କନକ ବ୍ୟୁରୋ: ପାକିସ୍ତାନ ଏବେ ଆମେରିକା ଶରଣରେ ପଶିଲାଣି । ପହଲଗାମ୍ ଆକ୍ରମଣ ପରେ ପାକିସ୍ତାନ ଉପରେ ଜବରଦସ୍ତ ଆକ୍ରମଣ କରିଥିଲା ଭାରତ । ଖାଲି ଆକ୍ରମଣ କରିଥିଲା ତାହା ନୁହେଁ ବରଂ ୯ ଆତଙ୍କୀ ଶିବିରକୁ ଟାର୍ଗେଟ୍ କରିବା ସହ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲା । ଏହାସହ ପାକିସ୍ତାନର ଏୟାରବେସ୍କୁ ଟାର୍ଗେଟ୍ କରିଥିଲା । ଭାରତର ପ୍ରଚଣ୍ଡ ଆକ୍ରମଣରେ ପାକିସ୍ତାନ ଥରହର ହୋଇଥିଲା । ଚୀନ୍ରୁ ଆଣିଥିବା ଆଣ୍ଟିଡିଫେନ୍ସ ସିଷ୍ଟମ ଅକାମି ହେବାରୁ ଭାରତର ମୁକାବିଲା କରିବାରେ ଅସମର୍ଥ ହୋଇଥିଲା ପଡ଼ୋଶୀ । ଏହାପରେ ବାରମ୍ବାର ଅସ୍ତ୍ରବିରତି ଅନୁରୋଧ କରିଥିଲା । ଶେଷରେ ୨ ଦେଶର ଡିଜିଏମ୍ଓ ସ୍ତରରେ କଥାବାର୍ତ୍ତା ହେବା ପରେ ଅସ୍ତ୍ରବିରତି କରିଛନ୍ତି । ହେଲେ ଏବେ ପାକିସ୍ତାନ ଆମେରିକାକୁ ସାହାଯ୍ୟ ମାଗିଛି । ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ଆମେରିକା ଶରଣରେ ପାକିସ୍ତାନ
ମାଗିଲା ଏୟାରଡିଫେନ୍ସ ସିଷ୍ଟମ
ଟ୍ରମ୍ପଙ୍କ ଦୋମୁହାଁ ନୀତିକୁ ନେଇ ବଢିଲା ଚର୍ଚ୍ଚା
ଚୀନ୍ ଉପରେ ବିଶ୍ବାସ କମୁଛି ପାକିସ୍ତାନର
ଆମେରିକା ଅସ୍ତ୍ରଶସ୍ତ୍ର ଉପରେ ରଖିଛି ବିଶ୍ବାସ
ଚୀନ୍ ସାମଗ୍ରୀ କେମିତି ତାହା ପୂରା ବିଶ୍ବ ଜାଣିଛି । ପାକିସ୍ତାନର ପରମ ବନ୍ଧୁରାଷ୍ଟ୍ର ବୋଲାଉଥିବା ଚୀନ୍ ପାକିସ୍ତାନକୁ ଏୟାରଡିଫେନ୍ସ ସିଷ୍ଟମ ଦେଇଥିଲା । ହେଲେ ତାହା କେତେ ଓ କେମିତି କାମ କଲା ତାହା ବି ପାକିସ୍ତାନ ଦେଖିଲା । ଏମିତିକି ଭାରତର ଆକ୍ରମଣ ସମ୍ପର୍କରେ ଚୀନ୍ ରାଡାର ଖବର ମଧ୍ୟ ଦେଇପାରିଲା ନାହିଁ । ତେଣୁ ଚୀନ୍ର ଡିଫେନ୍ସ ସିଷ୍ଟମ ବଦଳରେ ଆମେରିକାର ଡିଫେନ୍ସ ସିଷ୍ଟମ ଆଣିବାକୁ ପାକିସ୍ତାନ ପ୍ରୟାସ ଆରମ୍ଭ କରିଦେଇଛି । ହେଲେ ଆମେରିକା ପୂର୍ବରୁ ବାରମ୍ବାର କହିଥିଲା, ପାକିସ୍ତାନ ଆତଙ୍କବାଦୀ ପାଳୁଛି । ଏହାପରେ ବି କେମିତି ସେ ଦେଶ ସହ ଆଲୋଚନା କରୁଛନ୍ତି ତାହାକୁ ନେଇ ପ୍ରଶ୍ନ ଘେରରେ ଛନ୍ଦି ହେଲେଣି ଟ୍ରମ୍ପ ।
ସୂଚନା ଅନୁସାରେ, ଭାରତର ଏୟାର ଡିଫେନ୍ସ ଏବଂ ସାମରିକ ଶକ୍ତି ଆଗରେ ପାକିସ୍ତାନ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା ଏବଂ ପାକ୍ ସେନାକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଏଭଳି ସ୍ଥିତିରେ ପଡ଼ୋଶୀ ଦେଶ ଏବେ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଆମେରିକାକୁ ନିବେଦନ କରିଛି । ୱାସିଂଟନରେ ପାକିସ୍ତାନର ଏକ ୧୩ ଜଣିଆ ପ୍ରତିନିଧି ଦଳ ସାର୍ବଜନୀନ ଭାବେ ଆମେରିକାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଉପଲବ୍ଧ କରାଇବାକୁ ଅନୁରୋଧ କରିଛନ୍ତି । ପାକିସ୍ତାନର ମନ୍ତ୍ରୀ ମୁସାଦିକ ମଲିକ କହିଛନ୍ତି, ଆମ ପାଖରେ ଥିବା ବ୍ୟବସ୍ଥା ବିଫଳ ହୋଇଥିବାରୁ ଏବେ ଆମେରିକାର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ହିଁ ଆମ ପାଇଁ ନିର୍ଣ୍ଣାୟକ ହେବ । ତେଣୁ ଆମେ ଆଲୋଚନା ପାଇଁ ଆମେରିକା ଆସିଛୁ ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ମଲିକ କହିଛନ୍ତି, ଭାରତ ଏସ୍-୪୦୦ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା ଏବଂ ୮୦ଟି ଯୁଦ୍ଧ ବିମାନରୁ ୪ ଶହ କ୍ଷେପଣାସ୍ତ୍ର ମାଡ଼ କରିଥିଲା । ଭାରତ ଯେଉଁ ଜ୍ଞାନକୌଶଳ ବ୍ୟବହାର କରୁଥିଲା ତାହା ଅତ୍ୟନ୍ତ ଉନ୍ନତ । ସେଥିପାଇଁ ଆମେ ଏବେ ଆମେରିକାଠାରୁ ଉନ୍ନତ ଯୁଦ୍ଧାସ୍ତ୍ର କିଣିବାକୁ ଚାହୁଛୁ ।
ଭାରତର ଆକ୍ରମଣ
ଋଷିଆ ଅସ୍ତ୍ରଶସ୍ତ୍ର ଦେଇଥିଲା ବଳ
ପାକିସ୍ତାନ ଉପରେ ଆକ୍ରମଣ ହେବା ପରେ ପାକିସ୍ତାନ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଖାଲି ଚେଷ୍ଟା କରିଥିଲା ତାହା ନୁହେଁ ବରଂ ଡ୍ରୋନ୍ ଓ ମିସାଇଲ୍ରେ ଟାର୍ଗେଟ୍ ବି କରିଥିଲା । ହେଲେ ଋଷିଆର ଏସ୍-୪୦୦ ଆକାଶ ମାର୍ଗରେ ହିଁ ସବୁ ଡ୍ରୋନ୍ ଓ ମିସାଇଲକୁ ନଷ୍ଟ କରିଦେଇଥିଲା । ଯାହା ପାକିସ୍ତାନ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିଲା । ତେଣୁ ଏବେ ଭାରତକୁ ନାଲିଆଖି ଦେଖାଇବା ପୂର୍ବରୁ ଆମେରିକାର ସାହାଯ୍ୟ ନେଉଛି ପାକିସ୍ତାନ । ଏପଟେ ଭାରତ ବି ପାକିସ୍ତାନର ପ୍ରତିଟି ପଦକ୍ଷେପ ଉପରେ ନଜର ରଖିଛି ।