କନକ ବ୍ୟୁରୋ: ବିଦେଶରେ ରହିବାକୁ ପ୍ରାୟ ସମସ୍ତଙ୍କର ସ୍ବପ୍ନ ଥାଏ । ହେଲେ ଅନେକଙ୍କ ପାଖରେ ଆବଶ୍ୟକୀୟ ଟଙ୍କା ନଥିବା କାରଣରୁ ଆମେ ବିଦେଶରେ ରହିପାରୁନାହାନ୍ତି । କିନ୍ତୁ ଆଦୌ ଟେନ୍ସନ୍ ହୁଅନ୍ତୁ ନାହିଁ । କାରଣ ମାତ୍ର ୩୩ ହଜାର ଟଙ୍କାରେ ଏଣିକି ୨ ବର୍ଷ ପର୍ଯ୍ୟନ୍ତ ଆପଣ ବିଦେଶରେ ରହିପାରିବେ । ତେବେ ଦକ୍ଷିଣ ଆମେରିକାର ଦେଶ ପାରାଗୁଏ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଆଣିଦେଇଛି । ଏହି ଦେଶ ଭାରତୀୟମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଅସ୍ଥାୟୀ ନିବାସ ଯୋଜନା ଆରମ୍ଭ କରିଛି । ଯାହା ଅଧୀନରେ ଆପଣ ମାତ୍ର ୩୩,୩୦୦ ଟଙ୍କାରୁ କମ୍ ଖର୍ଚ୍ଚରେ ଦୁଇ ବର୍ଷ ପାଇଁ ସେଠାରେ ରହିପାରିବେ ।
କ’ଣ ଏହି ଅସ୍ଥାୟୀ ନିବାସ ଯୋଜନା?
ପାରାଗୁଏ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଯୋଜନା ବିଦେଶୀ ନାଗରିକମାନଙ୍କୁ ଦୁଇ ବର୍ଷ ପାଇଁ ଦେଶରେ ଆଇନଗତ ଭାବେ ରହିବା, କାମ କରିବା ଏବଂ ନିବେଶ କରିବାର ସୁଯୋଗ ଦେଉଛି । ଏହି ଅସ୍ଥାୟୀ ନିବାସ ଅନୁମତି ପତ୍ରକୁ ପରେ ସ୍ଥାୟୀ ନିବାସରେ ପରିଣତ କରାଯାଇପାରିବ । ୨୧ ମାସ ପାରାଗୁଏରେ ରହିବା ପରେ ଆପଣ ସ୍ଥାୟୀ ନାଗରିକତା ପାଇଁ ଆବେଦନ କରିପାରିବେ ବୋଲି ଜଣାପଡ଼ିଛି । ଏହି ଯୋଜନା ବିଶେଷ କରି ଫ୍ରିଲାନ୍ସର, ରିମୋଟ୍ କର୍ମଚାରୀ, ଉଦ୍ୟୋଗୀ ଏବଂ ଅବସରପ୍ରାପ୍ତ ବ୍ୟକ୍ତିମାନଙ୍କ ପାଇଁ ବଢ଼ିଆ ଅଫର୍ ଆଣିଦେବ ।
କେମିତି କରିବେ ଆବେଦନ
ଏହି ଯୋଜନାରେ ଆବେଦନ ପାଇଁ ସରକାରୀ ଶୁଳ୍କ ପ୍ରାୟ ୩୮୦ ଆମେରିକୀୟ ଡଲାର ରହିଛି । ଯାହା ଭାରତୀୟ ମୁଦ୍ରାରେ ପାଖାପାଖି ୩୩,୨୦୨ ଟଙ୍କା ହେବ । ତେବେ ଏହା କେବଳ ସରକାରୀ ଖର୍ଚ୍ଚ; ଏହା ବ୍ୟତୀତ ଓକିଲ ଫି, ଡକ୍ୟୁମେଣ୍ଟ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ଲାଗିପାରେ । ଆବେଦନ କରିବା ପାଇଁ ଆପଣଙ୍କୁ ପ୍ରଥମେ ଏକ ପର୍ଯ୍ୟଟକ ଭିସାରେ ପାରାଗୁଏ ଯିବାକୁ ପଡିବ। ଦେଶରେ ପହଞ୍ଚିବା ପରେ ଇମିଗ୍ରେସନ୍ ଅଫିସରେ ଆବେଦନପତ୍ର ଦାଖଲ କରିବାକୁ ହେବ । ସାଧାରଣତଃ ଆବେଦନର ୩ରୁ ୬ ମାସ ମଧ୍ୟରେ ଅନୁମୋଦନ ମିଳିବ ବୋଲି ସୂଚନା ରହିଛି ।
ଆବଶ୍ୟକୀୟ ଡକ୍ୟୁମେଣ୍ଟ:
ଆବେଦନ କରିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟର ଆବଶ୍ୟକତା ରହିଛି:
• ବୈଧ ପାସପୋର୍ଟ
• ଜନ୍ମ ପ୍ରମାଣପତ୍ର
• ଆପଣଙ୍କ ନିଜ ଦେଶରୁ ପୁଲିସ୍ କ୍ଲିୟରାନ୍ସ ସାର୍ଟିଫିକେଟ୍
ବିବାହ କିମ୍ବା ଛାଡପତ୍ର ପ୍ରମାଣପତ୍ର (ଯଦି ପ୍ରଯୁଜ୍ୟ)
• ଆର୍ଥିକ ସ୍ୱଚ୍ଛଳତାର ପ୍ରମାଣ
• ସମସ୍ତ ଡକ୍ୟୁମେଣ୍ଟକୁ ଜଣେ ସ୍ୱୀକୃତିପ୍ରାପ୍ତ ଅଫିସରଙ୍କ ଦ୍ୱାରା ସ୍ପାନିସ ଭାଷାରେ ଅନୁବାଦ କରିବା ବାଧ୍ୟତାମୂଳକ କରାଯାଇଛି । ପାରାଗୁଏରେ ପହଞ୍ଚିବା ପରେ ଆପଣଙ୍କୁ ସ୍ଥାନୀୟ ଡକ୍ୟୁମେଣ୍ଟ ଯେପରିକି ଇଣ୍ଟରପୋଲ୍ ସାର୍ଟିଫିକେଟ୍ ଏବଂ ସ୍ଥାନୀୟ ପୁଲିସ୍ କ୍ଲିୟରାନ୍ସ ମଧ୍ୟ ହାସଲ କରିବାକୁ ପଡିବ।
ଅନ୍ୟାନ୍ୟ ସୁବିଧା:
ଏହି ଅସ୍ଥାୟୀ ନିବାସ ଅନୁମତି ପତ୍ରଧାରୀଙ୍କୁ ପାରାଗୁଏରେ କୌଣସି ବାଧାବିଘ୍ନ ବିନା ରହିବା ଏବଂ କାମ କରିବାର ସ୍ୱାଧୀନତା ମିଳିଥାଏ । ଏହାଛଡ଼ା, ଏହି କାର୍ଡ ଦ୍ୱାରା ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଏବଂ ଅନ୍ୟାନ୍ୟ ଆଇନଗତ କାର୍ଯ୍ୟ କରିବା ସହଜ ହୋଇଥାଏ। ଦକ୍ଷିଣ ଆମେରିକାର ପାରାଗୁଏ ସହର ମୁଖ୍ୟ ଭାଗରେ ଥିବାରୁ ସେଠାରେ ରହିବାକୁ ଅନେକ ଇଚ୍ଛା କରନ୍ତି । ତେବେ ଆପଣ ବି ଆଦୌ ଡେରି ନକରି ତୁରନ୍ତ ବିଦେଶ ଗସ୍ତରେ ଯାଇପାରିବେ ।