଦିନିଆ ବିହାର ଗସ୍ତରେ ଅଛନ୍ତି ରାହୁଲ । ଏହି ଯାତ୍ରାରେ ପ୍ରାୟ ୧୩୦୦ କିଲୋମିଟରରୁ ଅଧିକ ରାସ୍ତା ଅତିକ୍ରମ ରହିବାର କାର୍ଯ୍ୟକ୍ରମ ରହିଛି । ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଅନେକ ସ୍ଥାନରେ ଜନସଭାକୁ ସମ୍ବୋଧନ କରୁଛନ୍ତି ଏବଂ ବିଜେପି ଓ ନୀତିଶ ସରକାର ବିରୋଧରେ ଗର୍ଜନ କରୁଛନ୍ତି ।

ଅବଶ୍ୟ ରାହୁଲଙ୍କ ଯାତ୍ରାକୁ ନେଇ ଶାସକ ଦଳ ପ୍ରତିକ୍ରିୟା ରଖିଛି । କହିଛି, ରାହୁଲଙ୍କ ଏହି ଯାତ୍ରା ଭୋଟରଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । କିନ୍ତୁ ରାହୁଲ ସାଧାରଣ ସଭାକୁ ସମ୍ବୋଧନ କରୁଛନ୍ତି ଏବଂ ଜନସାଧାରଣଙ୍କ ପାଖରେ କଂଗ୍ରେସର ବିଚାରଧାରାକୁ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ମୋଟ୍‌ ଉପରେ ରାହୁଲଙ୍କ ବିହାର ଯାତ୍ରାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ଆଗାମୀ ବିଧାନସଭାରେ ଏହାର କେତେ ପ୍ରଭାବ ପଡ଼ିବ ତାହା ସମୟ କହିବ । ହେଲେ ରାହୁଲ ପୁଣି ଥରେ ଆଗାମୀ ଦିନରେ ସରକାରଙ୍କ ଉପରେ କେମିତି ବର୍ଷୁଛନ୍ତି ତାହାକୁ ଏବେ ଅପେକ୍ଷା ।