କନକ ବ୍ୟୁରୋ: ମମତା ଦିଦିଙ୍କୁ ଆଉ ମୋହନ ଲେଖିବେନି ଆଳୁ ପାଇଁ ଚିଠି । ଆଳୁ ଖାଇବାକୁ ପଡ଼ୋଶୀ ପାଖରେ ଆଉ ହାତ ପତାଉଇବନି ଓଡ଼ିଶା । ଆଳୁର ଅଭାବ ଦୂର କରିବାକୁ ମୋହନ ସରକାର କରିବେ ଆଳୁ ଚାଷ । ଆଳୁ ଉତ୍ପାଦନରେ ଓଡ଼ିଶାକୁ ଆତ୍ମନିର୍ଭର କରିବା ପାଇଁ ବଡ଼ ଯୋଜନା କରିଛନ୍ତି ରାଜ୍ୟ ସରକାର ।
୫୦ ହଜାରରୁ ଅଧିକ ଏକର ଚାଷ ଜମିରେ ଆଳୁଚାଷ କରିବା ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ କୃଷି ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଓଡିଶାକୁ ଆଳୁରେ ଆତ୍ମନିର୍ଭର କରିବା ଅଭିଯାନରେ ଚଳିତବର୍ଷ ଚାଷୀଙ୍କୁ ଆଗୁଆ ଆଳୁ ବିହନ ଯୋଗାଇ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି । ୫୦ ହଜାରରୁ ଅଧିକ ଏକର ଜମିରେ ପ୍ରାୟ ୩ ଲକ୍ଷ କୁଇଣ୍ଟାଲ ପାଖାପାଖି ଆଳୁ ବିହନ ଆବଶ୍ୟକ ହୋଇଥାଏ ଏବଂ ଏହା ଚାଷୀଙ୍କୁ ଆବଶ୍ୟକ ଅନୁଯାୟୀ ଆଗୁଆ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ ।
ରାଜ୍ୟର ସମସ୍ତ ଜିଲ୍ଲାକୁ ସେମାନଙ୍କ ଆବଶ୍ୟକ ଅନୁଯାୟୀ ବିହନ ପରିମାଣର ତଥ୍ୟ କୃଷି ବିଭାଗକୁ ପ୍ରେରଣ କରିବା ନିମନ୍ତେ କୁହାଯାଇଛି । ନଭେମ୍ବର ମାସ ପ୍ରଥମ ସପ୍ତାହରୁ ଆଳୁ ବିହନ ଯୋଗାଣ ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଆବଶ୍ୟକ ମୁତାବକ ବ୍ଲକ ଅନୁଯାୟୀ ଏହାର ଯୋଗାଣ କରାଯିବ । ଏହାବ୍ୟତୀତ, ପ୍ରାୟ ୬୦୦୦ ହେକ୍ଟର ଜମିରେ ୬୦୦ କୁଇଣ୍ଟାଲ ପିଆଜ ଚାଷ, ୧୦୦୦ ହେକ୍ଟର ଜମିରେ ୧୦୦ କୁଇଣ୍ଟାଲ ଲଙ୍କା, ୩୦୦ ହେକ୍ଟର ଜମିରେ ୭୫୦୦ କୁଇଣ୍ଟାଲ ରସୁଣ ବିହନ ଚାଷ ପାଇଁ ଯୋଜନା ରହିଛି । ଯେଉଁଠି ବି ଅଧିକା ବିହନ ଆବଶ୍ୟକ କିମ୍ବା ବିହନ ଅଭାବ ଦେଖାଦେବ କୃଷି ବିଭାଗ ପକ୍ଷରୁ ଜାରି କରାଯାଇଥିବା ନମ୍ବର ୧୫୫୩୩୩ ରେ ଯୋଗାଯୋଗ କିମ୍ବା ନିକଟସ୍ଥ ଉଦ୍ୟାନ କୃଷି ଅଧିକାରୀଙ୍କୁ ଯୋଗାଯୋଗ କରିବାପାଇଁ ଅନୁରୋଧ କରାଯାଇଛି ।
ଅଧିକ ପଢ଼ନ୍ତୁ--- ଓଡ଼ିଶା ହେବ ‘ବିହନ ହବ୍’: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ସୂଚନା
ବଡ଼କଥା ହେଉଛି ଏବେ ଆଳୁ-ପିଆଜ ପାଇଁ ଆଉ ବାହାର ରାଜ୍ୟ ଉପରେ ନିର୍ଭରଶୀଳ ହେବନି ଓଡ଼ିଶା । ଏଭଳି ସଙ୍କଟ ଦୂର କରିବାକୁ ମୋହନ ସରକାରଙ୍କ ମାଷ୍ଟରପ୍ଲାନ୍ କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/10/24/1-2025-10-24-18-59-31.jpg)