କନକ ବ୍ୟୁରୋ: ସାରା ଦେଶରେ ନୂଆ ଜିଏସଟି ଦର ଲାଗୁ ପରେ ଅନେକ କିଛି ଦରଦାମ ପରିବର୍ତ୍ତନ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜିଠାରୁ ସାରା ଦେଶରେ ଅନେକ ଗୁରୁତ୍ଵପୂର୍ଣ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଯେଉଁଥିରେ ରହିଛି ଅନେକ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ । ଯାହା ବିଷୟରେ ଆପଣ ଜାଣିବା ନିହାତି ଜରୁରୀ । ନହେଲେ ଆପଣ ଅସୁବିଧାରେ ପଡ଼ିପାରନ୍ତି ।

Advertisment

ରିପୋର୍ଟ ମୁତାବକ, ଅନଲାଇନ ଗେମିଂକୁ ନିୟନ୍ତ୍ରଣ କରୁଥିବା ଏକ ନୂତନ ଆଇନ ଏବଂ ଭାରତୀୟ ରେଳବାଇର ଟିକେଟ ବୁକିଂ ନିୟମରେ କିଛି ପରିବର୍ତ୍ତନ କରାଯାଇଛି । ଏହା ସହିତ ଟ୍ରାଇ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ନେଟୱାର୍କ ସୂଚନା ଏବଂ ସ୍କାମ କଲ ନିୟନ୍ତ୍ରଣ କରୁଥିବା ନିୟମ କାର୍ଯ୍ୟକାରୀ କରାଯାଇଛି । ସେୟାର ମାର୍କେଟ୍ ବା ଷ୍ଟକ୍ ବଜାରରେ ବାୟବ୍ୟାକ ନିୟମ ଏବଂ କିଛି ଆର୍ଥିକ ଯୋଜନା ମଧ୍ୟ ପରିବର୍ତ୍ତିତ କରାଯାଇଛି । ଆଉ ଇ-କମର୍ସ କାରବାର ଏବଂ ସର୍ବନିମ୍ନ ମଜୁରୀ ହାରରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଛି ।

ଭାରତୀୟ ରେଳବାଇ ପୂର୍ବ ନିର୍ଦ୍ଧାରିତ ଟିକେଟ ବୁକିଂ ନିୟମରେ ପରିବର୍ତ୍ତନ ଘୋଷଣା କରିଥିଲା ଯାହା ଆଜିଠାରୁ ଲାଗୁ ହୋଇଛି । ଏବେ ଟ୍ରେନରେ ଯାତ୍ରା କରିବା ପାଇଁ ସାଧାରଣ ଟିକେଟ ବୁକିଂ ଖୋଲିବାର ପ୍ରଥମ ୧୫ ମିନିଟ ମଧ୍ୟରେ, କେବଳ ଆଧାରକାର୍ଡ ଉପଭୋକ୍ତାମାନେ ଆଇଆରସିଟିସି ୱେବସାଇଟ କିମ୍ବା ଆପ୍‌ରେ ଟିକେଟ ବୁକ୍ କରିପାରିବେ ।

ସେହିଭଳି ଅନଲାଇନ ଗେମିଂକୁ ପ୍ରୋତ୍ସାହିତ ଏବଂ ନିୟନ୍ତ୍ରଣ କରିବା ପାଇଁ ଏକ ନୂତନ ଆଇନ କାର୍ଯ୍ୟକାରୀ ହୋଇଛି । ଏନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କିଛିଦିନ ତଳେ ଘୋଷଣା କରିଥିଲେ । ଅନଲାଇନ ଗେମିଂ କମ୍ପାନି ଏବଂ ଅନ୍ୟ ଅଂଶୀଦାରମାନଙ୍କ ସହିତ ଆଲୋଚନା ପରେ ଏହି ଆଇନ ପ୍ରସ୍ତୁତ କରାଯାଇଥିଲା ଯାହା ଆଜିଠାରୁ କାର୍ଯ୍ୟକାରୀ ହୋଇଛି ।

ଏପଟେ ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ(ଟ୍ରାଇ) ମଧ୍ୟ ଆଜିଠାରୁ କିଛି ନୂଆ ନିୟମ ଲାଗୁ କରିଛି । ଯାହା ମୋବାଇଲ ବ୍ୟବହାରକାରୀଙ୍କୁ ଅନେକ ସୁବିଧା ପ୍ରଦାନ କରିବ । ଆପଣ ଏବେ ଆପଣଙ୍କ ଅଞ୍ଚଳରେ ଉପଲବ୍ଧ ନେଟୱାର୍କ ବିଷୟରେ ସୂଚନା ପାଇପାରିବେ ଏବଂ ସାଇବର୍ ଠକେଇ କଲ୍ ହ୍ରାସ କରିବାକୁ ନୂଆ ନିୟମ ଲାଗୁ କରାଯାଇଛି । ପୂର୍ବରୁ ଟ୍ରାଇ ଟେଲିକମ କମ୍ପାନି ଗୁଡ଼ିକୁ ସ୍କାମ୍ କଲ୍ ଗୁଡ଼ିକର ଏକ ତାଲିକା ତିଆରି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମେସେଜ ମାଧ୍ୟମରେ ଏକ ସୁରକ୍ଷିତ ୟୁଆରଏଲ କିମ୍ବା ଓଟିପି ଲିଙ୍କ୍ ପଠାଇବାକୁ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି । ଏହିଭଳି ଅନେକ କିଛି ନିୟମ ଆଜିଠାରୁ କାର୍ଯ୍ୟକାରୀ କରାଯାଇଛି ।