କନକ ବ୍ୟୁରୋ: ଭାରତୀୟ ବାୟୁସେନା ଆଜି ୯୩ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ରାଷ୍ଟ୍ରପତି ଏବଂ ଗୃହମନ୍ତ୍ରୀ ଅମିତ ଶାହ, ଅନ୍ୟ ନେତାମାନଙ୍କ ସହିତ ବାୟୁସେନା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ, ଭାରତୀୟ ବାୟୁସେନାର ସାହସୀ ପାଇଲଟମାନେ ଆକର୍ଷଣୀୟ ଷ୍ଟଣ୍ଟ ପ୍ରଦର୍ଶନ କରିଥିଲେ । ପରେଡ୍, ଫ୍ଲାଏପାଷ୍ଟ ଏବଂ ଆଧୁନିକ ଯୁଦ୍ଧ ବିମାନର ପ୍ରଦର୍ଶନ ମଧ୍ୟ କରାଯାଇଥିଲା ।
ଭାରତୀୟ ବାୟୁସେନା ଆଜି ନିଜର ୯୩ତମ ସ୍ଥାପନା ଦିବସ ପାଳନ କରିଛି । ଏହି ଅବସରରେ ଏମଆଇ-୧୭୧ ହେଲିକପ୍ଟର ମାଧ୍ୟମରେ ‘ଅପରେସନ୍ ସିନ୍ଦୂର’ର ପତାକା ଓଡାଇ ଭାରତୀୟ ବାୟୁସେନା ନିଜର ଶକ୍ତି ଓ ସାମର୍ଥ୍ୟକୁ ବିଶ୍ୱ ସମ୍ମୁଖରେ ପ୍ରଦର୍ଶନ କରିଛି । ଏହି ଅପରେସନ୍ ଦେଶର ସୁରକ୍ଷା ଓ ସାମରିକ ଦକ୍ଷତାକୁ ପ୍ରତିଫଳିତ କରୁଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ବାୟୁସେନା ଦିବସରେ ସମସ୍ତ ଯୋଦ୍ଧା ଓ ଅଫିସରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି କହିଛନ୍ତି , ବାୟୁସେନାର ସାହସୀ ଯୋଦ୍ଧାମାନେ ଦେଶର ଗୌରବ ଓ ସୁରକ୍ଷାର ପ୍ରତୀକ । ଅମିତ ଶାହ ବାୟୁସେନାର ଅଦମ୍ୟ ସାହସ ଓ ସମର୍ପଣକୁ ପ୍ରଶଂସା କରିଛନ୍ତି । ଏହି ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବାୟୁସେନାର ଅବଦାନକୁ ସ୍ମରଣ କରାଯାଇଛି ।
ଭାରତୀୟ ବାୟୁସେନା ମୁଖ୍ୟ ଏପି ସିଂହ ବାୟୁସେନା ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ୯୭ ଜଣ ବାୟୁସେନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି।ରାଫେଲ ଯୁଦ୍ଧ ବିମାନର ଗୋଲଡେନ୍ ଆରୋ ସ୍କ୍ୱାଡ୍ରନ୍, ବ୍ରହ୍ମୋସରେ ସଜ୍ଜିତ ସୁଖୋଇର ଟାଇଗର୍ ସାର୍କ ସ୍କ୍ୱାଡର୍ଣ୍ଣ, ଏସ୍-୪୦୦ କ୍ଷେପଣାସ୍ତ୍ର ୟୁନିଟ୍ ଏବଂ ଅପରେସନ୍ ସିନ୍ଦୁରରେ ପାକିସ୍ତାନକୁ ପରାସ୍ତ କରିଥିବା ଲାଇଟ୍ରିଂ ଯୁଦ୍ଧାସ୍ତ୍ର ୟୁନିଟ୍ କୁ ସ୍ୱତନ୍ତ୍ର ପ୍ରଶଂସା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ତିନି ବର୍ଷ ପରେ ହିଣ୍ଡନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପରମ୍ପରା, ପ୍ରଯୁକ୍ତିବିଦ୍ୟା କ୍ଷମତା ଏବଂ ଭବିଷ୍ୟତ ଯୋଜନାର ଦେଖିଲେ ଦେଶ ବାସୀ । ବିଶ୍ୱସ୍ତରୀୟ ସାମରିକ ଶକ୍ତି ଭାବେ ଭାରତୀୟ ବାୟୁସେନାର ଭୂମିକା ଦେଶବାସୀଙ୍କ ପାଇଁ ଗର୍ବର ବିଷୟ । ଏହା ସହିତ, ନୂତନ ପ୍ରଯୁକ୍ତି ଓ ରଣନୀତି ସହ ବାୟୁସେନା ଆଗାମୀ ଦିନରେ ମଧ୍ୟ ଦେଶକୁ ସୁରକ୍ଷିତ ରଖିବ ବୋଲି ବାୟୁସେନା ଠାରୁ ଦେଶବାସୀଙ୍କ ଆଶା ରହିଛି ।