କନକ ବ୍ୟୁରୋ :ବିଶ୍ୱାସ ହେଉନଥିଲେ ବି ସତ । ଆମେ ଏମିତି ଏକ ଗାଈ କଥା କହୁଛୁ ଯିଏ ଦିନକୁ ଦେଉଛି ୩୨ ଲିଟର କ୍ଷୀର । ଥରେ ଚିନ୍ତାକରନ୍ତୁ…ଯଦି ଗାଈଟିଏ ୩୨ ଲିଟର କ୍ଷୀର ଦେଉଥିବ ତେବେ ମାଲିକ ଦିନକୁ କେତେ ଟଙ୍କା ରୋଜଗାର କରୁଥିବ । କାରଣ କ୍ଷୀର ଲିଟର ପ୍ରତି ଦର ହେଉଛି ୬୦ଟଙ୍କା । ଆଉ ଏହି ଖବର ଜଣାପଡ଼ିବା ପରେ ସବୁଠି ଚର୍ଚ୍ଚା । 

Advertisment

ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାର ଜଣେ ଚାଷୀଙ୍କୁ ନେଇ ଏବେ ଚର୍ଚ୍ଚା ଚାଲିଛି । ନିଜର ଅସାଧାରଣ ସଫଳତା ପାଇଁ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଗୋଟିଏ ହୋଲଷ୍ଟାଇନ୍ ଫ୍ରିସିଆନ୍ ଏବଂ ଜର୍ସି ପ୍ରଜାତିର ମିଶ୍ରିତ ବର୍ଣ୍ଣଶଙ୍କର ଗାଈ ପାଳନ କରି ସେ ଦୈନିକ ୩୨ ଲିଟର କ୍ଷୀର ଉତ୍ପାଦନ କରିବାରେ ସକ୍ଷମ ହୋଇଛନ୍ତି । ଏତେ ମାତ୍ରାରେ କ୍ଷୀର ଉତ୍ପାଦନ କରୁଥିବା ଜଣାପଡ଼ିବା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ନେଇ ବଡ଼ ଚର୍ଚ୍ଚା । 

ସୂଚନା ଅନୁସାରେ, ଏହି ସଫଳ ଚାଷୀ ଜଣକ ବୈଜ୍ଞାନିକ ପ୍ରଣାଳୀରେ ଗୋପାଳନ ଏବଂ ଉନ୍ନତ ପ୍ରଜାତିର ଗାଈ ଚୟନ ଉପରେ ଗୁରୁତ୍ୱାରୋପ କରିଥିଲେ । ପାରମ୍ପରିକ ଗୋପାଳନ ପଦ୍ଧତିରୁ ଦୂରେଇ ଯାଇ ସେ ହୋଲଷ୍ଟାଇନ୍ ଫ୍ରିସିଆନ୍ ଭଳି ଅଧିକ କ୍ଷୀର ଦେଉଥିବା ପ୍ରଜାତି ଏବଂ ଜର୍ସି ଗାଈ ପାଳନ କରିଛନ୍ତି । କାରଣ ସେହି ଗାଈ କ୍ଷୀରରେ ଅଧିକ ଫ୍ୟାଟ୍ ରହିଥାଏ,  ତେଣୁ ସେହି ଗାଈ ପାଳନ କରିବାକୁ ଚାଷୀ ଜଣକ ନିଷ୍ପତ୍ତି ନେଇଥିଲେ । ଏହି ମିଶ୍ରିତ ପ୍ରଜାତିର ଗାଈମାନେ ଭାରତୀୟ ଜଳବାୟୁରେ ନିଜକୁ ଭଲ ଭାବରେ ଖାପ ଖୁଆଇ ପାରନ୍ତି ଏବଂ ସେମାନଙ୍କର କ୍ଷୀର ଉତ୍ପାଦନ କ୍ଷମତା ମଧ୍ୟ ଅଧିକ ହୋଇଥାଏ । ତେଣୁ ମାଲିକ ବି ଭଲ ୨ ପଇସା ଲାଭ କରିଥାଏ । 

କୁହାଯାଉଛି, ଏହି ଚାଷୀଙ୍କ ସଫଳତା ପଛରେ କେବଳ ଉନ୍ନତ ପ୍ରଜାତିର ଗାଈ ଚୟନ ନୁହେଁ ବରଂ ତାଙ୍କର କଠିନ ପରିଶ୍ରମ ଏବଂ ବୈଜ୍ଞାନିକ ପରିଚାଳନା ମଧ୍ୟ ରହିଛି । ସେ ଗାଈର ଖାଦ୍ୟପେୟ, ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି । ଗାଈକୁ ସନ୍ତୁଳିତ ଆହାର ଯୋଗାଇବା ପାଇଁ ସେ ସବୁଜ ଘାସ, ଶୁଖିଲା ଚାରା ଏବଂ ପଶୁଖାଦ୍ୟର ବ୍ୟବହାର କରନ୍ତି । ଏହା ସହିତ ନିୟମିତ ଟୀକାକରଣ ଏବଂ ପଶୁ ଚିକିତ୍ସକଙ୍କ ପରାମର୍ଶ ଗ୍ରହଣ କରି ସେ ଗାଈକୁ ସୁସ୍ଥ ରଖିବାରେ ସକ୍ଷମ ହୋଇଛନ୍ତି ।

ଦୈନିକ ୩୨ ଲିଟର କ୍ଷୀର ଉତ୍ପାଦନ କରିବା ଫଳରେ ଏହି ଚାଷୀ ଜଣକ ସ୍ଥାନୀୟ ଦୁଗ୍ଧ ସମବାୟ ସମିତିରେ କ୍ଷୀର ବିକ୍ରି କରି ଭଲ ଦୁଇପଇସା ରୋଜଗାର କରୁଛନ୍ତି । ତାଙ୍କର ଏହି ସଫଳତା ଅନ୍ୟ ଚାଷୀମାନଙ୍କୁ ମଧ୍ୟ ଉନ୍ନତ ପ୍ରଣାଳୀରେ ଗୋପାଳନ କରିବା ପାଇଁ ଉତ୍ସାହିତ କରୁଛି । ସ୍ଥାନୀୟ ଅଞ୍ଚଳର ଅନେକ ଲୋକ ଏବେ ତାଙ୍କଠାରୁ ପରାମର୍ଶ ନେଇ ନିଜର ଚାଷ ବି ଆରମ୍ଭ କରିଛନ୍ତି ।  

ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ମଧ୍ୟପ୍ରଦେଶ ସରକାର ମଧ୍ୟ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଉନ୍ନତ ପ୍ରଜାତିର ଗାଈ କିଣିବା ପାଇଁ ଚାଷୀମାନଙ୍କୁ ସବସିଡି ପ୍ରଦାନ କରାଯିବା ସହ ସେମାନଙ୍କୁ ବୈଷୟିକ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି । ଏହିପରି ପ୍ରୋତ୍ସାହନମୂଳକ ପଦକ୍ଷେପ ଏବଂ ଖଣ୍ଡୱାର ଏହି ଚାଷୀଙ୍କ ଭଳି ସଫଳ ଉଦାହରଣ, ନିଶ୍ଚିତ ଭାବରେ ରାଜ୍ୟର ଦୁଗ୍ଧ ଶିଳ୍ପକୁ ଆଗକୁ ନେବାରେ ସହାୟକ ହେବ ବୋଲି ଅନେକ କହୁଛନ୍ତି ।