କନକ ବ୍ୟୁରୋ: ବଜାରେ ଏବେ ସୁନାର ମୂଲ୍ୟ ଆକାଶ ଛୁଆଁ । ବିଗତ କିଛି ଦଶନ୍ଧି ଧରି ସୁନା ଦର କିଭଳି ବଢ଼ିଛି ତାକୁ ନେଇ ବିଶିଷ୍ଟ ଶିଳ୍ପପତି ହର୍ଷ ଗୋଏଙ୍କା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ।

Advertisment

ଗୋଏଙ୍କା ଲେଖିଛନ୍ତି ଯେ ୧୯୯୦ରେ ଏକ କେଜି ସୁନାର ଦାମ୍ ଯାହା ଥିଲା ତାହା ସେହି ସମୟରେ ଏକ ମାରୁତି ୮୦୦ର ଦାମ୍ ପାଖାପାଖି ଥିଲା । ୨୦୦୦ ବେଳକୁ ୧ କେଜି ସୁନାର ଦାମ୍ ମାରୁତି ଏଷ୍ଟିମ୍, ୨୦୦୫ରେ ଟାୟୋଟା ଇନୋଭା, ୨୦୧୦ରେ ଫର୍ଚୁନର୍ ଓ ୨୦୧୯ରେ ବିଏମଡବ୍ଲ୍ୟୁ କାର ମୂଲ୍ୟ ପାଖାପାଖି ଥିଲା । ୨୦୨୫ରେ ଏକ କେଜି ସୁନାରେ ବିଳାସପୂର୍ଣ୍ଣ ଲ୍ୟାଣ୍ଡ୍‌ ରୋଭର୍ ଗାଡ଼ି କିଣିହେବ ବୋଲି ସେ ଜଣାଇଛନ୍ତି । ସେ ମଜାଳିଆ ଢଙ୍ଗରେ କହିଛନ୍ତି ଯେ ଯଦି ସୁନା ମୂଲ୍ୟରେ ଏହିଭଳି ବୃଦ୍ଧି ଜାରି ରହିବ ତେବେ ୨୦୩୦ ବେଳକୁ ୧ କେଜି ସୁନାରେ ରୋଲ୍ସ ରଏସ୍ କାର ଏବଂ ୨୦୪୦ ବେଳକୁ ପ୍ରାଇଭେଟ୍ ଜେଟ୍ ମଧ୍ୟ କିଣିହେବ ।

ଚଳିତ ସପ୍ତାହରେ ସୁନା ଓ ରୁପା ମୂଲ୍ୟରେ ବ୍ୟାପକ ବୃଦ୍ଧି ହୋଇଛି । ଅକ୍ଟୋବର ୬ରୁ ୧୨ ତାରିଖ ମଧ୍ୟରେ ରୁପା ଦାମରେ ୧୯ ହଜାର ୫୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ରୁପା କେଜି ୧,୯୦,୦୦୦ ଟଙ୍କା ଭଳି ରେକର୍ଡ ସ୍ତରରେ ପହଞ୍ଚି ଯାଇଛି । କେବଳ ରୁପା ନୁହେଁ, ସୁନା ବି ମହଙ୍ଗା ହୋଇଛି । ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୫୬୦୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ଦାମ୍ ୬୧୨୦ ଟଙ୍କା ବଢ଼ିଛି । ବଜାର ତଥ୍ୟ ଅନୁଯାୟୀ ଚଳିତ ମାସ ୫ରେ ରୁପା କେଜି ଦାମ୍ ୧,୬୫,୦୦୦ ଟଙ୍କା ଥିଲା । ଏହାପରେ ସେଥିରେ ଲଗାତାର ପାଞ୍ଚଦିନ ପର୍ଯ୍ୟନ୍ତ ବୃଦ୍ଧି ଘଟିଥିଲା । ୯ ଓ ୧୦ ତାରିଖରେ ଦାମ୍ ୭୦୦୦ ଟଙ୍କା ଲେଖାଏଁ ବଢ଼ିଥିଲା । କେବଳ ଏହି ଦୁଇଦିନରେ ରୁପା ଦର ୧୪ହଜାର ଟଙ୍କା ବଢ଼ିଥିଲା ।

୨୨ କ୍ୟାରେଟ୍ ସୁନା ଦର ଚଳିତ ମାସ ୫ରେ ଏହାର ଦାମ୍ ଭୁବନେଶ୍ଵରରେ ୧,୦୯,୪୫୦ ଟଙ୍କା ଥିଲା । ସପ୍ତାହ ସାରା ଏହାର ଦାମ୍ ବଢ଼ିଥିଲା । ଫଳରେ ଅକ୍ଟୋବର ୧୨ ତାରିଖରେ ୨୨ କ୍ୟାରେଟ୍ ସୁନା ଦାମ୍ ୧,୧୪,୬୫୦ ଟଙ୍କାରେ ପହଞ୍ଚିଥିଲା । ସେହିପରି, ୨୪ କ୍ୟାରେଟ୍ ସୁନା ମୂଲ୍ୟ ଚଳିତ ମାସ ୫ ତାରିଖରେ ୧,୧୯, ୪୦୦ ଟଙ୍କା ଥିଲା । ଅକ୍ଟୋବର ୧୨ ସୁଦ୍ଧା ସେହି ଦର ୧,୨୫,୦୮୦ ଟଙ୍କାକୁ ବୃଦ୍ଧି ପାଇଥିଲା ।

ବଡ଼କଥା ହେଉଛି ସୁନା ଓ ରୂପା ଦରରେ ହେଉଥିବା ବୃଦ୍ଧିର ଅନେକ କାରଣ ରହିଛି । ବିଶେଷଜ୍ଞମାନଙ୍କ କହିବାନୁସାରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ସ୍ଥିତିରେ ଥିବାରୁ ସୁନା ଆମଦାନୀ ମହଙ୍ଗା ହୋଇଛି । ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନାର ଆଉନ୍ସ ପିଛା ଦର ପ୍ରଥମ ଥର ୪୦୦୦ ଡଲାରରୁ ଅଧିକ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ନୀତିରେ ଅନିଶ୍ଚିତତା, ରାଜନୈତିକ ସଙ୍କଟ ଆଦିକୁ ମଧ୍ୟ ସୁନା ଓ ରୁପା ଦରବୃଦ୍ଧିର ଅନ୍ୟତମ କାରଣ କୁହାଯାଉଛି । ଗତ ସପ୍ତାହରେ ହୋଇଥିବା ସୁନା ଦରବୃଦ୍ଧି ପାଇଁ ଆମେରିକା ସଟଡାଉନ୍ ମଧ୍ୟ ଦାୟୀ କରାଯାଉଛି ।