କନକ ବ୍ୟୁରୋ: ବାପା-ମାଆଙ୍କ ପାଇଁ ଖୁସି ଖବର । ଶିଶୁଭବନ ଓପିଡିରେ ଡାକ୍ତରଙ୍କୁ ଦେଖାଇବାକୁ ଏଣିକି ଆଉ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ାହୋଇ ଟିକେଟ୍ କାଟିବାକୁ ପଡ଼ିବ ନାହିଁ । ଘରେ ବସି ୧୬ ଦିନ ପୂର୍ବରୁ ଟିକେଟ୍ ବୁକିଂ କରିପାରିବେ । ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ଏହି ଅନ୍ଲାଇନ୍ ବ୍ୟବସ୍ଥା । ତେବେ ଗଲା ଦୁଇ ଦିନ ମଧ୍ୟରେ ୧୦ଟି ଲେଖାଏଁ କରି ୨୦ ଜଣ ରୋଗୀ ଡାକ୍ତରଙ୍କୁ ଦେଖାଇବାକୁ ଆଗୁଆ ଟିକେଟ୍ ବୁକିଂ କରିସାରିଲେଣି ।
ସୂଚନା ଅନୁଯାୟୀ, ଶିଶୁଭବନର ନୂଆ କୋଠାରେ ଥିବା ଓପିଡି କାଉଣ୍ଟରରେ ଦୈନିକ ୭୦୦ରୁ ୮୦୦ ରୋଗୀ ଟିକେଟ୍ କାଟିଥାନ୍ତି । ଏହାଦ୍ଵାରା ଶିଶୁଭବନରେ ଦୈନିକ ପ୍ରବଳ ମାତ୍ରାରେ ଗହଳି ହେଉଛି । ଏହି ଗହଳି ଏଡ଼ାଇବା ପାଇଁ ଏଣିକି ଅନ୍ଲାଇନ୍ ମାଧ୍ୟମରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ରାଜ୍ୟ ସରକାରଙ୍କ ୱେବ୍ସାଇଟ୍ https://eswasthya.odisha.gov.in/AHIMSG5/hissso/loginLoginମାଧ୍ୟମରେ ଟିକେଟ୍ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ୱେବ୍ସାଇଟ୍ରେ ହସପିଟାଲ୍ ନାଁ, କେଉଁ ତାରିଖରେ ଡାକ୍ତରଙ୍କୁ ଦେଖାଇବେ, କେଉଁ ବିଭାଗର ଡାକ୍ତରଙ୍କୁ ଦେଖାଇବେ, କେଉଁ ସମୟରେ ଦେଖାଇବେ; ଏ ସଂକ୍ରାନ୍ତ ପ୍ରଥମେ ଦାଖଲ କରିବାକୁ ପଡ଼ିବ । ଏହାପରେ ରୋଗୀଙ୍କ ସମ୍ପୂର୍ଣ୍ଣ ପରିଚୟ ଓ ଠିକଣା ଦାଖଲ କରିବାକୁ ପଡ଼ିବ । ଏସବୁ ଦାଖଲ କରି ପଞ୍ଜୀକରଣ କରିବା ପରେ ଏକ ନମ୍ବର ମୋବାଇଲ୍ ଫୋନ୍କୁ ଆସିବ । ଏହି ନମ୍ବରକୁ ଧାର୍ଯ୍ୟ ତାରିଖରେ ଶିଶୁଭବନ ଓପିଡି କାଉଣ୍ଟରରେ ଖୋଲିଥିବା କିଓସ୍କୋରେ ଦେଖାଇଲେ, ସେଠାରୁ ଓପିଡି ଟିକେଟ୍ ପ୍ରିଣ୍ଟ ହେବ । ଏହି ଟିକେଟ୍ ନେଇ ନିଜ ପସନ୍ଦ ଅନୁଯାୟୀ ଡାକ୍ତରଙ୍କୁ ଦେଖାଇବେ ।
ଓପିଡି କାଉଣ୍ଟରରେ କେଉଁ ଦିନ କେଉଁ ଡାକ୍ତର ଚିକିତ୍ସା କରୁଛନ୍ତି, ସେ ସଂକ୍ରାନ୍ତ ତଥ୍ୟ ମଧ୍ୟ ୱେବ୍ସାଇଟ୍ରେ ଉଲ୍ଲେଖ ରହିଛି । ତେଣୁ ଶିଶୁଭବନ ଆସିବା ପୂର୍ବରୁ ଏ ସମ୍ପର୍କିତ ତଥ୍ୟ ରୋଗୀ ଜାଣିପାରିବେ। ମେଡିସିନ୍ ଓ ସର୍ଜରି ଆଉଟ୍ର ଦୈନିକ ଚାଲୁଥିବା ବେଳେ ସ୍ବତନ୍ତ୍ର ବିଭାଗର ଆଉର୍ ନିର୍ଦ୍ଦିଷ୍ଟ ଦିନରେ ଚାଲୁଛି । ସୋମବାର ହୃଦ୍ରୋଗ ବିଭାଗର ଆଉଟ୍ର, ବୁଧବାର ନେଫ୍ରୋଲୋଜି, ଶୁକ୍ରବାର ନେଫ୍ରୋଲୋଜି ଓ ନ୍ୟୁରୋଲୋଜି, ଶନିବାର ମାନସିକ ରୋଗ ଓପିଡି ଚାଲୁଛି । ଓଡ଼ିଶା ରାଜ୍ୟ ମେଡିକାଲ୍ କୋଅପରେସନ୍ ଲିମିଟେଡ(ଓଏସ୍ଏମ୍ସିଏଲ୍) ପକ୍ଷରୁ କିଓସ୍କୋ ଖୋଲିବାରେ ସହଯୋଗ ଯୋଗାଇବା ପାଇଁ ଗଲା ୨ ତାରିଖରେ ଶିଶୁଭବନ କର୍ତ୍ତୃପକ୍ଷ ଏ ନେଇ ଚିଠି ଲେଖିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଗୋଟିଏ କିଓସ୍କୋରେ ଆରମ୍ଭ ହେବ । ପରବର୍ତ୍ତୀ ସମୟରେ ଲ୍ୟାବ୍ ରିପୋର୍ଟ ମଧ୍ୟ ଅନ୍ଲାଇନ୍ରେ ଯୋଗାଇ ଦିଆଯିବ ।