କନକ ବ୍ୟୁରୋ: କିଛି କୌଳିକ ବୃତ୍ତିକୁ ଲୋକ ଏବେ ମୁହଁ ମୋଡୁଛନ୍ତି । କାରଣ ସେଥିରୁ ସେମାନଙ୍କୁ ପରିବାର ଚଳାଇବା ଭଳି ଅର୍ଥ ମିଳୁନାହିଁ । ସରକାର ବି ବେଫିକର । କିଛି ପ୍ରୋତ୍ସାହନ ଦିଆଯାଉନାହିଁ । ଯେମିତି ବାଉଁଶ କାରିଗର । ବାଉଁଶ ତିଆରି ବିଭିନ୍ନ ସାମଗ୍ରୀର ବ୍ୟବହାର କମୁଥିବାରୁ ସେମାନେ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି ।
ଚାହିଦା କମୁଛି
ଚିନ୍ତାରେ କାରିଗର
ଯାଜପୁର ଜିଲ୍ଲା ବରୀ ଦରଘା ଅଞ୍ଚଳରେ ୫୦ରୁ ଅଧିକ ପରିବାର ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରି ପରିବାର ପ୍ରତିପୋଷଣ କରିଥା’ନ୍ତି । ରାତି ପାହିଲେ କାମରେ ଲାଗି ପଡ଼ନ୍ତି ପୂରା ପରିବାର । ଖରା ହେଉ କି ବର୍ଷା ବୁଲି ବୁଲି ବାଉଁଶ କିଣନ୍ତି ଓ ତାକୁ କଟୁରିରେ ଚିରି ପତଳା କରି ଶୁଖାଇଥାଆନ୍ତି । ଶୁଖିଯିବା ପରେ ବାଉଁଶ ପାତିଆରେ ରଙ୍ଗ ଦେଇ କୁଲା, ନାଳିଆ, ପାଛିଆ ଆଦି ବିଭିନ୍ନ ଘର କରଣା ସାମଗ୍ରୀ ତିଆରି କରାଯାଏ ।
ପ୍ଲାଷ୍ଟିକର ବହୁଳ ବ୍ୟବହାର ହେତୁ ବାଉଁଶ ତିଆରି ସାମଗ୍ରୀର ଚାହିଦା କମି ଯାଉଛି । ପ୍ଲାଷ୍ଟିକ କୁଲା, ନାଳିଆ ଆଦି ବିକ୍ରି ହେଉଥିବା ବେଳେ ଚାରାଗଛ ଚାରିପଟେ ଲାଗୁଛି ପ୍ଲାଷ୍ଟିକ ଘେରା । କେବଳ ପୂଜା ପାର୍ବଣ ଓ ବାହାଘର ବ୍ରତଘରକୁ ଛାଡ଼ିଦେଲେ ଅନ୍ୟ ଦିନରେ କେହି ବି ବାଉଁଶ ସାମଗ୍ରୀ ବ୍ୟବହାର କରୁନାହାନ୍ତି । ବାଉଁଶ ସାମଗ୍ରୀ ଧରି କାରିଗରମାନଙ୍କୁ ଏ ହାଟରୁ ସେ ହାଟ ଓ ଘର ଘର ବୁଲି ଶାଗମାଛ ଦରରେ ବିକ୍ରି କରିବାକୁ ପଡୁଛି । ପରିଶ୍ରମ ଅନୁସାରେ ପ୍ରାପ୍ୟ ମିଳୁନାହିଁ ।
ବାଉଁଶ କାରିଗରମାନେ ଧୀରେ ଧୀରେ କୁଳ ବେଉସାରୁ ମୁହଁ ମୋଡ଼ି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ତାଳ, ଖଜୁରି, ଶିଆଳି ଆଦି ପତ୍ରରୁ ନିର୍ମିତ ସାମଗ୍ରୀ ପାଇଁ ସରକାରଙ୍କ ପକ୍ଷରୁ ଯେପରି ବଜାର ଖୋଲି ପ୍ରୋତ୍ସାହନ ଦିଆଯାଉଛି, ବାଉଁଶ କାରିଗରଙ୍କ ପାଇଁ ସେପରି କରାଗଲେ ସେମାନେ ଉପକୃତ ହେବେ । ବଞ୍ଚି ରହିବ ପରମ୍ପରା ଓ କୁଳ ବେଉସା ।
(ବରୀରୁ ପ୍ରଶାନ୍ତ ଦ୍ବିବେଦୀଙ୍କ ରିପୋର୍ଟ)