କନକ ବ୍ୟୁରୋ: ପୁରୁଣା ଗାଡ଼ିରେ ଆଉ ଯିବେନି ସରକାରୀ ବାବୁ । କାରଣ ପୁରୁଣା ଗାଡ଼ି ସ୍କ୍ରାପିଂ ହେବ…ରାଜ୍ୟ ସରକାରଙ୍କ ଅଧୀନରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଅଛି ସେଗୁଡ଼ିକୁ ଅକ୍ଟୋବର ୧୫ ସୁଦ୍ଧା ସ୍କ୍ରାପିଂ କରାଯିବ । ‘ବାହନ’ ତଥ୍ୟ ଅନୁଯାୟୀ, ଏବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ୬୨୪୧ଟି ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଥିବାବେଳେ ସେଗୁଡ଼ିକୁ ନିକଟସ୍ଥ ପଞ୍ଜୀକୃତ ଗାଡ଼ି ସ୍କ୍ରାପିଂ ସୁବିଧା କେନ୍ଦ୍ରକୁ ନେଇ ତୁରନ୍ତ ସ୍କ୍ରାପିଂ କରିବାକୁ କୁହାଯାଇଛି । କେଉଁ ବିଭାଗ କେତେ ଗାଡ଼ି ସ୍କ୍ରାପିଂ କରିବେ ତା’ର ଏକ ରିପୋର୍ଟ ପରିବହନ ବିଭାଗକୁ ପଠାଇବେ । ରିପୋର୍ଟ ଆଧାରରେ କେନ୍ଦ୍ର ସରକାର ଟଙ୍କା ଦେବେ ବୋଲି କୁହାଯାଇଛି ।
ସରକାରୀ ପୁରୁଣା ଗାଡ଼ି ହେବ ସ୍କ୍ରାପିଂ
୧୫ ବର୍ଷର ପୁରୁଣା ଗାଡ଼ି ଆଉ ଚାଲିବନି
୬୨୪୧ଟି ହେବ ସ୍କ୍ରାପିଂ
ଧୀରେ ଧୀରେ ରାସ୍ତାରୁ ହଟୁଛି ପୁରୁଣା ଗାଡ଼ି
ଗାଡ଼ି ସ୍କ୍ରାପିଂ କରି ସରକାର ପାଇଲେଣି ୩୦୦ କୋଟି
ପ୍ରଦୂଷଣର ମୁଖ୍ୟ କାରଣ ପୁରୁଣା ଗାଡ଼ି….ସେଇଥି ଲାଗି ତ ୧୫ ବର୍ଷ ପୁରୁଣା ଗାଡ଼ିକୁ ନଚଲାଇବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ଆଉ ସେହି ଭିତ୍ତିରେ ରାଜ୍ୟ ସରକାର ଏବେ ପୁରୁଣା ଗାଡ଼ିକୁ ସ୍କ୍ରାପିଂ କରାଇବାକୁ ନିଷ୍ପତ୍ତି ନେଇଛି । କାରଣ ଗାଡ଼ି ସ୍କ୍ରାପିଂ କରି ସରକାର ପାଇଲେଣି ୩୦୦ କୋଟି । ତେବେ ଗାଡ଼ି ସ୍କ୍ରାପିଂ ସମ୍ପର୍କରେ ପରିବହନ ମନ୍ତ୍ରୀ ଉଷା ପାଢ଼ୀ ସମସ୍ତ ବିଭାଗକୁ ଚିଠି ମଧ୍ୟ ଲେଖିଛନ୍ତି । ସୂଚନା ଅନୁସାରେ, ୩୧ ମାର୍ଚ୍ଚ, ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କର ପ୍ରାୟ ୪ହଜାର ପୁରୁଣା ଗାଡ଼ି ସ୍କ୍ରାପିଂ ହୋଇଛି । ବାକି ଗାଡ଼ି ସ୍କ୍ରାପିଂ କଲେ କେନ୍ଦ୍ର ସରକାରଙ୍କ ସହାୟତା ମିଳିବ । କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ, ୫୦୦ ପର୍ଯ୍ୟନ୍ତ ଗାଡ଼ି ସ୍କ୍ରାପିଂ କଲେ ଗାଡ଼ି ପିଛା ୫୦ ହଜାର ଟଙ୍କା, ୫୦୧ରୁ ହଜାରେ ଉପରେ ଗାଡ଼ି ସ୍କ୍ରାପିଂ କଲେ ଗାଡ଼ି ପିଛା ୬୦ ହଜାର ଟଙ୍କା, ୧୦୦୧ରୁ ୨ ହଜାର ପର୍ଯ୍ୟନ୍ତ ଗାଡ଼ି ସ୍କ୍ରାପିଂ କଲେ ଗାଡ଼ି ପିଛା ୭୫ହଜାର ଟଙ୍କା, ୨୦୦୧ରୁ ୪୦୦୦ ଗାଡ଼ି ସ୍କ୍ରାପିଂ କଲେ ଗାଡ଼ି ପିଛା ୯୦ ହଜାର ଟଙ୍କା, ୪୦୦୧ରୁ ୬୦୦୦ ଗାଡ଼ି ସ୍କ୍ରାପିଂ କଲେ ଗାଡ଼ି ପିଛା ୧ ଲକ୍ଷ ୨୦ ହଜାର ଟଙ୍କା, ୬ ହଜାରରୁ ଅଧିକ ଗାଡ଼ି ସ୍କ୍ରାପିଂ କଲେ ଗାଡ଼ି ପିଛା ୧ ଲକ୍ଷ ୫୦ ହଜାର ଟଙ୍କା ମିଳିବ । ଏବେ ରାଜ୍ୟ ସରକାରଙ୍କ ପାଖରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ୫ ହଜାରରୁ ଅଧିକ ସଂଖ୍ୟାରେ ଥିବାରୁ ସେଗୁଡ଼ିକ ସ୍କ୍ରାପିଂ ବାବଦକୁ ଭଲ ସହାୟତା ରାଶି ମିଳିବ । ଆଉ ସେହି ସହାୟତା ରାଶିରେ ରାଜ୍ୟ ସରକାର ନୂଆ ଗାଡ଼ି କିଣିବେ ।
କେଉଁ ବିଭାଗରେ ଅଛି କେତେ ଗାଡ଼ି ?
ପରିବହନ ବିଭାଗର ସୂଚନା ଅନୁଯାୟୀ, ସବୁଠୁ ଅଧିକ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଗୃହ ବିଭାଗରେ ୧୧୮୯ଟି ଅଛି । ସେହିପରି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ୪୨୬ଟି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୩୭୮ଟି, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରେ ୧୯୩ଟି, ଅଗ୍ନିଶମ ବିଭାଗରେ ୩୮୯ଟି, ଜଳସମ୍ପଦ ବିଭାଗରେ ୧୩୪ଟି ଏବଂ ଅର୍ଥ ବିଭାଗରେ ୮୭ଟି ଗାଡ଼ି ଅଛି । ଏହାବାଦ୍ କେଉଁ ବିଭାଗ, କେଉଁ ନିର୍ଦ୍ଦେଶାଳୟରେ କେତେ ପୁରୁଣା ଗାଡ଼ି ଅଛି ତା’ର ଏକ ତାଲିକା ଦିଆଯାଇଛି। ଏହି ତାଲିକା ଅନୁଯାୟୀ ବିଭାଗୀୟ ସଚିବମାନେ ବିଭାଗସ୍ତରରେ ସମୀକ୍ଷା କରି ଗାଡ଼ି ସ୍କ୍ରାପିଂ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । ମୋଟ୍ ଉପରେ ଧୀରେ ଧୀରେ ରାସ୍ତାରୁ ପୁରୁଣା ଗାଡ଼ି ହଟାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/27/old-vehicle-2025-09-27-15-43-50.jpg)