କନକ ବ୍ୟୁରୋ: ବିହାରରେ ଭୋଟ୍ ପୂର୍ବରୁ ରାଜନୈତିକ ମଇଦାନ ଗରମ ହେବାରେ ଲାଗିଛି । ଭୋଜପୁରୀ ହିରୋ ଖେସାରି ଲାଲ ଯାଦବଙ୍କୁ ନେଇ ଏବେ ଚର୍ଚ୍ଚା ଚାଲିଛି । କାରଣ ଛାପରାରୁ ଆରଜେଡି ଟିକେଟରେ ଲଢ଼ିବାକୁ ଥିବା ଖେସାରି ଲାଲଙ୍କ ଜୀବନ କାହାଣୀ ଅତି ରୋଚକ କହିଲେ କିଛି ଭୁଲ ହେବନି ।
ଗତକାଲି ନାମାଙ୍କନ ଦାଖଲ କରିବା ପରେ ଖେସାରି ଲାଲଙ୍କ ସମ୍ପତ୍ତି ଏବେ ସର୍ବ ସାଧାରକୁ ଆସିଛି । ଏହି ଅଭିନେତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ସହ ୩୫ ଲକ୍ଷ ଟଙ୍କାର ସୁନା ଏବଂ ନଗଦ ୩ କୋଟି ଟଙ୍କା ରହିଛି ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି । ଖେସାରି ଲାଲ ଯାଦବଙ୍କ ଅନୁଯାୟୀ, ତାଙ୍କର ୧୭ କୋଟି ମୂଲ୍ୟର ସ୍ଥାବର ସମ୍ପତ୍ତି ଏବଂ ୮ କୋଟି ମୂଲ୍ୟର ଅସ୍ଥାବର ସମ୍ପତ୍ତି ଅଛି । ଅଭିନେତା ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପତ୍ନୀ ଚନ୍ଦା ଦେବୀଙ୍କ ୯୦ ଲକ୍ଷ ମୂଲ୍ୟର ସ୍ଥାବର ସମ୍ପତ୍ତି ଏବଂ ସାଢ଼େ ୬ କୋଟି ମୂଲ୍ୟର ଅସ୍ଥାବର ସମ୍ପତ୍ତି ଅଛି ।
ଖାଲି ଏତିକିରେ ଶେଷ ହୋଇନି ଖେସାରିଙ୍କ ସମ୍ପତ୍ତିର ତାଲିକା । ଟ୍ରେଣ୍ଡିଂ ଷ୍ଟାରଙ୍କ ପାଖରେ ୩୫ ଲକ୍ଷ ମୂଲ୍ୟର ସୁନା ଅଳଙ୍କାର ସମେତ ଅନେକ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଅଛି । ତା’ ଭିତରେ ୩ କୋଟି ମୂଲ୍ୟର ଏକ ବିଳାସପୂର୍ଣ୍ଣ କାର୍ ମଧ୍ୟ ରହିଛି ।
ବଡ଼କଥା ହେଲା ଖେସାରି ଲାଲ ଯାଦବଙ୍କ ପିଲାଦିନ ଅତ୍ୟନ୍ତ ଦାରିଦ୍ର୍ୟରେ କଟିଥିଲା । ସେ କହିବା ମୁତାବକ ତାଙ୍କ ଜନ୍ମ ଏକ ଝାଟିମାଟି ଘରେ ହୋଇଥିଲା । ତାଙ୍କ ବାପା ଏକାକୀ ସାତ ଭାଇଙ୍କୁ ଲାଳନପାଳନ କରିଥିଲେ, ପରିବାର ପ୍ରତିପୋଷଣ ପାଇଁ ଚଣା ବିକ୍ରି କରିଥିଲେ । ଘରର ଏଭଳି ପରିସ୍ଥିତି ଦେଖି ସେ ତାଙ୍କ ବାପାଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ କ୍ଷୀର ବିକ୍ରି କରିବା ଆରମ୍ଭ କରିଥିଲେ । ପରେ ସେ ଦିଲ୍ଲୀର ରାସ୍ତାରେ ଲିଟି ଚୋଖା ବିକ୍ରି କରିଥିଲେ । ଯେବେ ଭୋଜପୁରୀ ଆଲବମ୍ ତିଆରି କଲେ ସେବେଠାରୁ ତାଙ୍କ ଭାଗ୍ୟ ବଦଳିଗଲା, ଏବଂ ଆଜି ସେ ଜଣେ କୋଟିପତି । ସେ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିବା ସହ ୫ ହଜାରରୁ ଅଧିକ ଗୀତ ଗାଇଛନ୍ତି ଖେସାରି । ଆଉ ବିହାର ନିର୍ବାଚନ ମଇଦାନକୁ ଓହ୍ଲାଇ ଏବେ ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ବାହାରିଛନ୍ତି ଏହି ଷ୍ଟାର୍ ଭୋଜପୁରୀ ଅଭିନେତା ।