କନକ ବ୍ୟୁରୋ: ଆର୍ଥିକ ଅନଟନ ସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ ଅର୍ଥନୀତିକୁ ଲାଗିଛି ଶକ୍ତ ଝଟ୍କା । ପାଣ୍ଠି ସମ୍ପର୍କରେ ଆଲୋଚନା କରିବା ଲାଗି ଆସିଥିବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ପ୍ରତିନିଧି ଦଳ କୌଣସି ଚୁକ୍ତି ସ୍ବାକ୍ଷର ନ କରି ଆମେରିକା ଫେରିଯାଇଛନ୍ତି । ଫଳରେ ପାକିସ୍ତାନକୁ ମିଳିବାକୁ ଥିବା ୧ ବିଲିୟନ୍ ଡଲାର ବର୍ତ୍ତମାନ ସମୟ ପାଇଁ ଅଟକିଯାଇଛି ।
ବଡ଼କଥା ହେଉଛି ଆଲୋଚନା ବେଳେ ଆଇଏମ୍ଏଫ୍ ପ୍ରତିନିଧିମାନେ ପାକିସ୍ତାନର ଖର୍ଚ୍ଚ ଉପରେ ପ୍ରଶ୍ନ ଉଠାଇଥିଲେ । ବିଶେଷ କରି ବଜେଟ୍ ଅର୍ଥର କୁପରିଚାଳନା, ବିଳାସରେ ଖର୍ଚ୍ଚ ଏବଂ ପ୍ରତିରକ୍ଷା ଖର୍ଚ୍ଚରେ ହୋଇଥିବା ବୃଦ୍ଧିକୁ ନେଇ ସେମାନେ ଚିନ୍ତା ପ୍ରକଟ କରିଥିଲେ । ସେମାନଙ୍କୁ ବୁଝାଇବା ଲାଗି ଆଲୋଚନା ଅବଧି ବଢ଼ାଯାଇଥିଲା । ତଥାପି ଅମଙ୍ଗ ହୋଇଥିଲେ ଆଇଏମ୍ଏଫ୍ ଟିମ୍ ।
୨୦୨୫-୨୬ରେ ପ୍ରତିରକ୍ଷା ବଜେଟ୍କୁ ପାକିସ୍ତାନ ୨୦ ପ୍ରତିଶତ ବଢ଼ାଇଛି । ଏହା ବ୍ୟତୀତ ଗତ ଛଅ ମାସରେ ଏଭଳି ୨.୫ ବିଲିୟନ ଡଲାରର ଅତିରିକ୍ତ ଖର୍ଚ୍ଚ ବିଷୟରେ ପାକିସ୍ତାନ ଭଲ ଭାବେ ବୁଝାଇପାରିନଥିଲା । ଏହି ଆର୍ଥିକ ଅନିୟମିତତାଗୁଡ଼ିକ ପାକିସ୍ତାନର ସ୍ବଚ୍ଛତା ଓ ଆର୍ଥିକ ଉତ୍ତରଦାୟିତ୍ଵ ଉପରେ ପ୍ରଶ୍ନ ଉଠାଇଛି । ନିରାପତ୍ତା କାର୍ଯ୍ୟ ପାଇଁ ଗଠନ କରାଯାଇଥିବା ସ୍ଵତନ୍ତ୍ର ପାଣ୍ଠିକୁ ନେଇ ମଧ୍ୟ ଆଇଏମ୍ଏଫ୍ ପ୍ରଶ୍ନ କରିଛି ।
ଚଳିତ ବର୍ଷ ମେ'ରେ ହୋଇଥିବା ବନ୍ୟା ଏବଂ ଭାରତ ସହ ସାମରିକ ସଂଘର୍ଷ ପାଇଁ ଆର୍ଥିକ ଲକ୍ଷ୍ୟ ହାସଲ ହୋଇପାରିନଥିବା ଆଇଏମ୍ଏଫ୍ ପ୍ରତିନିଧିକୁ ପାକିସ୍ତାନ କହିଥିଲା । କେତେକ ଗୁରୁତ୍ଵପୂର୍ଣ୍ଣ ସଂସ୍କାର ଆଣିଲେ ପରବର୍ତ୍ତୀ ପର୍ଯ୍ୟାୟ ପାଣ୍ଠି ଦିଆଯିବ ବୋଲି ଆଇଏମ୍ଏଫ୍ କିଛି କଠୋ ସର୍ତ୍ତ ରଖିଥିଲା । କିନ୍ତୁ ରାଜସ୍ଵ ସଂଗ୍ରହ ଓ ବଜେଟ୍ରେ ଉଦାରବାଦ ଆଣିବା ବିଷୟର ସମାଧାନ ହୋଇପାରିନାହିଁ । ପାକିସ୍ତାନର ବୈଦେଶିକ ମୁଦ୍ରା ଦ୍ରୁତ ଗତିରେ ହ୍ରାସ ପାଉଥିବା ବେଳେ ନିଜସ୍ଵ ମୁଦ୍ରାରେ ଦେଖାଦେଇଥିବା ଅସ୍ଥିରତା ରୋକିବା ଲାଗି ସାହାଯ୍ୟ ଲୋଡ଼ିଥିଲା ପାକ୍ । ଆଇଏମ୍ଏଫ୍ ଟିମ୍ ଫେରିଯାଇଥିଲେ ମଧ୍ୟ ୧ ବିଲିୟନ ଡଲାର ପାଣ୍ଠି ମିଳିବା ନେଇ ପାକିସ୍ତାନ କର୍ତ୍ତୃପକ୍ଷ ଆଶାବାଦୀ ରହିଛନ୍ତି । କାରଣ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ପାକିସ୍ତାନର ଥିବା ଭଲ ସମ୍ପର୍କକୁ ବ୍ୟବହାର କରି ଆଇଏମ୍ଏଫ୍ ଠାରୁ ପାଣ୍ଠି ହାସଲ କରିବା ଲାଗି ଶତ୍ରୁ ଦେଶ ବଳ ଲଗାଇବ ବୋଲି ଜଣାପଡ଼ିଛି ।