କନକ ବ୍ୟୁରୋ: ଏକା ପଡ଼ିଯାଉଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ନିଜ ଦଳର ନେତାମାନେ ବି ଦେଉନାହାନ୍ତି ସାଥ୍ । ସଂସଦ ହେଉ କି ସଂସଦ ବାହାରେ, ଏବେ ରାହୁଲଙ୍କୁ ନିଜ ଦଳର ନେତାମାନେ ସମର୍ଥନ ଜଣାଉନଥିବା ଦେଖିବାକୁ ମିଳିଛି । ଏଇ ଯେମିତି ଭାରତ ଏକ ‘ମୃତ ଅର୍ଥନୀତି’ ବୋଲି ଡୋନାଲ୍ଡ ଟ୍ରମ୍ପ୍ ଦେଇଥିବା ମନ୍ତବ୍ୟକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମର୍ଥନ କରିବା ପରେ ତାଙ୍କ ଦଳର ସାଂସଦ ଶଶୀ ଥରୁର ଏହାକୁ କଡ଼ା ସମାଲୋଚନା କରିଛନ୍ତି ।

Advertisment

ଟ୍ରମ୍ପଙ୍କ ମନ୍ତବ୍ୟ ସମ୍ପର୍କରେ ପଚରାଯିବାରୁ ଥରୁର ସଂସଦ ବାହାରେ ସାମ୍ବାଦିକମାନଙ୍କୁ କହିଛନ୍ତି, ଭାରତ ଏକ ଚଳଚଞ୍ଚଳ ଅର୍ଥନୀତି, ଏହା ଆମେ ସମସ୍ତେ ଏହା ଜାଣିଛୁ । ବିଶ୍ଵର ଚତୁର୍ଥ ବୃହତ୍ତମ ଅର୍ଥନୀତି ମୃତ କେମିତି ହୋଇପାରିବ ? ଗୁରୁବାର ଟ୍ରମ୍ପ ଭାରତ ଓ ରୁଷିଆକୁ ଟାର୍ଗେଟ୍ କରି କହିଛନ୍ତି ଯେ ମସ୍କୋ ସହ ନୂଆଦିଲ୍ଲୀର କାରବାରକୁ ନେଇ ସେ ଚିନ୍ତିତ ନୁହନ୍ତି ଏବଂ ଦୁହେଁ ସେମାନଙ୍କର ମୃତ ଅର୍ଥନୀତିକୁ ଆହୁରି ରସାତଳକୁ ନେଇପାରିବେ । ଆମେ ଭାରତ ସହିତ ବହୁତ କମ୍ ବ୍ୟବସାୟ କରିଛୁ, ସେମାନଙ୍କ ଶୁଳ୍କ ବହୁତ ଅଧିକ, ବିଶ୍ଵରେ ସର୍ବୋଚ୍ଚ । ସେହିଭଳି ରୁଷିଆ ଓ ଆମେରିକା ମିଳିତ ଭାବେ କୌଣସି କାରବାର କରନ୍ତି ନାହିଁ । ଭାରତରୁ ଆମଦାନି ଉପରେ ୨୫ ପ୍ରତିଶତ ଶୁଳ୍କ ଏବଂ ରୁଷୀୟ ସାମରିକ ଉପକରଣ ଓ ଶକ୍ତି କିଣିବା ପାଇଁ ଅତିରିକ୍ତ ଜରିମାନା ଘୋଷଣା କରିବାର ଗୋଟିଏ ଦିନ ପରେ ସେ ଟ୍ରୁଥ୍ ସୋସିଆଲରେ ଏହା ଲେଖିଛନ୍ତି ।

ଏହାର କିଛି ଘଣ୍ଟା ପରେ ରାହୁଲ ଗାନ୍ଧୀ ଟ୍ରମ୍ପଙ୍କ ସହ ଏକମତ ବୋଲି କହିଥିଲେ । କଂଗ୍ରେସ ସାଂସଦ କାର୍ତ୍ତି ଚିଦମ୍ବରମ୍ ମଧ୍ୟ ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟରୁ ନିଜକୁ ଦୂରେଇ ରଖି କହିଛନ୍ତି ଯେ ଟ୍ରମ୍ପ ଜଣେ ‘ଅଣପାରମ୍ପରିକ ରାଜନେତା’ । ଭାରତ ଓ ଆମେରିକା ଉଭୟ ବୃହତ୍ ଅର୍ଥନୀତି ଏବଂ ଉଭୟଙ୍କୁ ପରସ୍ପରର ଆବଶ୍ୟକତା ରହିଛି । ଉଭୟ ଦେଶର ଲୋକଙ୍କ ଭିତରେ ଭଲ ସମ୍ପର୍କ ରହିଛି । ଆମେରିକା ରାଷ୍ଟ୍ରପତିଙ୍କ ମନ୍ତବ୍ୟ ଏହି ସମ୍ପର୍କକୁ ଦୀର୍ଘକାଳୀନ ଭାବେ ବିଚ୍ଛିନ୍ନ କରିବ ନାହିଁ ।

ରାଷ୍ଟ୍ରପତି ଟ୍ରମ୍ପ ଅନେକ ଦେଶ ଏବଂ ଅନେକ ଅନ୍ତର୍ଜାତୀୟ ବ୍ୟକ୍ତିତ୍ବଙ୍କ ବିଷୟରେ ସମାନ ମନ୍ତବ୍ୟ ଦେଇଛନ୍ତି, କିନ୍ତୁ ଶେଷରେ ସେ ସେମାନଙ୍କ ସହ ଏକ ପ୍ରକାର ବୁଝାମଣାରେ ପହଞ୍ଚିଛନ୍ତି ବୋଲି ଚିଦମ୍ବରମ୍ କହିଛନ୍ତି । ରାଜ୍ୟସଭା ସାଂସଦ ରାଜୀବ ଶୁକ୍ଳା ମଧ୍ୟ ଟ୍ରମ୍ପଙ୍କ ବୟାନକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି । ଆମର ଅର୍ଥନୈତିକ ସ୍ଥିତି ଆଦୌ ଦୁର୍ବଳ ନୁହେଁ । ଯଦି କେହି ଦାବି କରନ୍ତି ଯେ ସେମାନେ ଆମକୁ ଅର୍ଥନୈତିକ ଭାବରେ ଶେଷ କରିପାରିବେ, ତେବେ ଏହା ଭୁଲ୍ । ଟ୍ରମ୍ପ ଏକ ଭ୍ରମରେ ରହୁଛନ୍ତି ବୋଲି ସେ ଗୁରୁବାର ଏକ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ।