କନକ ବ୍ୟୁରୋ: ନୂଆପଡ଼ା ଭୋଟ୍ ପୂର୍ବରୁ ରାଜ୍ୟ ରାଜନୀତିର ତାତି ବଢ଼ିବାରେ ଲାଗିଛି । ଦିବଙ୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ଯୋଗ ଦେବା ପରେ ନୂଆପଡ଼ା ଅଙ୍କ ପୂରା ବିଗିଡ଼ିଯାଇଛି । ଏପରିକି ବିଜେପିର ‘ଜୟ’ ହେବା ପରେ ଚିହିଁକି ଉଠିଛି ‘ଶଙ୍ଖ’ ଶିବିର । ଏଭଳି ରୋଚକ ସ୍ଥିତିରେ ଜୟଙ୍କୁ ନେଇ ବିଜେଡ଼ି ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଛି ।
ଏଥର ନୂଆପଡ଼ା ନାୟକ ବାଛିବାକୁ ନୂଆ ନୂଆ ଅଙ୍କ କଷା ଚାଲିଥିବାବେଳେ ଜୟ ପଦ୍ମ ପୋଖରୀକୁ ଡେଇଁ ପଡ଼ିଛନ୍ତି । ଏନେଇ ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କହିଛନ୍ତି, ଜୟ ବିଜେପିରେ ମିଶିବା ବିଜେଡି ଉପରେ କୌଣସି କିମ୍ବା ନିର୍ବାଚନରେ ପଡ଼ିବ ନାହିଁ । କାରଣ ବାପାଙ୍କ ଆଦର୍ଶକୁ ପଛରେ ପକାଇ ବିଜେପି ଦଳର ଘୋଡ଼ା ବେପାରରେ ସେ ସାମିଲ ହୋଇଗଲେ । ରାଜେନ୍ଦ୍ର ଢୋଲକିଆଙ୍କୁ ନବୀନ ପଟ୍ଟନାୟକ କ୍ୟାବିନେଟ୍ ମନ୍ତ୍ରୀ କରିଥିଲେ । ରାଜେନ୍ଦ୍ର ଢୋଲକିଆଙ୍କ ଆତ୍ମା କେବେ ଜୟଙ୍କୁ କ୍ଷମା ଦେବନି । ଜୟ ଢୋଲକିଆ ପୋଷ୍ୟ ପୁଅ ଯୋଗୁ ବିଜେପିକୁ ଗଲେ । ରାଜେନ୍ଦ୍ର ଢୋଲକିଆଙ୍କ ରକ୍ତ ଜୟ ଢୋଲକିଆଙ୍କ ଦେହରେ ନାହିଁ ବୋଲି ପ୍ରତାପ ଜେନା କଟୁ ସମାଲୋଚନା କରିଛନ୍ତି ।
ସେପଟେ ‘ଜୟ’ଙ୍କ ପାଇଁ ବାହାରିଲେ ଜୟନାରାୟଣ । ବିଜେଡିକୁ କଡ଼ା ଜବାବ ଦେଇ ଜୟନାରାୟଣ କହିଛନ୍ତି, ଓଡ଼ିଶାରେ ଆଉ ଘୋଡ଼ା ନାହିଁ । ତେଣୁ ଆମେ ଘୋଡ଼ା ବେପାର କରିବୁ କେମିତି` । ଆମ ପାଖରେ ପ୍ରାର୍ଥୀ ନାହିଁ ବୋଲି ସେମାନେ କହିଛନ୍ତି କିନ୍ତୁ ତାଙ୍କ ପାଖରେ ପ୍ରାର୍ଥୀ କିଏ ବୋଲି ବିଜେଡିକୁ ପାଲଟା ପ୍ରଶ୍ନ ବାଣ ମାରିଛନ୍ତି ଜୟନାରାୟଣ ମିଶ୍ର ।
ବଡ଼କଥା ହେଉଛି ମୋହନ ମାଝୀଙ୍କ ନେତୃତ୍ବରେ ଦେଢ଼ବର୍ଷ ଶାସନ ପରେ ପ୍ରଥମଥର ପାଇଁ ଭାଜପା ଉପନିର୍ବାଚନ ଲଢ଼ିବ । ବିଜେଡି ସୁପ୍ରିମୋ ନବୀନ ନିବାସରେ ନୂଆପଡ଼ା ପାଇଁ ପ୍ଲାନ୍ କରୁଥିବାବେଳେ ଜୟ ଢୋଲକିଆଙ୍କୁ ହାତେଇ ନେଲା ବିଜେପି । ଏବେ ବିଜେଡି ନୂଆପଡ଼ା ଉପନିର୍ବାଚନ ଲାଗି କାହାକୁ ପ୍ରାର୍ଥୀ କରିବ ସେ ନେଇ ଦ୍ବନ୍ଦ୍ବରେ ପଡ଼ିଛି । ଯଦିଓ ଗତ ନିର୍ବାଚନରେ ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ବିଜେପି ପ୍ରାର୍ଥୀ କରିଥିଲା । ଏଥର କିନ୍ତୁ ଜୟ ଢୋଲକିଆ ବିଜେପିରେ ମିଶିବା ପରେ ଉପନିର୍ବାଚନରେ ଦଳର ସମୀକରଣ ବଦଳିପାରେ ବୋଲି କୁହାଯାଉଛି । ଆଉ ଭୋଟ୍ ପୂର୍ବରୁ ଏନେଇ ବିଜେପି ଓ ବିଜେଡଡି ମଧ୍ୟରେ ତୁ ତୁ ମେ ମେ ଆରମ୍ଭ ହୋଇଗଲାଣି ।