କନକ ବ୍ୟୁରୋ: ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ଘଟଣାରେ ସରଗରମ ହେଉଛି ରାଜନୀତି । ଗତକାଲି ରାଜଧାନୀ ଭୁବନେଶ୍ୱରରେ ବିଜୁ ଜନତା ଦଳ ଶକ୍ତି ପ୍ରଦର୍ଶନ କରିଥିବାବେଳେ ଆଜି ‘ଓଡ଼ିଶା ବନ୍ଦ’ର ଡାକରା ଦେଇଛି ରାଜ୍ୟ କଂଗ୍ରେସ । କଂଗ୍ରେସ ସମେତ ସାମିଲ ହେବେ ଅନ୍ୟ ବିରୋଧୀ ଦଳ । କିନ୍ତୁ ସବୁଥର ଭଳି ପୁଣି ସମସ୍ୟା ଭୋଗିବେ ସାଧାରଣ ଲୋକ । 

Advertisment

ରାଜରାସ୍ତାକୁ ଓହ୍ଲାଇବ ରାଜ୍ୟ କଂଗ୍ରେସ, ଭୁବନେଶ୍ବରରୁ ଭୋଗରାଇ, କଟକରୁ କଳାହାଣ୍ଡି ରାଜ୍ୟବାପୀ ବନ୍ଦ ଡାକରା ଦେଇଛି ‘ହାତ’ । ସାରା ଓଡ଼ିଶାରେ ହେବ ଚକା ବନ୍ଦ । ଠପ୍ ହୋଇଯିବ ବ୍ୟବସାୟ । ଗାଡ଼ି ମଟର ବନ୍ଦ ହେବ ଓ ରାସ୍ତାରେ ସରକାର ବିରୋଧରେ ବର୍ଷିବେ କଂଗ୍ରେସ ନେତା ଓ କର୍ମୀ । ଏହି ପ୍ରସଙ୍ଗରେ ଗତକାଲି ବିଜୁ ଜନତା ଦଳ ବି ସରକାରଙ୍କୁ ଘେରିଥିଲା । ସାରା ସହର ହୋଇଯାଥିଲା ସିଲ୍ । ଯିଏ ଯୁଆଡେ ଯାଉଥିଲା ସେଇଠି ଫସିଯାଉଥିଲା । ଅସ୍ତବ୍ୟସ୍ତ ହୋଇଯାଇଥିଲେ ସାଧାରଣ ଲୋକ । ନିଜର ପତିଆରା ଦେଖାଇବା ପାଇଁ ରାଜନେତା ବିକ୍ଷୋଭ ପ୍ରଦର୍ଶନ କଲେ । ପୁଲିସ ସହ ମୁହାଁମୁହିଁ ହେଲେ କିନ୍ତୁ ସାଧାରଣ ଲୋକ କିଭଳି ସମସ୍ୟା ଭୋଗୁଛି ତାହା ଉପରେ କାହାରି ନିଘା ନଥିଲା ।

ଗତ ସପ୍ତାହରେ ଡ୍ରାଇଭର ସଂଘ ରାସ୍ତାକୁ ଓହ୍ଲାଇଥିଲେ । ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିଥିଲେ । ଠପ୍ ହୋଇଯାଥିଲା ଗମନାଗମନ ବ୍ୟବସ୍ଥା । ତେଲ ଗାଡ଼ି ନଆସିବାରୁ ଅନ୍ୟାନ୍ୟ ସାମଗ୍ରୀର ଦର ଉପରେ ବି ପଡ଼ିଥିଲା ପ୍ରଭାବ । ଦୋହଲିଯାଥିଲା ରାଜ୍ୟର ଅର୍ଥନୀତି ବ୍ୟବସ୍ଥା । ଆଜି ପୁଣି ଥରେ ହେବ ସମାନ ପରିସ୍ଥିତି ଦେଖିବ ଓଡ଼ିଶା । କଂଗ୍ରେସର ଓଡ଼ିଶା ବନ୍ଦ ଡାକରାରେ ଅଖ ଚକ ସବୁ ବନ୍ଦ ହୋଇଯିବ । ପରିବହନ ଗାଡ଼ି ସମେତ ମାଲବାହୀ ଟ୍ରକ ବି ଗଡ଼ିବନି । ରେଳ ଯାତ୍ରା ବି ଏକପ୍ରକାର ଠପ୍ ହୋଇଯିବ । 

ଏପଟେ ରାଜ୍ୟ କଂଗ୍ରେସର ଓଡ଼ିଶା ବନ୍ଦ ଡାକରାରେ ଅନ୍ୟ ବିରୋଧୀ ଦଳ ବି ସାମିଲ ହେଉଛନ୍ତି । ବାମପନ୍ଥୀ ଦଳ ସମର୍ଥନ ଜଣାଇଥିବାବେଳେ କିଛି ସାମାଜିକ ସଙ୍ଗଠନ ବି ଏହାକୁ ସମର୍ଥନ କରୁଛନ୍ତି । କିନ୍ତୁ ଏଭଳି ବନ୍ଦ ହେବାରୁ ସାଧାରଣ ଲୋକଙ୍କ ଉପରେ କି ପ୍ରକାର ପ୍ରଭାବ ପଡୁଛି ସେନେଇ ବୋଧ ହୁଏ ଚିନ୍ତା କରିବାକୁ କାହା ପାଖରେ ସମୟ ନାହିଁ ।