କନକ ବ୍ୟୁରୋ :ପୂରା ବିଶ୍ବ ଜାଣିଛି ପାକିସ୍ତାନ କେମିତି ଆତଙ୍କୀ ପାଳିଛି । ଖାଲି ଆତଙ୍କୀ ପାଳିଛି ତାହା ନୁହେଁ ବରଂ ଆତଙ୍କୀଙ୍କୁ ପାଳିପୋଷି ମଣିଷ କରୁଛି । ଏହାସହ ସେମାନଙ୍କୁ ଆର୍ଥିକ ଓ ସାମରିକ ସହାୟତା ବି କରୁଛି । ଏସବୁ ଭିତରେ ପହଲଗାମ୍‌ ଆତଙ୍କୀ ହମଲା ପରେ ପୂରା ବିଶ୍ବ ଏହାକୁ ନିନ୍ଦା କରିଥିଲା । ଖାଲି ନିନ୍ଦା କରିଥିଲା ତାହା ନୁହେଁ ବରଂ ଆତଙ୍କୀ ନିପାତ ହେବାକୁ ସ୍ବର ଉତ୍ତୋଳନ କରିଥିଲା । ପରେ ପରେ ଭାରତ ଅପରେସନ୍‌ ସିନ୍ଦୂର କରି ପାକିସ୍ତାନକୁ ପାନେ ଦେଇଥିଲା । ଏହାପରେ ବିଶ୍ବର ଅନେକ ଦେଶକୁ ଭାରତର ପ୍ରତିନିଧିମଣ୍ଡଳୀ ପହଞ୍ଚି ପାକିସ୍ତାନର ମୁଖା ଖୋଲିଛନ୍ତି । ଏହାପରେ ବି ପାକିସ୍ତାନକୁ ଜାତିସଂଘ ଏମିତି କେମିତି ଦାୟିତ୍ବ ଦେଇଦେଲା ତାହାକୁ ନେଇ ବଡ଼ ଚର୍ଚ୍ଚା ।

Advertisment

ଆତଙ୍କବାଦର ବାପାକୁ ଜାତିସଂଘର ଗୁରୁଦାୟିତ୍ବ
ଆତଙ୍କ ନିରୋଧୀ କମିଟିର ଉପାଧ୍ୟକ୍ଷ ପଦ ପାଇଲା ପାକିସ୍ତାନ

ଜାତିସଂଘର ସୁରକ୍ଷା ପରିଷଦ(ୟୁଏନ୍‌ଏସ୍‌ସି)ରେ ପାକିସ୍ତାନକୁ ମିଳିଛି ବଡ଼ ଦାୟିତ୍ବ । ପାକିସ୍ତାନ ୟୁଏନ୍‌ଏସ୍‌ସିରେ ୨୦୨୫ ପାଇଁ ତାଲିବାନ କଟକଣା କମିଟିର ଅଧ୍ୟକ୍ଷତା କରିବ । ଏହାଛଡା ଆତଙ୍କବାଦକୁ ସୁରକ୍ଷା ଦେଉଥିବା ପାକିସ୍ତାନକୁ ଆତଙ୍କ ନିରୋଧୀ କମିଟିର ଉପାଧ୍ୟକ୍ଷ ମଧ୍ୟ କରାଯାଇଛି । ଏହି ନିଷ୍ପତ୍ତି ଜାତିସଂଘର ସୁରକ୍ଷା ପରିଷଦ ସଂସ୍ଥା ଦ୍ବାରା ନିଆଯାଇଛି । ଯାହାକୁ ନେଇ ସବୁଠି ଚର୍ଚ୍ଚା । ଚର୍ଚ୍ଚା ଏଇଥିପାଇଁ ହେଉଛି କାରଣ ଯେଉଁ ଦେଶ ଆତଙ୍କବାଦର ବାପା ବୋଲି ସମସ୍ତେ ଜାଣନ୍ତି । ହେଲେ ସେହି ଦେଶକୁ ବଡ଼ ଦାୟିତ୍ବ କେମିତି ଦିଆଗଲା ତାହାକୁ ନେଇ ପ୍ରଶ୍ନ ଉଙ୍କି ମାରୁଛି ।

ସୂଚନା ଅନୁସାରେ, ଜାତିସଂଘର ୧୯୮୮ ତାଲିବାନ କଟକଣା କମିଟି ସେହି ବ୍ୟକ୍ତି, ସଂଗଠନ ଓ ୟୁନିଟ୍ ଉପରେ ଆର୍ଥିକ କଟକଣା, ଯାତ୍ରା କଟକଣା ଓ ହତିଆରର ଯୋଗାଣ ଉପରେ ରୋକ ଲଗାଉଛି । ଯିଏକି ତାଲିବାନ ସହ ଜଡିତ ଅଛନ୍ତି । ସେମାନଙ୍କୁ ଆଫଗାନିସ୍ତାନର ଶାନ୍ତି, ସ୍ଥିରତା ଓ ସୁରକ୍ଷା ପାଇଁ ବିପଦ କୁହାଯାଉଛି । ଏହି କମିଟିରେ ପାକିସ୍ତାନର ଅଧ୍ୟକ୍ଷ ହୋଇଛି । ସେହିଭଳି ଗୁଏନା ଓ ଋଷିଆ ଉପାଧ୍ୟକ୍ଷ ରହିବେ । ପାକିସ୍ତାନ ବ୍ୟତୀତ ଡେନମାର୍କକୁ ISIS ଓ ଅଲକାଏଦା କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଏହାସହ ଋଷିଆ, ସିଏରା ଲିଓନ ଉପାଧ୍ୟକ୍ଷ ରହିବେ । ଅଲଜେରିଆକୁ ଆତଙ୍କବାଦୀ ନିରୋଧୀ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଯେଉଁଥିରେ ଫ୍ରାନ୍ସ, ପାକିସ୍ତାନ ଓ ଋଷିଆ ମଧ୍ୟ ଉପାଧ୍ୟକ୍ଷ ରହିବେ । ପାକିସ୍ତାନ ୨୦୨୫-୨୬ ପର୍ଯ୍ୟନ୍ତ ଜାତିସଂଘର ସୁରକ୍ଷା ପରିଷଦରେ ଅସ୍ଥାୟୀ ସଦସ୍ୟ ରହିଛି ।

ପାକିସ୍ତାନ ଓ ଆତଙ୍କବାଦ ପରିପୂରକ

କଥାହେଲା ପାକିସ୍ତାନ ଆଉ ଆତଙ୍କବାଦୀ ଭିତରେ କୌଣସି ଫରକ୍‌ ନାହିଁ । ଏକଥା ଏଇଥି ଲାଗି କୁହାଯାଉଛି ଯେ ଅପରେସନ୍‌ ସିନ୍ଦୂରରେ ପାକିସ୍ତାନର ଅନେକ ଆତଙ୍କୀ ଶିବିର ନଷ୍ଟ ହୋଇଥିଲା । ପରେ ପରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା କି ଆତଙ୍କବାଦୀ ଶବ ଶୋଭାଯାତ୍ରାରେ କେମିତି ପାକିସ୍ତାନର ଆର୍ମି ଉପସ୍ଥିତ ଥିଲେ । ହେଲେ ଏବେ ପାକିସ୍ତାନ ଆତଙ୍କବାଦୀ ନିରୋଧୀ କମିଟିରେ ସ୍ଥାନ ପାଇଥିବାରୁ ଚର୍ଚ୍ଚା ଜୋର ଧରିଛି ।