କନକ ବ୍ୟୁରୋ: ପିଏମ୍ ମୋଦୀ-ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଯୋଡ଼ିକୁ ନେଇ ଭାରି ଚର୍ଚ୍ଚାହୁଏ । କୁହାଯାଏ ମୋଦୀ-ଶାହଙ୍କ ଯୋଡ଼ିରେ କିଛି ବି ସମ୍ଭବ । ପୂରା ଦେଶ ଜାଣିଛି ଉଭୟ ନେତା କେମିତି ନିଷ୍ପତ୍ତି ନିଅନ୍ତି ଏବଂ ବିରୋଧୀଙ୍କୁ କେଉଁପରି ଭାବରେ ସମାଲୋଚନା କରନ୍ତି । ୨୦୧୪ରୁ ଲଗାତାର ପିଏମ୍ ଅଛନ୍ତି ମୋଦୀ ଏବଂ ଶାହ ବି ଗୁରୁତ୍ବପୂର୍ଣ୍ଣ ପଦବୀରେ ଅଛନ୍ତି । ଶାହଙ୍କ ରଣନୀତି ସାମନାରେ ତିଷ୍ଠିପାରିନାହାନ୍ତି ବିରୋଧୀ । ସେଇଥି ଲାଗି ତ ବାରମ୍ବାର କ୍ଷମତାରେ ରହିଛି ଭାରତୀୟ ଜନତା ପାର୍ଟି । ଏହାରି ଭିତରେ ଶାହ ଜାତୀୟ ଗଣମାଧ୍ୟମକୁ ନେଇ ଯେଉଁ ସାକ୍ଷାତକାର ଦେଇଛନ୍ତି ତାହା ଆହୁରି ଚର୍ଚ୍ଚା ବଢ଼ାଇଛି ।
ମୋଦୀଙ୍କ ବେଷ୍ଟ ଫ୍ରେଣ୍ଡ୍ ଶାହ ହେଲେ କେମିତି ?
କେଉଁଠି ମୋଦୀଙ୍କ ସହ ଶାହଙ୍କ ପ୍ରଥମ ଦେଖା ହୋଇଥିଲା ?
୧୯୮୦ରେ ମୋଦୀଙ୍କ ସହ ଶାହଙ୍କର ହୁଏ ପ୍ରଥମ ସାକ୍ଷାତକାର
ଆର୍ଏସ୍ଏସ୍ ପାଇଁ କାମ କରୁଥିଲେ
ମୋଦୀଙ୍କୁ ଯେବେ ସାହ ପ୍ରଥମଥର ଭେଟିଥିଲେ ସେବେ ମୋଦୀ ଆର୍ଏସ୍ଏସ୍ ପାଇଁ କାମ କରୁଥିଲେ । ସେହି ସମୟର ହିଁ ସଂଗଠନ ଦେଶର ଯୁବବର୍ଗଙ୍କ ପାଇଁ କି କି କାମ କରିପାରିବ ତାହାକୁ ବେଶ୍ ଭଲରେ କହିଥିଲେ ମୋଦୀ । ଆଉ ଏହାପରେ ଧୀରେ ଧୀରେ ମୋଦୀଙ୍କ ସହ ବନ୍ଧୁତା ବଢ଼ିଥିଲା ଶାହଙ୍କର । ସେବେଠୁ ଏ ପର୍ଯ୍ୟନ୍ତ ବନ୍ଧୁତା ବହୁତ ବଢ଼ିଛି ଏବଂ ଦେଶର ବିକାଶ ଲାଗି ଉଭୟ ନେତା ଏକାଠି ହୋଇ କାମ କରୁଛନ୍ତି ।
ପ୍ରଥମେ ବିଜେପିରେ ମିଶିଥିଲେ ଶାହ
ପରେ ପରେ ମୋଦୀ ସାମିଲ ହୋଇଥିଲେ ପଦ୍ମ ଦଳରେ
ମୋଦୀ-ଶାହଙ୍କ ଇତିହାସ ସେବେ ଚର୍ଚ୍ଚା ହୁଏ ସେବେ ଅନେକ କଥା ସାମନାକୁ ଆସେ । ଖାସ୍ କରି ବିଜେପିରେ ପ୍ରଥମେ କିଏ ସାମିଲ ହୋଇଥିଲା ତାହାକୁ ନେଇ ପ୍ରଶ୍ନ ଉଙ୍କିମାରୁଥିବା ବେଳେ ଶାହ ଏନେଇ ସ୍ପଷ୍ଟ କରିଛନ୍ତି । କହିଛନ୍ତି, ପ୍ରଥମେ ମୁଁ ବିଜେପିରେ ସାମିଲ ହେବା ପରେ ହିଁ ମୋଦୀ ବିଜେପିରେ ସାମିଲ ହୋଇଥିଲେ । ଦେଶର ବିକାଶ କେମିତି ହେବ ସେନେଇ ମୋଦୀ-ଶାହ ଏକାଠି ହୋଇ ଆଲୋଚନା କରନ୍ତି ବୋଲି ଶାହ କହିବା ସହିତ ଗୁଜରାଟରୁ ନୂଆଦିଲ୍ଲୀ ଯାତ୍ରା କେମିତି ଥିଲା ତାହା ବି କହିଛନ୍ତି ।
ଶାହ କହିଲେ, ମୋଦୀଙ୍କ ସହ ମୋର ସମ୍ପର୍କ
କେବଳ ରାଜନୈତିକ ନୁହେଁ
ବରଂ ଗଭୀର ବନ୍ଧୁତା
ମୋଦୀ-ଶାହଙ୍କ ବନ୍ଧୁତାକୁ କେମିତି ସେନେଇ କରାଯାଇଥିବା ପ୍ରଶ୍ନର ସିଧା ଉତ୍ତର ଦେଇଛନ୍ତି ଶାହ । କହିଛନ୍ତି, ଆମ ଭିତରେ କେବଳ ରାଜନୈତିକ ବନ୍ଧୁତା ନୁହେଁ ବରଂ ପାରିବାରିକ ବନ୍ଧୁତା ବି ରହିଛି । ଯେକୌଣସି କଠିନ ସମୟ ହେଉନା କାହିଁକି ବନ୍ଧୁତାରେ ସାମାନ୍ୟତମ ମଳିନ ପଡ଼ିନି କି ପଡ଼ିବାର ନାହିଁ । ଶାହ କହିଛନ୍ତି,ମୋଦୀଙ୍କର କୌଣସି ବିଷୟବସ୍ତୁ ଉପରେ ଗଭୀର ଅଧ୍ୟୟନ କରିବାର କ୍ଷମତା, ସମସ୍ୟାର ମୂଳ କାରଣକୁ ବୁଝିବାର ଦକ୍ଷତା ଏବଂ ସମାଧାନ ପାଇଁ ଏକ ସ୍ପଷ୍ଟ ରଣନୀତି ପ୍ରସ୍ତୁତ କରିବାର ସାମର୍ଥ୍ୟ ତାଙ୍କୁ ସର୍ବଦା ପ୍ରଭାବିତ କରିଛି । ସେମାନଙ୍କ ମଧ୍ୟରେ ଅନେକ ସମୟରେ ବିଭିନ୍ନ ନୀତି ଏବଂ ରଣନୀତି ଉପରେ ଆଲୋଚନା ହୋଇଥାଏ, ଯେଉଁଥିରେ ସେମାନେ ନିଜର ମତଭେଦକୁ ମଧ୍ୟ ସମ୍ମାନର ସହ ଉପସ୍ଥାପନ କରନ୍ତି । ଏହା ସେମାନଙ୍କ ବନ୍ଧୁତାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ଯେଉଁଠାରେ ମୁକ୍ତ ଭାବରେ ମତାମତ ବିନିମୟ କରିବାର ସ୍ୱାଧୀନତା ରହିଛି ବୋଲି ଶାହ କହିଛନ୍ତି ।
ମୋଦୀ-ଶାହ ଯୋଡ଼ି
ବିଜେପିକୁ ଦେଇଛି ବିରାଟ ବିଜୟ
ନିର୍ବାଚନ ପୂର୍ବରୁ ମୋଦୀ-ଶାହ ପ୍ରଚାର ମଇଦାନକୁ ଓହ୍ଲାଇଥାଆନ୍ତି । ବିଜେପିର ମିସନ୍, ଯୋଜନା ଆଦି ଲୋକଙ୍କ ପାଖରେ ବେଶ୍ ଭଲରେ ପହଞ୍ଚାଇଥାଆନ୍ତି । ସେଇଥି ଲାଗି ତ ମୋଦୀ-ଶାହଙ୍କ ଯୋଡ଼ି ସାମନାରେ ବିରୋଧୀମାନେ ତିଷ୍ଠିପାରନ୍ତି ନାହିଁ । ମୋଦୀଙ୍କ ନେତୃତ୍ୱରେ ଏବଂ ଶାହାଙ୍କ ରଣନୀତି ପ୍ରସ୍ତୁତିରେ ଦଳ ଏକ ଐତିହାସିକ ସଫଳତା ହାସଲ କରିଛି । ଅମିତ ଶାହା ଅନେକ ସମୟରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦା ନିଜ କାର୍ଯ୍ୟରେ ସ୍ପଷ୍ଟ ଏବଂ ଦୃଢ଼ ଥାଆନ୍ତି । ସେ ଯେକୌଣସି ନିଷ୍ପତ୍ତି ନେବା ପୂର୍ବରୁ ସବୁ ଦିଗକୁ ବିଚାର କରନ୍ତି ଏବଂ ଥରେ ନିଷ୍ପତ୍ତି ନେବା ପରେ ତାହାକୁ କାର୍ଯ୍ୟକାରୀ କରିବାରେ ପୂର୍ଣ୍ଣ ନିଷ୍ଠା ପ୍ରଦର୍ଶନ କରନ୍ତି ।
ଶାହାଙ୍କ ମତରେ, ତାଙ୍କ ଏବଂ ମୋଦୀଙ୍କ ମଧ୍ୟରେ ଥିବା ବନ୍ଧୁତା କେବଳ ଦୁଇ ବ୍ୟକ୍ତିଙ୍କ ସମ୍ପର୍କ ନୁହେଁ ବରଂ ଦେଶକୁ ଆଗକୁ ନେବା ପାଇଁ ଏକ ସାଧାରଣ ଦୃଷ୍ଟିକୋଣ ଏବଂ ଲକ୍ଷ୍ୟର ପ୍ରତିଫଳନ। ଦେଶ ପାଇଁ କିଛି ଭଲ କରିବାର ଉଭୟଙ୍କର ଅଦମ୍ୟ ଇଚ୍ଛା ଶକ୍ତି ସେମାନଙ୍କୁ ଏକାଠି ବାନ୍ଧି ରଖିଛି । ଅମିତ ଶାହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କ ବନ୍ଧୁତାକୁ ଏକ ଅତ୍ୟନ୍ତ ମୂଲ୍ୟବାନ ସମ୍ପର୍କ ଭାବରେ ଦେଖନ୍ତି, ଯାହା କେବଳ ରାଜନୈତିକ ସହଯୋଗ ନୁହେଁ ବରଂ ପରସ୍ପର ପ୍ରତି ଗଭୀର ସମ୍ମାନ, ବିଶ୍ୱାସ, ଏବଂ ଏକ ସାଧାରଣ ଲକ୍ଷ୍ୟ ହାସଲ କରିବା ପାଇଁ ଉତ୍ସର୍ଗୀକୃତ ଭାବନାର ପ୍ରତୀକ ବୋଲି ଶାହ କହିଛନ୍ତି ।